• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷରେ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସଙ୍କ ଘରୁ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର କ୍ରିପ୍ଟୋ କରେନ୍ସି ଠାବ ହୋଇଛି । ଜବତ ହୋଇଥିବା ୩୮ଟି ଡକ୍ୟୁମେଣ୍ଟର ଯାଞ୍ଚ କରିବା ପରେ ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ସି କିଣିଥିବା ସ୍ପଷ୍ଟ କରିଛି ଭିଜିଲାନ୍ସ ।

ଆଜି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରାଜ୍ୟର ୬ଟି ଜାଗାରେ ଚଢ଼ାଉ କରିଥିଲା । ତେବେ ଭୁବନେଶ୍ୱର ଘରେ ଚଢ଼ାଉ ବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ଦାସ କ୍ରିପ୍ଟୋ କରେନ୍ସିଂ ସମ୍ପର୍କିତ ଡକ୍ୟୁମେଣ୍ଟ ଏବଂ ମୋବାଇଲ୍‌କୁ ଫିଙ୍ଗିଦେଇଥିଲେ । ସେସବୁକୁ ଭିଜିଲାନ୍ସ ଜବତ କରିବା ସହ କ୍ରିପ୍ଟୋ କରେନ୍ସି ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା ଭିଜିଲାନ୍ସ । ଏହାବ୍ୟତୀତ ଭିଜିଲାନ୍ସ ମୋଟ୍ ସାଢ଼େ ୪ କୋଟିର ସମ୍ପତ୍ତି ଠାବ କରିଛି । ତାମଧ୍ୟରେ ସମ୍ବଲପୁରରେ ମିଳିଛି ୮ଟି ପ୍ଲଟ । ଭୁବନେଶ୍ୱର ଖାରବେଳନଗରରେ ସାଢ଼େ ୩୨ ଲକ୍ଷର ଫ୍ଲାଟ ମଧ୍ୟ ଠାବ ହୋଇଛି । ଖାଲି ସେତିକି ନୁହେଁ ୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍‌ ମଧ୍ୟ ଜବତ ହୋଇଛି ।

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ତାଙ୍କ ଘରେ ଆଜି ରେଡ୍‌ କରିଥିଲା ଭିଜିଲାନ୍ସ । ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ବାବୁ ଏତେ ଜୋରରେ ଡରିଗଲେ ଯେ, ତରବର ହୋଇ ଝରକା ବାଟେ ଡକ୍ୟୁମେଂଟ୍‌ ସହ ମୋବାଇଲକୁ ଫୋପାଡି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କର ସବୁ ଚେଷ୍ଟା ପାଣିରେ ପଡ଼ିଥିଲା ।

ରେଡ୍‌ ବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ୍ ପାଇଥିଲା ଭିଜିଲାନ୍ସ । ନିହାର ରଞ୍ଜନ କ୍ରିପ୍ଟୋ କାରବାର କରୁଥିବା ନେଇ ୩୮ଟି ଡକ୍ୟୁମେଣ୍ଟ ଏବେ ଭିଜିଲାନ୍ସ ହାତରେ ଲାଗିଛି । ସେହିପରି ରେଡ୍ ବେଳେ ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ ହୋଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ଆଜି ତାଙ୍କର ଖୋର୍ଦ୍ଧାସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲା ର ୬ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଉ ତାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ହୋଇଯାଇଛନ୍ତି । ତାଙ୍କ ନାମରେ ୨ଟି କୋଠା, ସମ୍ବଲପୁର ରେ ୮ଟି ପ୍ଲଟ, ୨ଟି କାର୍, ୨ଟି ବାଇକ ଠାବ ହୋଇଛି । ଚଢ଼ଉରେ ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।