/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690291097.jpg)
Kargil Vijay Diwas 2023
“ମୁଁ ଗୋଟିଏ ଜାଗାକୁ ଯାଉଛି। ଫେରିଲେ ଘରକୁ ଯିବି। ରଜ ଆସୁଛି। ମୋ ପାଇଁ ପିଠା କରି ରଖିଥିବ। ମୁଁ ଗଲେ ଖାଇବି।” କାର୍ଗିଲରୁ ପୁଅର ମୃତ୍ୟୁ ଖବର ଆସିବାର ଦୁଇଦିନ ପରେ ଆସିଲା ପୁଅର ଏମିତି ହାତଲେଖା ଚିଠି। କିଏ ବା ଜାଣିଥିଲା ଏ ଚିଠି ପୁଅ ବଞ୍ଚିଥିବା ବେଳର ବୋଲି। କିଏ ବା ଜାଣିଥିଲା ପୁଅ ଚିଠି ପକେଇ ଦେଇ ଯୁଦ୍ଧକୁ ଚାଲିଯାଇଛି। ଆଉ କାହାକୁ ବା ଜଣାଥିଲା ସେ ଚିଠି ତାର ଶେଷ ଚିଠି ପାଲଟିଯିବ ବୋଲି।
ନୀଳଗିରି ବ୍ଲକ୍ ବରହମପୁର ମେଡିକାଲ ନିକଟରେ ସ୍ଥାପିତ ହୋଇଥିବା ସହିଦଙ୍କ ସ୍ମୃତିପୀଠକୁ ଦେଖିଲେ କିଛି କ୍ଷଣ ଅଟକିବାକୁ ଓ ତାଙ୍କର ବଳିଦାନକୁ ମନେପକାଇବାକୁ ଏବେବି ଭୁଲୁନାହାନ୍ତି ଗ୍ରାମବାସୀ। ସେ ହେଉଛନ୍ତି ବରହମପୁର ଅଞ୍ଚଳର ସହିଦ ବୀର ଯବାନ ମହେଶ୍ୱର ବେହେରା। ଯିଏ କାର୍ଗିଲ୍ରେ ଦେଶ ମା’ ପାଇଁ ଲଢ଼ି ସହିଦ ହୋଇଛନ୍ତି। ତେବେ ତାଙ୍କର ଏକ ପ୍ରତିମୂର୍ତ୍ତି ବଜାର ନିକଟରେ ଥିଲେ ବି ତାହା ଏବେ ପ୍ରସାଶନର ଅଣଦେଖା ପାଇଁ ଅବହେଳିତ ଅବସ୍ଥାରେ ରହିଛି।
ଅଧିକ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧକୁ ନେଇ ୫ଟି ତଥ୍ୟ; ପାକିସ୍ତାନର ଥିଲା ବଡ଼ ଷଡ଼ଯନ୍ତ୍ର
ପୁଅ ଯୁଦ୍ଧରୁ ଫେରିଲେ ଭଉଣୀର ଧୂମଧାମରେ ବାହାଘର କରିବ। ଦୁଇ ବର୍ଷ ପରେ ଘରକୁ ଫେରିଲେ ଭଉଣୀ ପାଇଁ ବର ଖୋଜିବା, ତମେ ଜମା ବ୍ୟସ୍ତ ହେବନି। ଏମିତି କହି ପୁଅ ଯାଇଥିଲା ବୋଲି କୁହନ୍ତି ମା’ ଭାବମଣି ବେହେରା। ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା। ପୁଅ ତ ଫେରିବା ଦୂରର କଥା, ତା’ ମର ଶରୀର ବି ଆସିପାରିଲା ନାହିଁ। ସନ୍ତକ ଭାବେ ଆସିଲା କେବଳ ଅନ୍ତିମ ସଂସ୍କାରର ପାଉଁଶ। ସମସ୍ତେ ସିନା ବୀର ପୁଅ ପାଇଁ ଗର୍ବ କରୁଛନ୍ତି, ହେଲେ ମା’ ମନ କ’ଣ ସମ୍ଭାଳେ।
ପୁଅର କିଛି ପୋଷାକ ଆସିଥିବା ବାକ୍ସ ଆଉ ଫଟୋକୁ ଧରି ଆଜିବି ମା’ ପୁଅର ସ୍ମୃତିରେ ଆଖିରୁ ଲୁହ ଗଡାଇ ଚାଲିଛି। ଦେଶବାସୀ ସିନା କହୁଛନ୍ତି ପୁଅ ମା’ ମାଟି ମା ପାଇଁ ଜୀବନ ଦେଇଦେଇଛି ହେଲେ ରକ୍ତର ମା’କୁ ପର କରି ଚାଲିଯାଇଛି।
ପ୍ରକୃତିର ନିୟମ ଦୁନିଆକୁ ଯିଏ ଆସିଛି ଦିନେ ନା ଦିନେ ସିଏ କାଳର କୋଳକୁ ଯିବ ଆଉ ମୃତ୍ୟୁକୁ ଆପଣେଇବ। କିନ୍ତୁ ନିଜ ପୁଅ ଯେଉଁ ମରଣ ମରିଛି ତାହା ଗର୍ବର କଥା ବୋଲି କହିଛନ୍ତି ତାଙ୍କ ବାପା ଲକ୍ଷ୍ମୀଧର ବେହେରା।
ପ୍ରଥମେ ଯେତେବେଳେ ଥାନାକୁ କାର୍ଗିଲରେ ଶତ୍ରୁପକ୍ଷର ଆକ୍ରମଣରେ ମହେଶ୍ୱର ବେହେରାଙ୍କ ସହିଦ ଖବର ଆସିଲା ଦୁଇଦିନ ଗାଁରେ କାନ୍ଦବୋବାଳି ପଡିଯାଇଥିଲା। ଏହାର ଠିକ ଦୁଇଦିନ ପରେ ଆସିଲା ପୁଅର ହାତଲେଖା ଚିଠି। ଏଥିରେ ଲେଖାଥିଲା “ମୁଁ ଭଲରେ ଅଛି। ନୂଆ ଜାଗାକୁ ଯୁଦ୍ଧ ପାଇଁ ଯାଉଛି। ଏହି ଚିଠି ପରିବାରର ମନରେ ଭରିଦେଲା ଉନ୍ମାଦ ଆଉ ନୂଆ ଆଶା। ସମସ୍ତଙ୍କ ମୁହଁରେ ଫେରିଆସିଲା ହସ। ପୂର୍ବ ଖବରଟି ସମସ୍ତେ ମିଛ ଭାବି ଭଗବାନଙ୍କୁ ଧନ୍ୟବାଦ ଦେଲେ।
ହେଲେ ପୁଣି କ’ଣ ହେଇଗଲା। ବିଭାଗ ଦ୍ୱାରା ପୁଅର ପୋଷାକ ସହ ଟିକେ ପାଉଁଶ ଆସି ଘରେ ପହଞ୍ଚିଲା। କିଏ ଜାଣିଥିଲା ସେ ଚିଠି ପୁଅ ସହିଦ ହେବା ପୂର୍ବରୁ ଲେଖିଥିଲା ବୋଲି। ପୁଅ ଚିଠି ଲେଖିଦେଇ ଚାଲିଯାଇଥିଲ୍ ତା’ କର୍ତ୍ତବ୍ୟରେ ଆଉ ଚିଠି ପହଞ୍ଚିଲା ବେଳେ ପୁଅ ହୋଇଯାଇଥିଲା ସହିଦ ବୋଲି କୁହନ୍ତି ବାପା। ଆଜି ସରକାରଙ୍କ ପକ୍ଷରୁ ସହାୟତା ରାଶି ମିଳୁଛି ସତ। କିନ୍ତୁ ପୁଅ ଆଗରେ ତାହା କିଛି ନୁହଁ ବୋଲି କହିଛନ୍ତି ବାପା ଲକ୍ଷ୍ମୀଧର।
ଖାଲି ପରିବାର ନୁହେଁ ସାହି ପଡିଶା ମଧ୍ୟ ଆଜି ଝୁରନ୍ତି ମହେଶ୍ୱରଙ୍କୁ। ସମ୍ପର୍କୀୟ ବଡବାପା ଅନାଦି ଚରଣ ବେହେରା ମଧ୍ୟ ଭୁଲି ପାରି ନାହାନ୍ତି ତାଙ୍କ ବଡବାପା ଡାକକୁ। ଦେଶ ଦେଶ ଭିତରେ ଲଢେଇ କେତେ ପରିବାରକୁ ଯେ ଏମିତି ଭାଙ୍ଗିଦେଇଛି ସେ ଅନୁଭବ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)