• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଖିରେ ଥିଲା ଆଖିଏ ସ୍ୱପ୍ନ । କ୍ରିକେଟ୍‌କୁ ପ୍ରାଣ ଭରି ଭଲ ପାଇ ସୁନାମ ଅର୍ଜ୍ଜନର ଥିଲା ଝୁଙ୍କ । ହେଲେ ସେହି ସ୍ୱପ୍ନରେ ଡେଣା ଲାଗିବା ଆଗରୁ ନୀରବିଗଲେ ଯୁବ ମହିଳା କ୍ରିକେଟର୍ ରାଜଶ୍ରୀ ସ୍ୱାଇଁ । କଟକ ଗୁରୁଡ଼ିଝାଟିଆର ଅଗନାଅଗନି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ଯେଉଁ ମୃତ୍ୟୁକୁ ନେଇ ହୁଲୁସ୍ତୁଲ୍ କ୍ରିକେଟ୍ ଜଗତ । କାନ୍ଦବୋବାଳିରେ ଫାଟିପଡୁଛି ଜନ୍ମମାଟି ପୁରୀ ଜିଲ୍ଲା ଭୂଆଁ ଗାଁ । ସମସ୍ତେ ଯେତେବେଳେ ଶୋକଗ୍ରସ୍ତ, କିଏ ବା କାହାକୁ ଶାନ୍ତ୍ୱନା ଦେବେ ଏଇଠି । ଲୁହରେ ଭିଜୁଛି ଘର ଅଗଣାଠୁ ଗାଁ ଦାଣ୍ଡଯାଏଁ ।

୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ କଟକ ଆସିଥିଲେ ରାଜଶ୍ରୀ । କିନ୍ତୁ ଅତି ରହସ୍ୟଜନକ ଭାବେ ଗୁରୁଡ଼ିଝାଟିଆ ଜଙ୍ଗଲରୁ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ପରେ ମୃତଦେହ ମିଳିଥିବାବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜଶ୍ରୀଙ୍କ ବାପା । ରାଜଶ୍ରୀଙ୍କୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବାଲା ହତ୍ୟା କରିବା ସହ ଟାଙ୍ଗି ଦେଇଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । 

୨୬ ବର୍ଷିୟା ରାଜଶ୍ରୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ୨୫ ଜଣିଆ ମହିଳା କ୍ରିକେଟ୍ ପ୍ରଶିକ୍ଷଣ ଶିବିରରେ ଭାଗନେଇଥିଲେ । ଡିସେମ୍ବର ୨୩ରୁ ଆରମ୍ଭ ହୋଇଥିଲା କ୍ୟାମ୍ପ । ସମସ୍ତେ ରହୁଥିଲେ ହୋଟେଲ୍‌ରେ । ତେବେ ପଣ୍ଡିଚେରୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ଓଡ଼ିଶା ସିନିୟର ମହିଳା ଦଳ ପାଇଁ ଖେଳାଳୀ ଚୟନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ, ୧୦ ତାରିଖରେ ପ୍ରକାଶିତ ତାଲିକାରେ ସ୍ଥାନ ପାଇନଥିଲା ରାଜଶ୍ରୀଙ୍କ ନାଁ । ଓସିଏର ପ୍ରେସ ବିଜ୍ଞପ୍ତିରୁ ତାହା ସ୍ପଷ୍ଟ ଜଣାପଡ଼ୁଛି ।

ରାଜଶ୍ରୀଙ୍କ ରୁମ୍ ମେଟ୍ ରୋମି ଲକ୍ଷ୍ମୀ ଏକ୍କାଙ୍କ କହିବା କଥା, ଲିଷ୍ଟ ବାହାରିବା ପରେ କନ୍ଦାକଟା କରୁଥିଲେ ରାଜଶ୍ରୀ । ତାହାରି ଭିତରେ ଗତ ୧୧ ତାରିଖରୁ ନିଖୋଜ ହୋଇଗଲେ  ା ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ଓଡ଼ିଶା କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ । ଏପରିକି ଝିଅକୁ ଖୋଜିଦେବା ପାଇଁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଭେଟି ଗୁହାରୀ ବି କରିଥିଲେ ରାଜଶ୍ରୀଙ୍କ ବାପା, ମା । ଶେଷରେ ଆଜି ଝୁଲନ୍ତା ଅବସ୍ଥାରେ ମିଳିଛି ରାଜଶ୍ରୀଙ୍କ ମୃତଦେହ ।

ତେବେ ରାଜଶ୍ରୀଙ୍କ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ରହିଛି ଷଡ଼ଯନ୍ତ୍ର ? ମିଳିଥିବା ସୂଚନା ଅନୁଯାୟୀ, ରାଜଶ୍ରୀଙ୍କ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇନି ତ ? ରାଜଶ୍ରୀ ଯେଉଁ ହୋଟେଲ୍‌ରେ ରହୁଥିଲେ, ସେଠାରୁ ଗୁରୁଡ଼ିଝାଟିଆ ଜଙ୍ଗଲର ଦୂରତା ପ୍ରାୟ ୨୦ କିଲୋମିଟର । ତେବେ ଆତ୍ମହତ୍ୟା ପାଇଁ ଏତେ ଦୂରରେ ଥିବା ଏହି ଘଞ୍ଚ ଜଙ୍ଗଲକୁ ଆସିବା ପଛର କାରଣ କଣ ? ଆତ୍ମହତ୍ୟା ପୂର୍ବରୁ କାହାକୁ ଏ ସଂପର୍କରେ ଜଣାଇଛନ୍ତି କି ରାଜଶ୍ରୀ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ କଟକ DCP କହିଛନ୍ତି ପରିବାରର ଅଭିଯୋଗ ଆଧାରରେ ତଦନ୍ତ ହେବ । ସେପଟେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍-OCAର ସିଇଓ କହିିଛନ୍ତି, ଖେଳାଳି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ରାଜଶ୍ରୀଙ୍କଠାରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଚୟନ ହୋଇଛନ୍ତି । ଯାହା ଘଟିଛି ଦୁଃଖଦାୟକ ।

ବିଶ୍ୱକପ୍ ହକିଠୁ ଆରମ୍ଭ କରି କ୍ରୀଡାକ୍ଷେତ୍ରର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ପ୍ରଚାର ଭିତରେ ରାଜଶ୍ରୀଙ୍କ ଭଳି ଜଣେ ଉଦୀୟମାନ ଯୁବ ମହିଳା କ୍ରିକେଟରଙ୍କ ରହସ୍ୟଜନକ ମୃତ୍ୟୁ ଛିଡ଼ା କରାଇଛି ଏକ ବିରାଟ ପ୍ରଶ୍ନ ।