• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୂତାକରେ ବଡ଼ ବିପଦରୁ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍ । ଛୁରୀ ଆଉ ୨ ମିଲିମିଟର ଗଭୀରକୁ ଯାଇଥିଲେ, ହୋଇଥାନ୍ତା ସାଂଘାତିକ ସ୍ଥିତି। ସୈଫଙ୍କ ମେରୁଦଣ୍ଡରେ ଛୁରା ମାଡ଼ ହୋଇଥିବା ବେଳେ, ଏହା ସ୍ପାଇନାଲ୍ କର୍ଡ ଠାରୁ ଆଉ ମାତ୍ର ୨ ମିଲିମିଟର ଦୂରରେ ଥିଲା ବୋଲି କହିଛନ୍ତି ଡାକ୍ତର । ଲୀଳାବତି ହସ୍ପିଟାଲ ପକ୍ଷରୁ ପ୍ରେସମିଟରେ ଡାକ୍ତର ସୈଫଙ୍କୁ ଭାଗ୍ୟବାନ ବୋଲି କହିବା ସହିତ ସୂଚନା ଦେଇଛନ୍ତି ଯେ, ଛୁରୀ ଆଉ ୨ ମିଲିମିଟର ଗଭୀରକୁ ଯାଇଥିଲେ ତାହା ସୁଷମ୍ନାକାଣ୍ଡକୁ କ୍ଷତି କରିଥାନ୍ତା । ତେବେ ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି। ସୈଫଙ୍କୁ ଆଇସିୟୁରୁ ସ୍ପେଶାଲ ରୁମକୁ ସ୍ଥାନାନ୍ତର କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ ଚାଲିପାରିବେ । ତାଙ୍କର ଚଳପ୍ରଚଳ କରିବାରେ କୌଣସି ସମସ୍ୟା ହେବନି ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତର। ତେବେ ପ୍ରାୟ ସପ୍ତାହେ ପାଇଁ ତାଙ୍କୁ ବିଶ୍ରାମ ନେବାକୁ ପଡ଼ିବ ଏବଂ ଅଧିକ ଚଳପ୍ରଚଳ କରିବାକୁ ବାରଣ କରାଯାଇଛି । ସେପଟେ କିଛି ସମୟ ତଳେ ହସ୍ପିଟାଲରେ ପହଞ୍ଚିଛନ୍ତି ସୈଫଙ୍କ ମାଆ ଶର୍ମିଲା ଟାଗୋର୍।

ସୂଚନା ଅନୁସାରେ ମୁମ୍ବାଇ ବାନ୍ଦ୍ରାରେ ଥିବା ଆପାର୍ଟମେଣ୍ଟ ଭିତରେ ପଶି ସୈଫ ଅଲ୍ଲୀ ଖାନ୍‌ଙ୍କୁ ୬ ଥର ଛୁରି ଭୁଶି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ଏହି ଛୁରାମାଡ଼ ଫଳରେ ସୈଫଙ୍କ ହାତରେ ୨ଟି ଓ ବେକରେ ଗୋଟିଏ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଇଥିଲା । ଏବେ ସେ ବିପଦ ମୁକ୍ତ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ସେପଟେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ୍‌ । ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରାରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ବାନ୍ଦ୍ରା ପୋଲିସ ଏହି ମାମଲାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ସୈଫଙ୍କ ଉପରେ ଆକ୍ରମଣର ତଦନ୍ତ ପାଇଁ ୧୦ ଜଣିଆ ଟିମ୍ ଗଠନ କରିଥିଲା ମୁମ୍ବାଇ ପୋଲିସ । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଆକ୍ରମଣକାରୀ ଜଣେ ହିଁ ଥିଲା । ମୁମ୍ବାଇ ଜୋନ୍-୯ ଡିସିପି ଦିକ୍ଷୀତ ଗେଦାମ୍ କହିଥିଲେ, ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ଥିବା ସିଡି ଦେଇ ସୈଫଙ୍କ ଘରେ ପଶିଥିଲା ଦୁର୍ବୃତ୍ତ । ଷଷ୍ଠ ମହଲାରେ ଥିବା ସିସିଟିଭିରୁ ଚିହ୍ନଟ ହୋଇଛି ଅଭିଯୁକ୍ତ । ଚୋରି ଉଦ୍ଦେଶ୍ୟରେ ଆକ୍ରମଣକାରୀ ଘରେ ପଶିଥିବା ଅନୁମାନ କରାଯାଉଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ। ସୈଫ ଅଲ୍ଲୀ ଖାନଙ୍କ ଘରୋଇ ସହାୟିକାଙ୍କୁ ପୋଲିସ ପଚରାଉଚରା ସହ ବୟାନ ରେକର୍ଡ କରିଥିଲା । କ୍ରାଇମ ସ୍ପଷ୍ଟରେ ପହଞ୍ଚି ମୁମ୍ବାଇ ପୋଲିସ୍‌ ତନାଘନା କରିଥିଲା ।

ଅନ୍ୟପକ୍ଷରେ ସୈଫଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅନେକ ପ୍ରଶ୍ନବାଚୀ ଠିଆ କରିଛି । ହାଇ ସିକ୍ୟୁରିଟି ସୋସାଇଟିରେ ଥିବା ଆପାର୍ଟମେଣ୍ଟରେ କେମିତି ପ୍ରବେଶ କଲା ଦୁର୍ବୃତ୍ତ ? ତାକୁ କେହି ଦେଖି ପାରିଲେନି କେମିତି ? ସୈଫଙ୍କ କୌଣସି ଘରୋଇ ସହାୟିକା କିମ୍ବା ଅନ୍ୟ କାହାକୁ ଜାଣିଥିଲା କି ? ଯିଏ ଘରର ନକସା ବାବଦରେ ସୂଚନା ଦେଇଥିଲେ ? ସିଡି ଦେଇ ପ୍ରବେଶ କରିବାର କେବେ ରେକି କରିଥିଲା କି ଦୁର୍ବୃତ୍ତ ? କେବଳ ଚୋରି କରିବାକୁ ଆସିଥିଲା ନା ଏହା ପଛରେ ଆଉ କିଛି ମୋଟିଭ୍ ରହିଛି ? ଏମିତି କିଛି ରାଜ୍ ଲୁଚି ନାହିଁ ତ ?

ସେପଟେ ସୈଫଙ୍କୁ ଛୁରାମାଡ଼ ପରେ ବଲିଉଡ ଷ୍ଟାରଙ୍କ ପାଇଁ ବାନ୍ଦ୍ରା ସେଫ୍ ଜୋନ୍ ନୁହେଁ ବୋଲି ପ୍ରଶ୍ନ ଉଠିଲାଣି। ପୂର୍ବରୁ ଗତବର୍ଷ ସେହି ଅଞ୍ଚଳରେ ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ଼ କରିଥିଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସୁଟର । ସେହିପରି ଗତବର୍ଷ ଅକ୍ଟୋବରରେ ବାନ୍ଦ୍ରାରେ ସଲମାନଙ୍କ ଘନିଷ୍ଠ ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ବାନ୍ଦ୍ରାରେ ଗୁଳି କରି ହତ୍ୟା କରିଥିଲା ବିଷ୍ଣୋୟୀ ଗ୍ୟାଙ୍ଗ । ଏବେ ସୈଫଙ୍କ ଘରେ ଆତଙ୍କରାଜ ସାରା ବଲିଉଡକୁ ସ୍ତବ୍ଧ କରି ଦେଇଛି।

ଅଧିକ ପଢ଼ନ୍ତୁ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

OTV is now on Whatsapp

Join and get latest news update delivered to you via whatsapp

Join Now