Advertisment

Kargil Vijay Diwas 2023: ବିବାହର ୬ ଦିନ ପରେ ଚାଲିଗଲେ ଯୁଦ୍ଧଭୂମିକୁ; ୭ ଦିନ ପରେ ଆସିଲା ଦୁଃଖ ଖବର

ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ। ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍‌ ୭ ଦିନ ପରେ ଆସିଲା ଏମିତି ଦୁଃଖ ଖବର।

author-image
Pramod Behera
ଅଦ୍ୟତନ ହୋଇଛି
Kargil Vijay Diwas 2023 Martyr Srinibas Patra

Kargil Vijay Diwas 2023 Martyr Srinibas Patra

୧୯୯୯ ମସିହା ୨୬ ଜୁଲାଇରେ ଭାରତ ସରକାର ପକ୍ଷରୁ କାରଗିଲ ଯୁଦ୍ଧର ବିଜୟ ଘୋଷଣା କରାଗଲା। ଏହାକୁ ନେଇ ସମଗ୍ର ଭାରତବାସୀ ବିଜୟ ଉତ୍ସବ ମନାଇଥିଲେ। ତେବେ ଏହି ଯୁଦ୍ଧରେ ବହୁ ବୀର ସୈନ୍ୟ ସେମାନଙ୍କ ଜୀବନକୁ ବଳିଦାନ ଦେଇଥିଲେ। ସେହିପରି ଜଣେ ବୀର ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମର ଶ୍ରୀନିବାସ ପାତ୍ର।

Advertisment

ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଜଗଦଳପୁର ଗ୍ରାମରେ ରହିଛି ବୀର ସୈନିକ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି। ତାଙ୍କ ବଳିଦାନ ସମଗ୍ର ମାଟିକୁ ଧନ୍ୟ କରିଦେଇଛି। ସବୁଠାରୁ ଦୁଃଖର କଥା ହେଲା ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ।

ଅଧିକ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧକୁ ନେଇ ୫ଟି ତଥ୍ୟ; ପାକିସ୍ତାନର ଥିଲା ବଡ଼ ଷଡ଼ଯନ୍ତ୍ର

ବୀର ସୈନିକ ନିଜ ନବ ବିବାହିତ ସ୍ତ୍ରୀକୁ ଛାଡି ଚାଲି ଯାଇଥିଲେ ଶତ୍ରୁଙ୍କ ଠାରୁ ଦେଶକୁ ବଞ୍ଚାଇବାକୁ। ଏମିତି କହି ଆଜି ବି ତାଙ୍କ ବଡ ଭାଇଙ୍କ ଆଖି ଛଳ ଛଳ ହୋଇଯାଏ। ଭୁବନେଶ୍ୱରରେ ରହୁଥିବା ବଡ ଭାଇଙ୍କ ପାଖକୁ ଯାଇ କେବଳ ଏତିକି କହିଲେ, “ମୁଁ ଯାଉଛି। ଯୁଦ୍ଧ ଆରମ୍ଭ ହୋଇଯାଇଛି। ମୋତେ ଯେମିତି ହେଲେ ଯିବାକୁ ପଡିବ।

Advertisment

ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ତଥାପି ଏହି ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍‌ ୭ ଦିନ ପରେ ଅର୍ଥାତ୍‌ ୧୯୯୯ ଜୁଲାଇ ୫ ତାରିଖରେ ଆସିଲା ଦୁଃଖ ଖବର, ସେ ଦେଶ ପାଇଁ ସହିଦ ହୋଇଯାଇଛନ୍ତି।

ଏହି ଖବର ପାଇ ସତେ ଯେପରି ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଗାଁ ଆଉ ରାଜ୍ୟ। ଦୁଇଦିନ ପରେ ତାଙ୍କ ଶବ ଆସି ଗାଁରେ ପହଞ୍ଚିଲା। ସହିଦ ଶ୍ରୀନିବାସ ଅମର ରହେ ଶବ୍ଦରେ ଫାଟି ପଡିଲା ସମଗ୍ର ଅଞ୍ଚଳ। ସହିଦ ସମୟରେ ସେ ପିନ୍ଧିଥିବା ହାତଘଡି ସହ ପେନ୍‌ ଓ ତାଙ୍କ ୟୁନିଫର୍ମର କିଛି ଜିନିଷକୁ ତାଙ୍କ ପୈତୃକ ଘରେ ତାଙ୍କ ବଡ ଭାଇ ଏବେ ବି ଶ୍ରୀନିବାସଙ୍କ ଫଟୋ ଆଗରେ ସାଇତି ରଖିଛନ୍ତି।

ଆମ ପାଞ୍ଚ ଭାଇ ମଧ୍ୟରୁ ସେ ସବୁଠାରୁ ସାନ ଓ ଗେହ୍ଲା ଥିଲା। ତା’ର ଜୀବନ ଯିବା ପରେ ଆମ ମା’ ବି ତାକୁ ଝୁରୀ ଝୁରୀ ଆଖି ବୁଜିଦେଲା ବୋଲି ତାଙ୍କ ବଡ ଭାଇ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆଗେ ଆସିଲା ପୁଅ ସହିଦ ହେବା ଖବର, ପରେ ଆସିଲା ହାତ ଲେଖା ଚିଠି; ଲେଖାଥିଲା ରଜ ଆସୁଛି, ଘରକୁ ଯିବି...

ତେବେ ଶ୍ରୀନିବାସଙ୍କୁ ମନେରଖିବାକୁ ଗ୍ରାମରେ ତାଙ୍କର ଗୋଟିଏ ପ୍ରତିମୂତ୍ତି ତିଆରି କରାଯାଇଛି। ପ୍ରତିବର୍ଷ ଜାନୁଆରି ୨୬ ଏବଂ ଅଗଷ୍ଟ ୧୫ରେ ଏଠାରେ ସଭା କରାଯାଏ। ଏପରିକି ଶ୍ରୀନିବାସଙ୍କ ଯୋଗୁଁ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି ବୋଲି କହିଛନ୍ତି ଗ୍ରାମର ଯୁବକମାନେ। ତାଙ୍କ ପରି ଜଣେ ବୀର ପୁରୁଷଙ୍କୁ ପାଇ ଏ ମାଟି ବି ଧନ୍ୟ ହୋଇଯାଇଛି ବୋଲି କହିଛନ୍ତି ଗ୍ରାମବାସୀ।

Kargil Vijay Diwas Kargil War Kargil War Hero
Advertisment
Advertisment