• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଇତିହାସରେ କଳଙ୍କ, ଚାଞ୍ଚଲ୍ୟ । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଫାୟାରିଂ । ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି ଚଳାଇଛନ୍ତି ଜଣେ ପୋଲିସ୍ ASI । ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ । ଝାରସୁଗୁଡ଼ା ରୁ ବ୍ରଜରାଜନଗରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗାନ୍ଧି ଛକରେ ଗାଡ଼ିରୁ ଓହ୍ଲାଇବା ବେଳକୁ ଜିନ୍ଦାବାଦ୍ ପଡୁଥିଲା, ବେକରେ ଫୁଲମାଳ ବି ପଡିଲା । ଠିକ୍ ସେତିକି ବେଳେ ଅତର୍କିତ ଭାବେ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି କିଏ ଜଣେ ଗୁଳି ଚଳାଇଲା ।

ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବାଜାବାଣ ଓ ଜିନ୍ଦାବାଦା ଭିତରେ ହଠାତ୍ କେହି କିଛି ବୁଝି ପାରିନଥିଲେ । କିନ୍ତୁ ମନ୍ତ୍ରୀ ନିଜେ ଛାତିକୁ ଚାପି ଧରି କହିଥିଲେ କିଏ ଗୋଟେ ମତେ ମାରିଦେଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଗାଡି ସିଟ୍ ଉପର ଶୁଆଇଥିଲେ ସମର୍ଥକ, ତତ୍‌କ୍ଷଣାତ୍ ସେଇ ଗାଡ଼ିରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

ଖବର ବିଜୁଳି ବେଗରେ ପ୍ରଚାର ହୋଇଗଲା । ମନ୍ତ୍ରୀଙ୍କୁ ସ୍ୱାଗତ ବେଳର ଗୋଟିଏ ପରେ ଗୋଟିଏ ଭିଡିଓ ବି ପଦାକୁ ଆସିଲା । ସେଥିମଧ୍ୟରୁ ଏକ ଭିଡିଓ, ଯେଉଁଥିରେ ସ୍ପଷ୍ଟ ଦିଶୁଥିଲା ଖାକି ବର୍ଦ୍ଦି ପିନ୍ଧା ଜଣେ ପୋଲିସ ହିଁ ମନ୍ତ୍ରୀଙ୍କ ଗାଡ଼ି ପାଖକୁ ଯାଇଛନ୍ତି । ଆଉ ସେ ହିଁ ଏଏସ୍‌ଆଇ ଗୋପାଳ ଦାସ । ଅତି ସନ୍ତର୍ପଣରେ ନିଜ ସର୍ଭିସ୍ ରିଭଲଭର ବାହାର କରି ମାତ୍ର ୪ରୁ ୫ଫୁଟ୍ ଦୂରରୁ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ଗୁଳିକାଣ୍ଡ ପରେ ହଇଚଇ ସୃଷ୍ଟି ହୋଇଥିଲା, ଗୋପାଳ ମନ୍ତ୍ରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ତାଙ୍କୁ ଉପସ୍ଥିତ ଲୋକେ କାବୁ କରିନେବା ପରେ ଆଉ ଦି ରାଉଣ୍ଡ ବି ସେ କୁଆଡ଼େ ଫାଙ୍କାରେ ଫୁଟାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ଅଧିକ ଅଘଟଣ ଆଶଙ୍କାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ତୁରନ୍ତ ପୋଲିସ୍ ନିଜ କବ୍‌ଜାକୁ ନେଇଥିଲା । ତେବେ ଖାକି ବର୍ଦ୍ଦିରେ ଥାଇ ହିଁ ମନ୍ତ୍ରୀଙ୍କ ଉପରକୁ ଏଏସ୍‌ଆଇ ଗୋପାଳ ଦାସ ଗୁଳି ଚଳାଇଥିବା କଥା ସ୍ପଷ୍ଟ କରିଛନ୍ତି ବ୍ରଜରାଜନଗର SDPO । ହେଲେ କାହିଁକି ଗୁଳି ମାଡ଼ ? ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି । ସେମିତି ଗୁଳିକାଣ୍ଡ ସମୟରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ବି ବଖାଣିଛନ୍ତି ଅନୁଭୂତି । କହିଛନ୍ତି ଖୁବ ନିକଟରୁ ASI ଗୁଳି କରିଥିବା ଦେଖିଛୁ ।

ଗୁରୁତର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାର ଲିଫ୍ଟିଂ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣାଯାଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଗ୍ରୀନ କରିଡ଼ର କରାଯାଇ ଆମ୍ବୁଲାନ୍ସରେ ନବ ଦାସଙ୍କୁ ଅଣାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ଜାଣିବାକୁ ଆଗୁଆ ହସ୍ପିଟାଲରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଳିକାଣ୍ଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ହସ୍ପିଟାଲ ଭିତରେ ନବଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଇଥିଲେ ।

ସେହିପରି ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଧାୟକ ଓ ଅନ୍ୟ ଦଳର ନେତା ବି ମେଡିକାଲ ପରିସରରେ ଭିଡ଼ ଲଗାଇଥିଲେ । ତେବେ ଏଠି ପ୍ରଶ୍ନ- କାହିଁକି ରକ୍ଷକ ହୋଇ ଭକ୍ଷକ ସାଜିଲା ପୋଲିସ୍ ? କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ଚଳାଇଲେ ଜଣେ ASI ? ଏହାକୁ ନେଇ ରହସ୍ୟ ବଢୁଥିବାବେଳେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣେ ଗୁଳିକାଣ୍ଡ ସ୍ଥଳରେ ଫୋରେନ୍ସିକ ଟିମ୍ ପହଞ୍ଚି ପ୍ରମାଣ ଯୋଗାଡ଼ କରିଛି । ଘଟଣାସ୍ଥଳରେ ଇତସ୍ତତଃ ଅବସ୍ଥାରେ ପଡିଥିବା ଗୁଳିର ଖୋକା, ଫୁଲ ମାଳ ଓ ଚପଲର ନମୁନା ସଂଗ୍ରହ କରିଛି । ତେଣେ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ବି ତନାଘନା ଆରମ୍ଭ କରିଛନ୍ତି । ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ଼ ଘଟଣା ସବୁ ମହଲରେ ଚାଞ୍ଚଲ୍ୟ ଖେଳାଇଛି ।