• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜମୁଛି କଟକ ର ଐତିହାସିକ ବାଲିଯାତ୍ରା । ପ୍ରତିଦିନ ଲୋକାରଣ୍ୟ ହୋଇଉଠୁଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ । ଘରକରଣା ସାମଗ୍ରୀ କିଣାକିଣି ସହ ମେଳାରେ ଲାଗିଥିବା ଫୁଡ୍ ଷ୍ଟଲରୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି । ଉଭୟ ନିରାମିଷ ଓ ଆମିଷ ଖାଦ୍ୟର ମେଳା ଲାଗିଥିବା ବେଳେ, ପତ୍ରପୋଡ଼ା ମାଂସ ଓ ବାମ୍ବୋ ଚିକେନର ବେଶ ଆଦର ରହିଛି ।

ସେପଟେ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଗୁଡି ଉଡାର ମଜା ନେଉଛନ୍ତି ଲୋକେ । କଟକ ଇନ୍ କଟକ କରିଡରରେ ଗୁଡ଼ି ଉଡ଼ାଇବାକୁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ପଡିଆରେ ବିଶ୍ୱର ସବୁଠାରୁ ବଡ ବାଲୁକା କଳା!

ମେଳାରେ ବୁଲାବୁଲି ସହ ଘରକରଣା ସାମଗ୍ରୀ କିଣାକିଣି ଓ ସୁସ୍ୱାଦୁ ଖାଦ୍ୟର ମଜା ବି ନେଉଛନ୍ତି ଲୋକେ । ଏଥର ବାଲିଯାତ୍ରାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ସମ୍ଭାର ଲାଗିଥିବା ବେଳେ, କିଛି ନୂଆ ପ୍ରକାରର ଆମିଷ ବ୍ୟଞ୍ଜନ ଷ୍ଟଲରେ ଲାଗୁଛି ଭିଡ଼ ।  ଆମିଷ ପ୍ରେମୀଙ୍କ ରୁଚିକୁ ନଜରରେ ରଖି ଶାଳପତ୍ର ଚିକେନ୍, ମଟନ, ଚିଙ୍ଗୁଡ଼ି ଓ ଚୁନାମାଛ ଭଳି ଆଇଟମ୍ ପ୍ରସ୍ତୁତ କରାଯାଉଛି । ସେହିଭଳି ବାମ୍ବୋ ଚିକେନ୍-ମଟନ ଓ ମୁଢିମାଂସର ବି ରହିଛି ହେଭି ଡିମାଣ୍ଡ ।

ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିଛି କେରଳରୁ ଆସିଥିବା ରଙ୍ଗବେରଙ୍ଗର ଗୁଡ଼ି । କଟକ ଇନ୍ କଟକ କରିଡରରେ ଗୁଡି ଉଡ଼ାଇବାକୁ ପ୍ରଶାସନ ବ୍ୟବସ୍ଥା କରିଥିବା ବେଳେ, କେରଳର କାଇଟ ଲାଇଫ୍ ଫାଉଣ୍ଡେସନ୍ ଏହାର ଆୟୋଜନ କରିଛି । ଅନୁଷ୍ଠାନ ପକ୍ଷରୁ ୨୫ ପ୍ରକାର ଗୁଡି ଅଣାଯାଇଥିବା ବେଳେ, ଗୁଡି ଗୁଡିକର ଲମ୍ବ ୧୦ରୁ ୨୫ ଫୁଟ ମଧ୍ୟରେ ରହିଛି । ଡାଫେଟା ନାଇଲନ୍ କପଡ଼ାରେ ପ୍ରସ୍ତୁତ ଏହି ଗୁଡି ମାନଙ୍କରେ ଭାରତର ଐତିହ୍ୟ ପରମ୍ପରା ଓ ସଂସ୍କୃତିର ପ୍ରତିଛବି ରହିଛି । ପିଲାଠୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇ ଗୁଡ଼ି ଉଡାର ମଜା ନେଉଛନ୍ତି ।

ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ଦେଢ ହଜାର ଷ୍ଟଲ୍ ଲାଗିଛି । କିଣାକିଣି ସହ ମନୋରଂଜନର ମଜା ନେବାକୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ ।

(ରିପୋର୍ଟ- କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟ ଓ ପ୍ରଭାତ ବିଷୋୟୀ)