• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାତ୍ରା ହେବ, କିନ୍ତୁ ଦେଖିବାକୁ ମିଳିବନି ଜଲ୍ଓ୍ୱା । ପରିବେଷଣ ହେବନି ମସଲାଦାର୍ ନୃତ୍ୟଗୀତ । ଅଶ୍ଳୀଳ ନୃତ୍ୟ ଉପରେ ବିଏମ୍‌ସି ର କଟକଣା । ମାଘ ସପ୍ତମୀଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା ଏବଂ ଯାତ୍ରା । ଦୁଇ ବର୍ଷ ବ୍ୟବଧାନରେ ଯାତ୍ରା ହେଉଥିବାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି ଆୟୋଜକ କମିଟି । ତେବେ ମେଳା ଆରମ୍ଭ ହେବା ପୂର୍ବରୁ ଦେଖାଦେଇଛି ବିବାଦ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ କଟକଣା କଡ଼ା ହେବା ପରେ କଳାକାର ମହଲରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ପ୍ରଶାସନ ପକ୍ଷପାତ କରୁଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ।

ହକି ବିଶ୍ୱକପ୍ ଉଦ୍‌ଘାଟନୀ ସମାରୋହରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଡ୍ୟାନ୍ସ କରିବା ଲାଗି ସୁଯୋଗ ଦିଆଗଲା, ତାହେଲେ ଓଡ଼ିଶା ର କଳାକାରଙ୍କୁ କଣ ପାଇଁ ନା ବୋଲି ପ୍ରଶ୍ନ କରିଛନ୍ତି ରାଣୀ । ସେ ଆହୁରି ମଧ୍ୟ କହିଛନ୍ତି ଅନେକ କଳାକାର ଅଛନ୍ତି ଯେଉଁମାନେ ନୃତ୍ୟ ମାଧ୍ୟମରେ ପରିବାର ପ୍ରତିପୋଷଣ କରନ୍ତି । ସେମାନଙ୍କ ପେଟରେ ଲାତ ନମାରିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ କେବଳ ଖଣ୍ଡଗିରି ମେଳାରେ ନୁହେଁ ବରଂ ରାଜ୍ୟରେ ବିଭିନ୍ନ ସ୍ଥାନରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ଅପିଲ୍ କରିଛନ୍ତି ଜଣାଶୁଣା ଯାତ୍ରା କଳାକାର ବାପି ପଣ୍ଡା ।

ଗତ ଦୁଇ ବର୍ଷ ମହାମାରୀ ପାଇଁ ଯାତ୍ରା ସଂପୂର୍ଣ୍ଣ ବନ୍ଦ ପରେ ଚଳିତବର୍ଷ ଖଣ୍ଡଗିରି ମେଳାରେ ଯାତ୍ରାକୁ ମିଳିଛି ଅନୁମତି । ଯାତ୍ରାକୁ ବ୍ୟବସ୍ଥିତ କରିବାକୁ ମେଳା ଏବଂ ଯାତ୍ରା ପାଇଁ ବିଏମ୍‌ସି ଆଣିଛି ସ୍ୱତନ୍ତ୍ର ଗାଇଡ ଲାଇନ୍ । ଯାତ୍ରାରେ କୌଣସି ଧର୍ମୀୟ ଭାବନା କିମ୍ବା ସମାଜ ଉପରେ କୁ ପ୍ରଭାବ ପକାଉଥିବା ନୃତ୍ୟ ଓ ନାଟକ ପରିବେଷଣ ନକରିବାକୁ ସିଧା ମନା କରିଛି ବିଏମ୍‌ସି । ଏନେଇ ଯାତ୍ରା କମିଟି ଏକ ନିର୍ଭର ପ୍ରତିଶ୍ରୁତି ଲିଖିତ ଆକାରରେ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ପର୍ବରୁ ଖଣ୍ଡଗିରି ମେଳାରେ ଅଭିନେତ୍ରୀ ରାଣୀ ପଣ୍ଡା ଆପତ୍ତିଜନକ ନୃତ୍ୟ ପ୍ରଦର୍ଶନ କରି ବିବାଦକୁ ଆସିଥିଲେ । ସେହିପରି କିଛି ମାସ ତଳେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଯାତ୍ରା ମଂଚରେ ଆଇଟମ୍ ନମ୍ବର କରୁଥିବା ବେଳେ ଜଣେ ମହିଳା ଦର୍ଶକ ତାଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ। ତେଣୁ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟକୁ ରୋକିବାକୁ ଯାତ୍ରା ପାର୍ଟି ମାଲିକ ଓ ଆୟୋଜକ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ନଜର୍ ।