/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752150920.jpg)
Nimisha Priya
ଚଢ଼ିଚାଲିଥିଲେ ସଫଳତାର ସିଢ଼ି। ବେଶ୍ ଖୁସି ଥିଲେ। ଆଗକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରଖିଥିଲେ ଇଚ୍ଛା। ହଠାତ୍ ସବୁ ଓଲଟପାଲଟ ହୋଇଗଲା। ଲାଗିଗଲା କାହାର ନଜର। ପାଣି ଫୋଟକା ପରି ସବୁ ମିଳାଇ ଗଲା। ନିଜର ସ୍ୱପ୍ନ ଦୁନିଆରେ ବଞ୍ଚୁଥିବା ମଣିଷଟି ତାର ଶେଷ ରାସ୍ତା ଫାଶୀ ଖୁଣ୍ଟ ପାଲଟି ଗଲା। କେରଳର ଜଣେ ମହିଳା କ୍ଷେତ୍ରରେ ଘଟିଛି ଏପରି ଘଟଣା ।
କେରଳର ରହୁଥିବା ନିମିଶା ପ୍ରିୟା ୨୦୧୧ ମସିହାରେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ୟେମେନକୁ ଚାଲିଯାଇଥିଲେ । ସେଠାରେ ଏକ ହସପିଟାଲରେ ନର୍ସ ଭାବେ କାମ କରିଥିଲେ। ଭଲ କାମ କରୁଥିବାରୁ ତାଙ୍କର ଲୋପ୍ରିୟତା ବଢ଼ି ଚାଲିଥିଲା। ଜଣେ ଲୋକପ୍ରିୟ ନର୍ସ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ।
୨୦୧୪ ମସିହାରେ ନିମିଶା ନିଜର ଏକ କ୍ଲିନିକ ଖୋଲିବାକୁ ଭାବିଥିଲେ। ହେଲେ ନିମିଶା ସେଠାକାର ନାଗରିକ ନଥିବାରୁ ତାଙ୍କ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସମୟରେ ୟେମେନ୍ର ଜଣେ ବ୍ୟକ୍ତି ଆବୋଧ ମହଦିଙ୍କ ସଂପର୍କରେ ଆସିଲେ ନିମିଶା। ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।
ସମୟକ୍ରମେ ନିମିଶାଙ୍କ ସହ ମହଦିଙ୍କ ସଂପର୍କ ଘନିଷ୍ଠ ହୋଇଯାଇଥିଲା । କ୍ଲିନିକ ଖୋଲିବା ପାଇଁ ନିମିଶା ପାଇଁ ବାଟ ଫିଟି ଯାଇଥିଲା। ଉଭୟ ପାଟର୍ନର ହୋଇ କ୍ଲିନିକ ଖୋଲିଥିଲେ। ନିମିଶା ବେଶ୍ ଖୁସିଥିଲେ। ନିଜ ଲକ୍ଷ୍ୟ ସ୍ଥଳରେ ଖୁବ୍ ଶୀଘ୍ର ପହଞ୍ଚିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଦଇବ ସହିଲାନି।
ଗୋଟିଏ ବର୍ଷ ମଧ୍ୟରେ ମହଦି ଓ ନମିଶାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ବନ୍ଧୁ ସାଜିଥିଲା ବନ୍ଧୁକ। ନିମିଶାଙ୍କୁ ହଇରାଣ କରିଥିଲେ ମହଦି। ଏପରିକି ନିଜ ଦ୍ବିତୀୟ ସ୍ତ୍ରୀ ଦାବି କରି ଘର ଲୋକଙ୍କୁ ମିଛ କଥା କହି ନିମିଶାଙ୍କୁ ବ୍ଲାକମେଲିଂ କରିଥିଲେ। ଶେଷରେ ମାନସିକ ଅତ୍ୟାଚାର ସହିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ନିମିଶା ।
ପୋଲିସ ମହଦିଙ୍କୁ ଗିରଫ କରିଥିଲା। କିଛି ଦିନ ଜେଲରେ ରହିବା ପରେ ମହଦି ଜେଲରୁ ବାହାରି ଆସିଥିଲେ। ୨୦୧୭ ମସିହାରେ ଉଭୟ ବିବାଦ ନୂଆମୋଡ ନେଇଥିଲା। ଉଭୟଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଥିଲା।
ଅତ୍ୟାଚାରରେ ଅତିଷ୍ଟ ହୋଇ ନିମିଶା ଭାରତ ଫେରିବାକୁ ଚାହୁଥିଲେ । ମାତ୍ର ପ୍ରତିଶୋଧ ପରାୟଣ ହୋଇ ନିମିଶାର ପାସପୋର୍ଟ ଚୋରି କରିବା ସହ ହଇରାଣ କରିବା ଆରମ୍ଭ କରିଥିଲା ମହଦି । କେବଳ ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ପ୍ରତ୍ୟେକ ଦିନ ବିଭିନ୍ନ ଆଳରେ ଧମକ ଦେଉଥିଲା ।
କିଛି ଉପାୟ ନପାଇ ମହଦିକୁ ନିଶା ଇଞ୍ଜେକ୍ସନ୍ ଦେଇ ପାସପୋର୍ଟ ନେବାକୁ ରଚିଥିବା ଯୋଜନା। ଏହା ନିମିଶାଙ୍କୁ ପଡ଼ିଥିଲା ଭାରି । ଓଭର ଡୋଜ୍ କାରଣରୁ ଇଞ୍ଜେକ୍ସନ୍ ଘାତକ ସାଜିବା ସହ ମହଦିର ମୃତ୍ୟୁ ହୋଇଥିଲା । ବାସ ଏଇଠି ବଦଳିଯାଇଥିଲା ନିମିଶାଙ୍କ ଜୀବନର ମୋଡ ।
ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୟେମେନ କୋର୍ଟ ତାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଘଟଣା ପରେ ୟେମେନ ସରକାରଙ୍କୁ ଗୁହାରୀ କରିଥିଲେ ନିମିଶାଙ୍କ ପରିବାର। କିନ୍ତୁ ଦଣ୍ଡାଦେଶ ଉପରେ ରାଷ୍ଟ୍ରପତି ମୋହର ମାରି ଫାଶୀ ପାଇଁ ରାସ୍ତା ଫିଟାଇବା ପରେ ଚିନ୍ତାରେ ପରିବାର ।
ଅନ୍ୟପଟେ ଭାରତ ସରକାର ନିମିଶାଙ୍କ ଦଣ୍ଡାଦେଶକୁ କୋହଳ କରିବାକୁ ୟେମେନ୍ ସରକାରଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)