• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେବତା ଏକ, ସ୍ୱରୂପ ଅନେକ । କେଉଁଠି ଗଛ, କେଉଁଠି ମୂର୍ତ୍ତି ତ ଆଉ କେଉଁଠି ଫଟୋ । ପବିତ୍ର ଗଣେଶ ଚତୁର୍ଥୀରେ ଆଜି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ବକୁଲ ପାଠାଗାର ପକ୍ଷରୁ ପୂଜା ପାଇଛନ୍ତି ବୃକ୍ଷ ଗଣେଶ । ଗଣେଶଙ୍କ ପ୍ରତିଟି ଅଙ୍ଗ ଓ ସାଜସଜାରେ ଯୋଡ଼ି ହୋଇଛି ପ୍ରାକୃତିକ ସାମଗ୍ରୀ ।

ରାଜଧାନୀର ବରଗଡ଼ରେ ଏଥର ପୁରୁଣା ଟ୍ରେଣ୍ଡ୍ ବଦଳି ପୂଜା ପାଉଛନ୍ତି ମହାରାଷ୍ଟ୍ରର ଲାଲବାଗ ଆକୃତିର ଗଣେଶ । ମୂର୍ତ୍ତିର ଉଚ୍ଚତା ୫୫ ଫୁଟ ହୋଇଥିବା ବେଳେ ବାହନ ମୂଷିକର ଉଚ୍ଚତା ୧୦ ଫୁଟ । ଏଠାରେ ଏ ବର୍ଷ ଗଣେଶଙ୍କ ୧୦ କିଲୋ ଓଜନର ରୁପା ପାଦ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭଦ୍ରକର ବିଭିନ୍ନ ପୂଜା ମଣ୍ଡପରେ ଶୋଭା ପାଉଛନ୍ତି ଭିନ୍ନ ଭିନ୍ନ ବୟସର ଗଣେଶ । ଏଠି ପିଲା, ଟୋକା, ବୁଢା ଗଣେଶଙ୍କୁ ନେଇ ଉତ୍ସବ ମୁଖର ସାରା ସହର । କିଛି ସ୍ଥାନରେ ଆଖି ଝଲସା ତୋରଣ ସାଙ୍ଗକୁ ଚାନ୍ଦି ମେଢ ପୂଜାର ମାହୋଲକୁ ଅଧିକ ରଙ୍ଗୀନ କରିଛି । ସେପଟେ ଦକ୍ଷିଣ ରାଉରକେଲାର କୋଅପରେଟିଭ୍ ଲାଇନ୍ ପୂଜା ମଣ୍ଡପରେ ଅଗ୍ରପୂଜ୍ୟଙ୍କ ନିକଟରେ ଲାଗି ହୋଇଛି ୫୦ କେଜିର ଲଡୁ ଭୋଗ । ଯାହାକୁ ଦେଖିବାକୁ ଲାଗିଛି ଦର୍ଶକଙ୍କୁ ଭିଡ଼ ଜମୁଛି । ସେହିଭଳି ଜୟପୁର ଏମଜି ରୋଡ୍ ସ୍ଥିତ ଶ୍ରୀ ବାଲ ଗଣପତି ପୂଜା କମିଟି ଏବର୍ଷ ପ୍ଲାଟିନମ୍ ଜୁବୁଲି ପାଳନ କରୁଥିବାରୁ ଏହି ଅବସରରେ ପ୍ରସ୍ତୁତ ହୋଇଛି ୭୫ କେଜିର ଲଡୁ ।

ତାଳଚେରରେ ଆୟୋଜିତ ଗଣେଶ ପୂଜାରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ l ହାଟତୋଟା ପ୍ରଜାମଣ୍ଡଳ ଭବନ ଗଣେଶ ପୂଜା କମିଟି ଦ୍ବାରା ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ପୂଜା ମଣ୍ଡପରେ ଶୋଭା ପାଉଥିବା ଥିମରେ ସ୍ଥାନ ପାଇଛି ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ଯାହାକୁ ଶିଳ୍ପୀ ଅତି ନିଖୁଣ ଭାବରେ ଦର୍ଶକଙ୍କ ସାମ୍ନାକୁ ଆଣି ସେ ଘଟଣାକୁ ପୁଣି ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି । ସମାନ ଥିମରେ ପୂଜା ମଣ୍ଡପକୁ ସଜାଇଛନ୍ତି ଭୁବନେଶ୍ୱର ଗାଡକଣ ପୂଜା କମିଟି । ଏଠି ବି ବାହାନଗା ଟ୍ରେନ୍ ଦୁର୍ଘଟଣାର କରୁଣ ଦୃଶ୍ୟକୁ ଚିତ୍ର ମାଧ୍ୟମରେ ଜୀବନ୍ତ ହୋଇଛି ।

କଟକ ଖାନନଗର ତିରଙ୍ଗା କ୍ଲବ୍ ଏଥର ଗଣେଶ ପୂଜାରେ ଗୋଟିଏ ପାଦ ଆଗକୁ ଯାଇ ପୂଜା ପେଣ୍ଡାଲକୁ ଚନ୍ଦ୍ରୟାନ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି । ଏଠାରେ  ଗଣେଶଙ୍କ ଚାରିପଟେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ ବୁଲିବା ଢଙ୍ଗରେ ଏକ ଥିମ୍ ପ୍ରସ୍ତୁତ ହୋଇଛି । ସେହିଭଳି ତାଳଚେରରେ ଏକ ପୂଜା କମିଟି ପୂଜା ପେଣ୍ଡାଲରେ ଚନ୍ଦ୍ରୟାନକୁ ମହାକାଶ ନେଇଥିବା ଇସ୍ରୋର ବାହୁବଳି ରକେଟ୍ର ପ୍ରତିକୃତି କରି ଚର୍ଚ୍ଚାକୁ ଆସିଛନ୍ତି । ଏପଟେ ମହାନଦୀ ବିହାରରେ ଗଣେଷ ମୂର୍ତ୍ତିକୁ ରବରରେ ତିଆରି ସହ ପେଣ୍ଡାଲକୁ ଆଧାର କାର୍ଡ଼ ରୂପ ଦିଆଯାଇଛି ।