/odishatv-khabar/media/post_attachments/uploadimage/library/16_9/16_9_0/s_1673490774.jpg)
Opening Ceremony Held At Cuttack Barabati Stadium
ଝଲସିଲା ବାରବାଟୀ, ଝୁମିଲେ ଦର୍ଶକ। ପୁରୁଷ ହକି ବିଶ୍ୱକପ୍ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଏହି ହକି ମହାକୁମ୍ଭର ଶୁଭାରମ୍ଭ ହୋଇଥିଲା। ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଏହି ଆୟୋଜନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ନବୀନ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ଯେତେ ବିଶ୍ୱକପ୍ ଆୟୋଜନ ହୋଇଛି, ଓଡ଼ିଶା ରେ ସବୁଠୁ ଭବ୍ୟ। ତେବେ ଗ୍ୟାଲେରିରେ ସମାରୋହର ମଜା ନେଉଥିବା ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲା ବଲିଉଡ୍ ଓ ଓଲିଉଡ୍ ଷ୍ଟାର୍ଙ୍କ ମ୍ୟୁଜିକ୍ ଓ ଡ୍ୟାନ୍ସ ଶୋ’। ଏହି ଗ୍ରାଣ୍ଡ୍ ସେଲିବ୍ରେସନ୍ରେ ଜଲ୍ଓ୍ୱା ଦେଖାଇଥିଲେ ବଲିଉଡ୍ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନୀ।
ଉଭୟ ରଣବୀର ଏବଂ ଦିଶା ବଲିଉଡ ଗୀତରେ ଡ୍ୟାନ୍ସର ଜଲ୍ୱା ଦେଖାଇ ଥିବାବେଳେ, ଝୁମିଥିଲେ ବାରବାଟୀରେ ଉପସ୍ଥିତ ଦର୍ଶକ ଓ ଅତିଥି। ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ପର୍ଫର୍ମ କରିଥିଲେ। କେ ପପ୍ ବ୍ୟାଣ୍ଡ୍, ବ୍ଲାକ୍ ସ୍ୱାନ୍ ଗ୍ରୁପ୍ ମଧ୍ୟ ସେମାନଙ୍କ ଗୀତ ପରିବେଷଣ କରିଥିଲେ। ଏହି ସେଲିବ୍ରସନର ମଜା ଉଠାଇବାକୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଖଚାଖଚ୍ ଭିଡ଼।
ବିଶ୍ୱକପ୍ ହକିର ଗ୍ରାଣ୍ଡ୍ ସେଲିବ୍ରେସନ ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବାବେଳେ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର୍ ବିଗ୍ ଡିଲ୍, ଋତୁରାଜ ମହାନ୍ତି ଏବଂ ଓଲିଉଡ୍ର ଷ୍ଟାର୍ କପଲ୍ ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ। ଏଲିନା ସାମନ୍ତରାୟ ଏବଂ ଅନନ୍ୟା ନନ୍ଦ ମଧ୍ୟ ନିଜ ନିଜର ସଙ୍ଗୀତ ପରିବେଷଣ କରିଥିଲେ। ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲା ରେ ୩ ସପ୍ତାହ ଧରି ଚାଲିବାକୁ ଥିବା ବେଳେ, ଆସନ୍ତା କାଲିଠୁ ପଡ଼ିଆରେ ଆରମ୍ଭ ହେବ ମୁକାବିଲା। ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)