ରାଜ୍ୟରେ ବିଶ୍ବବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ମରୁଡି। ଖାଲି ପଡିଛି ୬୦ ପ୍ରତିଶତରୁ ଅଧିକ ପଦବୀ। ଅଣଶିକ୍ଷକ ପଦବୀ ବି ତିନି ଗୁଣା ଫାଙ୍କା। ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏଭଳି ତଥ୍ୟକୁ ନେଇ ବଢିଛି ଉଦବେଗ। ଆଇନଗତ ବିବାଦ ଯୋଗୁଁ ୫ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିବା ଦର୍ଶାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ତେବେ ପ୍ରଶ୍ନ ଉଠୁଛି, ଅଧ୍ୟାପକଙ୍କ ଏତେ ଅଭାବ ଭିତରେ କେମିତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିହେବ।
Also Read
ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡି, ଅଧାରୁ ଅଧିକ ୟୁନିଭରସିଟିରେ ନାହାନ୍ତି କୁଳପତି, କର୍ମଚାରୀ ପଦ ଫାଙ୍କା। ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ଅଧ୍ୟାପକଙ୍କ ସଂଖ୍ୟା ୨ ହଜାର ୨୭। ସେଥିରୁ କାର୍ଯ୍ୟରତ ଅଛନ୍ତି ମାତ୍ର ୬୭୪ ଜଣ ଅଧ୍ୟାପକ। ଫାଙ୍କା ପଡିଛି ୧୩ ଶହ ୫୩ ପଦବି। ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବି ଖାଲି। ସେହିପରି ୟୁନିଭରସିଟିର ବିଭିନ୍ନ ବିଭାଗରେ ମୋଟ ୨ ହଜାର ୮୭୯ ଅଣଶିକ୍ଷକ ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୭୯୮।
ଅଧିକ ପଢ଼ନ୍ତୁ: ସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...
ବାକି ୨ ହଜାର ୮୧ଟି ପଦବି ଖାଲି ପଡିଛି। ଏଠି ଫାଙ୍କା ରହିଛି ତିନିଗୁଣା ପଦବି। ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏଭଳି ତଥ୍ୟକୁ ନେଇ ବଢିଛି ଉଦବେଗ। ରାଜ୍ୟରେ ପାଖାପାଖି ୫ ବର୍ଷ ହେଲା ବନ୍ଦ ରହିଛି ଅଧ୍ୟାପକ ନିଯୁକ୍ତି। ଖାଲି ପଡିଛି ହଜାର ହଜାର ଅଧ୍ୟାପକ ପଦବି। ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଆଇନଗତ ବିବାଦ ଯୋଗୁ ପଦବି ପୂରଣ ହୋଇପାରିନି। ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧିନ ରହିଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୪ ବିଧାନସଭାରେ ଉପସ୍ଥାପିତ ହୋଇଛି। ସେପଟେ ଫକୀର ମୋହନ ୟୁନିଭରସିଟିର କୁଳପତି କହିଛନ୍ତି, ୨୦୨୦ରୁ ଅଧ୍ୟାପକ ପଦବି ପୂରଣ ହୋଇପାରୁନି। ଫଳରେ ନାକ୍ ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ ବା NIRFରେ ଉତ୍ତରଦାୟୀ ହେବାକୁ ପଡୁଛି। ଏପରିକି ରାଜ୍ୟର ୧୭ ବିଶ୍ବବିଦ୍ୟାଳୟ ମଧ୍ୟରୁ ୮ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ଥିବା ବେଳେ ୯ଟି ଫାଙ୍କା ପଡିଛି।
ବିଶ୍ବବିଦ୍ୟାଳୟ ପାଇଁ UGC ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିଥାଏ। ସେହି ଅନୁସାରେ ହୋଇଥାଏ ଅଧ୍ୟାପକ ନିଯୁକ୍ତି। ପୂର୍ବ ବିଜେଡି ସରକାର କିନ୍ତୁ ୨୦୨୦ରେ ଯେଉଁ ବିଲ୍ ଆଣିଥିଲେ ସେଥିରେ ନିଯୁକ୍ତି ପ୍ରକ୍ରିୟା OPSCକୁ ଦେଇଥିଲେ। ଯାହା UGC ଗାଇଡଲାଇନର ଉଲ୍ଲଂଘନ ବୋଲି କହି କିଛି ଅଧ୍ୟାପକ ଓ ଶିକ୍ଷାବିତ ଆଇନର ଆଶ୍ରୟ ନେଇଥିଲେ। UGC ମଧ୍ୟ ଏହାକୁ ବିରୋଧ କରିବାରୁ ବନ୍ଦ ହୋଇଥିଲା ନିଯୁକ୍ତି ପ୍ରକ୍ରିୟା। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। କେବଳ ବିଶ୍ବବିଦ୍ୟାଳୟ ନୁହେଁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ରାଜ୍ୟର ୬୬ଟି ସରକାରୀ ଡିଗ୍ରୀ କଲେଜରେ ବି ସମାନ ଅବସ୍ଥା। ୨୪ ଶହ ୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବିରୁ ଖାଲି ପଡିଛି ୪୩୬ ପଦବି। ୧୭ ଶହ ୧୧ଟି ଅଣଶିକ୍ଷକ ମଞ୍ଜୁରୀପ୍ରାପ୍ତ ପଦବୀରୁ ୭୩୧ଟି ପଦବି ଫାଙ୍କା। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ କେମିତି ଗୁଣାତ୍ମକ ଶିକ୍ଷା ଲାଭ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ।