• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆଜିଠୁ ସକାଳୁଆ ସ୍କୁଲ । ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ ହୋଇ ୧୦ଟା ୩୦ରେ ସରିବ । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍‌ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଗତକାଲି ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । 

ଏଠାରେ ଉଲ୍ଲେଖଯୋଗ୍ୟ, ବୁଧବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଥିଲେ, ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ । ହେଲେ ମାର୍ଚ୍ଚ ୨୧ ଅର୍ଥାତ୍ ଆଜିଠୁ ରାଜ୍ୟରେ ତତ୍‌କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ସୂଚନା ଜାରି ହୋଇଛି । ଏନେଇ ବିଭାଗୀୟ ସଚିବ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।

ଅଧିକ ପଢ଼ନ୍ତୁକେତେ ସୁରକ୍ଷିତ ବସ୍‌ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ?

ଏପଟେ ଖରା ପାଇଁ କଲେଜରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଗାଇଡଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । କଲେଜ କର୍ତ୍ତୃପକ୍ଷ କ୍ଲାସ୍ ଏବଂ ପରୀକ୍ଷା ସକାଳୁଆ କରିପାରିବେ ବୋଲି ଗାଇଡଲାଇନରେ କୁହାଯାଇଛି । ସେହିପରି ଖରା ସମୟରେ ଆଉଟଡୋର ଆକ୍ଟିଭିଟି ନକରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ କଲେଜରେ ପାନୀୟ ଜଳ ସୁବିଧା ଏବଂ ଓଆରଏସ୍ ଗଚ୍ଛିତ ରଖିବା ଏବଂ ଟିଉବ ୱେଲ୍ ଏବଂ ପମ୍ପକୁ ମରାମତି କରିବାକୁ କୁହାଯାଇଛି । ସମସ୍ତ ପରୀକ୍ଷା ସେଣ୍ଟରରେ ଫାଷ୍ଟଏଡ୍ ବ୍ୟବସ୍ଥା ରଖିବାକୁ ହେବ। ସମସ୍ତ ନିର୍ଦ୍ଦେଶକୁ ଠିକ୍ ଭାବେ ପାଳନ ହେଉଛି ନା ନାହିଁ ଏକ ସ୍କ୍ବାଡ୍ ଏହାର ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାରଠାରୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ୯ଟା ଯାଏଁ କରିବା ପାଇଁ  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଆବଶ୍ୟକସ୍ଥଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଜ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛୁଟି କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା ।


ଏବେ ରାଜ୍ୟରେ ରେକର୍ଡ ଭାଙ୍ଗୁଛି ପାରଦ । ବିଶେଷକରି ହିଟୱେଭର ହଟସ୍ପଟ୍ ପାଲଟିଛି ବୌଦ୍ଧ । ମାର୍ଚ୍ଚ ପହିଲାରୁ ଉପରମୁହାଁ ପାରଦ ଟ୍ରେଣ୍ଡରେ ପ୍ରାୟଦିନ ଶୀର୍ଷରେ ରହୁଛି ବୌଦ୍ଧ ସହର । ମାର୍ଚ୍ଚ ୧୨ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା ବୌଦ୍ଧରେ । ଏହାର ୩ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୫ରେ ୪୨.୫, ୧୬ ତାରିଖରେ ୪୩.୬ ଏବଂ ୧୭ ତାରିଖରେ ୪୩.୫ ଡିଗ୍ରୀ ସହ ଦେଶରେ ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଓଡ଼ିଶା ମଧ୍ୟଭାଗରେ ଅବସ୍ଥିତ ଏହି ସହର । ତାତି ବଢୁଥିବା ସହର ତାଲିକାରେ ଝାରସୁଗୁଡ଼ା ଓ ବରଗଡ଼ ଥିଲେ ବି ବୌଦ୍ଧ କିନ୍ତୁ ରେକର୍ଡ ପରେ ରେକର୍ଡ କରିଚାଲିଛି ।

ଅଧିକ ପଢ଼ନ୍ତୁସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...