/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733322810.jpg)
Navy Day 2024
ପୁରୀବେଳାଭୂମିରେ ବିଶ୍ବ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ଶହରୁ ଊର୍ଦ୍ଧ୍ବ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।
ମହୋଦଧିରେ ମହାପରାକ୍ରମ। ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ... ଜଳ.. ସ୍ଥଳ.. ଆକାଶ... ସବୁଠି ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ...ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର୍-ଇନ୍-ଚିଫ୍ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର୍ ପରେ, କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ । ସମୁଦ୍ରର ଘୋ ଘୋ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ । ଚିତାକର୍ଷକ ଫ୍ଲାଏପାଷ୍ଟ୍ ସହ ବମ୍ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ସଗର୍ବେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ବଜା। ନୌସେନାର ଶକ୍ତି ପ୍ରଦର୍ଶନ ଯେତେ ଆଗଉଥିଲା, ସେତିକି ଉତ୍ତଙ୍ଗ ହେଉଥିଲା ସମୁଦ୍ରର ସୁଉଚ୍ଚ ଜୁଆର। ସର୍ବସମ୍ମୁଖକୁ ଆସି ସାମରିକ ଦକ୍ଷତା ଦେଖାଇଥିଲା ସମୁଦ୍ରର ଅଥଳ ଗର୍ଭରେ ଲୁଚି ରହୁଥିବା ବୁଡ଼ା ଜାହାଜ INS ଶଲ୍-କୀ। ଆଉ ଓଡ଼ିଶା ପାଇଁ ଗର୍ବର କଥା, ଏହାର ନେତୃତ୍ବ ନେଇଥିଲେ ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକ। ଆଉ ଏହା ପରେ ଦେଖିବାକୁ ମିଳିଥିଲା ଦୁର୍ଦ୍ଧର୍ଷ ମରିନ୍ କମାଣ୍ଡୋ- ମାର୍କସ୍ଙ୍କ ଜଲୱା। ଲୋକଲୋଚନରୁ ସର୍ବଦା ଦୂରେଇ ରହୁଥିବା ଭାରତର ଏହି ଏଲିଟ୍ ସ୍ପେଶାଲ ଫୋର୍ସର ବୀର ଯୋଦ୍ଧାମାନେ ଦେଖାଇଥିଲେ ରଣକୌଶଳ। ଆତଙ୍କୀଙ୍କ କବ୍ଜାରୁ
ନିରୀହଙ୍କୁ ଉଦ୍ଧାର କରିବାର ଡେମୋ ଚକିତ କରିଥିଲା ସମୁଦ୍ର କୂଳରେ ସମବେତ ଜନସମୁଦ୍ରକୁ। ପ୍ରମାଣିତ କରିଥିଲା, ମାର୍କସ୍କୁ ଶତ୍ରୁ କାହିଁକି କହେ ମୃତ୍ୟୁର ଦୂତ।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କୁ ଦର୍ଶନ ସହ କଲେ ପୂଜାର୍ଚ୍ଚନା
ମାର୍କସ୍ଙ୍କ କାରନାମା ପରେ ଦେଖିବାକୁ ମିଳିଥିଲା ଆମ୍ଫିବିଅସ୍ ଡେମୋ। ବେଳାଭୂମିରେ ଘର୍ଘର ନାଦ କରି ଛୁଟିଥିଲେ ଯୁଦ୍ଧ ଟ୍ୟାଙ୍କ୍। ଉଭୟ ଜଳ, ସ୍ଥଳ ଓ ଆକାଶରେ ୩ ସେନା ସମନ୍ବୟ ରଖି କିଭଳି କରନ୍ତି ଅପରେସନ୍, ତାର ଚାକ୍ଷୁସ ପ୍ରମାଣ ପାଇଥିଲେ ଅଗଣିତ ଦର୍ଶକ ଓ ଅତିଥି। ଏହାପରେ ପୁଣି ଆକାଶରେ ଦିଶିଥିଲା ସଶସ୍ତ୍ର ମାର୍କସଙ୍କ କରିସ୍ମା। ତ୍ରିରଙ୍ଗା ଓ ଅନ୍ୟ ରଙ୍ଗୀନ ପାରାସୁଟରେ ୨୪ ହଜାର ଫୁଟ୍ ଉଚ୍ଚତାରୁ କରିଥିଲେ କମ୍ବାଟ୍ ଫ୍ରି ଫଲ୍ । ଆକାଶରୁ ଖସି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ ସୁନ୍ଦର ସ୍ମୃତି ଉପହାର।
ଆକାଶରେ ଉଡ଼ୁଥାନ୍ତି ୩୭ ବିମାନ ଓ ହେଲିକପ୍ଟର, ସମୁଦ୍ରରେ ପଇଁତରା ମାରୁଥାନ୍ତି ୧୫ଟି ଯୁଦ୍ଧ ଜାହାଜ। ଆଉ ପ୍ରାୟ ୩୫ଶହ ନୌବୀର ସାମିଲ ହୋଇଥିବା ନେଭି ଡେରେ ପ୍ରଦର୍ଶିତ ହୋଇଥିଲା ହେଲୋ ଲ୍ୟାଣ୍ଡିଂ ଡେମୋ, ଆଞ୍ଜେଲ୍ ଡେମୋ, ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ବା ସାର୍ ଡେମୋ ଭଳି ବିଭିନ୍ନ କୌଶଳ। INS ଜଲସା, ମିଜାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସରୟୁ, INS ଅରିହନ୍ତ, INS ସାତପୁରା ସହ, ପରାକ୍ରମ ଦେଖାଇଥିଲେ ହକ୍, ସି-କିଙ୍ଗ, ମିଗ୍-29 ଓ ଡ୍ରୋନିୟର ଭଳି ଏୟାରକ୍ରାଫ୍ଟ ଏବଂ ଚେତକ, MS-60 ହେଲିକପ୍ଟର। ନୌସେନା ଦିବସର ପରବର୍ତ୍ତୀ ପର୍ଯ୍ୟାୟରେ ଆସିଥିଲା ପରଂପରା ପ୍ରଦର୍ଶନର ବେଳ। ମନମୁଗ୍ଧ କରିଥିଲା ହର୍ଣ୍ଣ ପାଇପ୍ ଡାନ୍ସ।
ଏପଟେ ସଞ୍ଜ ନଇଁ ଆସୁଥାଏ, ସମୁଦ୍ର ଭିତରୁ ଅନ୍ଧାର ମାଡ଼ି ଆସୁଥାଏ । ହେଲେ ମନରେ ବଢ଼ି ଚାଲିଥାଏ ଉତ୍ସାହ ଓ ଉତ୍ସୁକତା। ଅଚାନକ ଅଗ୍ନିବର୍ଷାରେ ଝଲସି ଉଠିଲା ଆକାଶ। MH-60 R ଏକ ମଲ୍ଟି-ରୋଲ୍ ହେଲିକପ୍ଟର ଦେଖାଇଥିଲା ଫ୍ଲେୟାର ଫାୟାରିଂ ଦକ୍ଷତା । ଏହାପରେ ମିଗ୍ 29K, ଆଣ୍ଟି ସବମରିନ୍ ରକେଟ୍ ଫାୟାରିଂ ଏବଂ ଶେଷରେ ସମସ୍ତ ବିମାନର ମିଳିତ ଭାବେ କମ୍ପୋଜିଟ୍ ଫ୍ଲାଏପାଷ୍ଟ୍ ଦେଖିବାକୁ ମିଳିଥିଲା ପୁରୀ ଆକାଶରେ। ଶେଷରେ ବିଟିଂ ରିଟ୍ରିଟ୍, ଧ୍ବଜାବତରଣ ଓ ସେରିମନିଆଲ୍ ସନସେଟ୍ ସହ ଆଜି ମହୋଦଧିରେ ଅସ୍ତ ଯାଇଥିଲା ରକ୍ତିମ ସୂର୍ଯ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)