/odishatv-khabar/media/post_attachments/uploadimage/library/16_9/16_9_0/holi_1742054931.jpg)
holi
ରଙ୍ଗର ପର୍ବ ହୋଲିରେ ରଙ୍ଗେଇ ହୋଇଛି ରାଜନୀତି। କିନ୍ତୁ ୩ ପ୍ରମୁଖ ରାଜନୈତିକ ଦଳ ଓ ନେତାଙ୍କ ହୋଲି ପାଳନର ଦୃଶ୍ୟପଟ୍ଟରୁ ବାରି ହେଉଥିଲା ୨୪ ନିର୍ବାଚନର ଜବରଦସ୍ତ ଇଫେକ୍ଟ। କାରଣ ବିଜେପି ଶିବିର ଉତ୍ସାହିତ ଥିଲା, ନୂଆ ମଙ୍ଗୁଆଳ ଆସିବା ପରେ ଚଳଚଞ୍ଚଳ ଥିଲା କଂଗ୍ରେସ କ୍ୟାମ୍ପ। ହେଲେ ଖୁସି ମଉଜର ପର୍ବ ଭିତରେ ଖାଁ ଖାଁ ଥିଲା ଶଙ୍ଖ ଶିବିର। ତଥାପି ବାସଭବନରେ ନିଜ ନିଜ ସମର୍ଥକଙ୍କ ସହ ହୋଲି ଖେଳି ଥିଲେ ନେତା।
ବିଜେପି ଅଫିସରେ ଘୋ, ଘା, କଂଗ୍ରେସ କ୍ୟାମ୍ପ ଚଳଚଞ୍ଚଳ,ଶଙ୍ଖ ଶିବିର ଶୂନଶାନ୍, ରଙ୍ଗର ପର୍ବ ହୋଲିରେ ୩ ପ୍ରମୁଖ ରାଜନୈତିକ ଦଳର ଶିବିରର ଏ ଥିଲା ଆଜିର ଚିତ୍ର। ଦୃଶ୍ୟ ବୟାନ କରୁଥିଲା ୨୪ ନିର୍ବାଚନ ପରର ଜବରଦସ୍ତ ପ୍ରଭାବ। ବିଜେଡି ଶାସନର ପତ୍ତା କାଟିଥିବା ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଧୂମ୍ ଧଡ଼ାକା ଭାବେ ପାଳନ କରିଛି ହୋଲି। ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଲି ବନ୍ଧୁ ମିଳନରେ ନେତାଙ୍କଠୁ କର୍ମୀ ସମସ୍ତେ ଏକାଠି ହୋଇ ନାଚଗୀତ କରିଥିଲେ, ତାସହ ଜମିଥିଲା ଖିଆପିଆର ଆସର।
ଅଧିକ ପଢ଼ନ୍ତୁ: ରାଜନୀତିକୁ ଆସିଲା କେମିତି, କିଏ ପ୍ରଥମ ରାଜନୈତିକ ଗୁରୁ, ବବି ପାଣ୍ଡିଆନ୍ ଚିହ୍ନା ହେଲେ କେମିତି
କଂଗ୍ରେସ କ୍ୟାମ୍ପରେ ହୋଲି ଉତ୍ସାହ ବି କିଛି କମ୍ ନଥିଲା। ରଂଗର ପର୍ବକୁ ଏଠି ଏକାଠି ପାଳିଛନ୍ତି ଯୁବ ଓ ପୁରୁଖା ନେତା। ରସଗୋଲା ଓ ଦହି ବରା ଖାଇ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିଲେ।...ହେଲେ ପ୍ରାୟ ଅଢ଼େଇ ଦଶନ୍ଧି ଯାଏଁ ଶାସନର ମଙ୍ଗ ଧରି ୨୪ ନିର୍ବାଚନରେ ନିରାଶ ହୋଇଥିବା ଶଙ୍ଖ ଶିବିର କିନ୍ତୁ ଥିଲା ଖାଁ ଖାଁ। ନା ନେତା ନା କର୍ମୀ, ନା ଶୁଭେଛୁ ନା ସମର୍ଥକ। କାହାର ଦର୍ଶନ ମିଳିନଥିଲା ଶଙ୍ଖ ଭବନରେ। କେବଳ ନେତାଙ୍କ ନିଜ ନିଜ ବାସଭବନରେ ସମର୍ଥକଙ୍କ ମଧ୍ୟରେ ସୀମିତ ରହିଥିଲା ହୋଲି ପାଳନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିବା ପୋଲିସ ଡିଜି ଏବଂ ପୋଲିସ ଅଧିକାରୀଙ୍କ ସହ ଏଭଳି ହୋଲି ପାଳନ କରିଥିଲେ। ସେହିପରି ପାରାଦୀପରେ ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ, ଧାମନଗରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ ସମର୍ଥକଙ୍କ ସହ ହୋଲି ସେଲିବ୍ରେସନ କରିଥିଲେ। ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ଜୟପୁରରେ। ରାଜନୈତିକ ମତ ମନାନ୍ତରକୁ ଭୁଲି ଏଠି ଏକାଠି ହୋଇଥିଲେ ପଲିଟିକାଲ୍ ମୈଦାନର ୩ ପ୍ରମୁଖ ପ୍ରତିନ୍ଦ୍ବନ୍ଦୀ। ପୂର୍ବରୁ ଅଲଗା ଅଲଗା ଟେଣ୍ଟ ବାନ୍ଧି ହୋଲି ଖେଳୁଥିବା ୩ ଦଳ ମଧ୍ୟରୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନିକଟକୁ ଯାଇ ଶୁଭେଚ୍ଛା ଜଣେଇଥିଲେ। ଏହାପରେ ବିଜେଡି ଟେଣ୍ଟକୁ ଯାଇ ବିଜେଡ଼ି ନେତା ରବି ନନ୍ଦଙ୍କୁ ଶୁଭେଛା ସହ ଆଲିଙ୍ଗନ କରିଥିଲେ ତାରା। ସେଠାରୁ ସିଧା ଜିଲ୍ଲା କଂଗ୍ରେସ ଭବନକୁ ଯାଇ କର୍ମୀଙ୍କ ସହ ପାଳିଥିଲେ ହୋଲି।
ସେପଟେ ପୁରୀରେ ବଲିଉଡର ଡ୍ରିମଗାର୍ଲ ତଥା ମଥୁରା ସାଂସଦ ହେମାମାଳିନୀଙ୍କ ସହ ନଜର ଆସିଥିଲେ ସାଂସଦ ସମ୍ବିତ ପାତ୍ର। ଯେଉଁଠି ମହିଳାଙ୍କ ସହ ରଙ୍ଗ ଖେଳିଥିଲେ ଉଭୟେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)