/odishatv-khabar/media/post_attachments/uploadimage/library/16_9/16_9_0/Murder_1742045134.jpg)
Murder
ରଙ୍ଗର ପର୍ବରେ ରକ୍ତର ଖେଳ । ବୁଲିଲା ଖଣ୍ଡା, ପୁଣି ଗଡିଲା ଦୁଇଟା ମୁଣ୍ଡ । ଦୁଇ ଜଣଙ୍କୁ ଛୁରୀ ଭୁସି ରକ୍ତର ହୋଲି ଖେଳିଲେ ଦୁର୍ବୃତ୍ତ । ଆଜି ରାଜଧାନୀ ଭୁବନେଶ୍ୱରରେ ୨ ଜଣଙ୍କୁ ହତ୍ୟା ଘଟଣା ପରେ ଏବେ ସମ୍ବଲପୁର ଓ ବ୍ରହ୍ମପୁରରୁ ମଧ୍ୟ ୨ଟି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ସମ୍ବଲପୁର ସାହୁ କଲୋନୀରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ବ୍ରହ୍ମପୁରରେ ମଧ୍ୟ ଛୁରାମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ, ଗଡ଼ିଲା ୨ ମୁଣ୍ଡ
ହୋଲି ଖେଳ ଭିତରେ ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ଆଦିତ୍ୟ ସାଲମା । ସେ ଘରେ ଶୋଇଥିବାବେଳେ ଜଣେ ପରିଚିତ ଯୁବକ ତାଙ୍କୁ ଘରୁ ଡାକି ନେଇ ଛୁରୀ ଭୁସି ହତ୍ୟା କରିଛି । ଅଭିଯୁକ୍ତର ନାମ ସାହୁଲ ସିଂ । ପୋଲିସ ତାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
ଅନ୍ୟପଟେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଅନୁରୂପ ହତ୍ୟାକାଣ୍ଡ ଘଟିଛି । ଛୁରାମାଡ଼ରେ ଜଣେ ଠିକାଦାରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଟି.ରାମଚନ୍ଦ୍ର ପାତ୍ର ଏବଂ ସେ ଲାଞ୍ଜିପଲ୍ଲୀ ଚାଣକ୍ୟନଗରରେ ଠିକାଦାରୀ କରୁଥିଲେ । ହୋଲିରେ ମଦ ପିଇବାକୁ ନଦେବାରୁ ପପୁନ ନାମକ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଜଣେ ସାଙ୍ଗ ସହ ବସି କଥା ହେଉଥିଲେ । ଏତିକି ବେଳେ ସେଠାକୁ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ପପୁନକୁ କାବୁ କରି ନିର୍ଧୁମ ଛେଚିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)