Advertisment

Spider Satish: ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିଲା ‘ସ୍ପାଇଡର୍ ସତୀଶ୍’

୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର

ଅଦ୍ୟତନ ହୋଇଛି
undefined

loot

Advertisment

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍। ୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର। ପୋଲିସ ଡାଏରୀରେ ଯାହାକୁ ‘ସ୍ପାଇଡର୍ ସତୀଶ’ବୋଲି ଦର୍ଶାଯାଇଥିବାବେଳେ ପୂରା ଫିଲ୍ମି ଷ୍ଟାଇଲରେ ତାକୁ ଧରିଛି ପୋଲିସ। ତା’ସହ ସ୍ପାଇଡର୍ ସତୀଶର ଚୋରି ଫଣ୍ଡାର ବଡ଼ ଖୁଲାସା କରିଛି।

Advertisment

ଆପଣ ନିଶ୍ଚୟ ଦେଖିଥିବେ ବହୁଚର୍ଚ୍ଚିତ ହଲିଉଡ୍ ମୁଭି ସ୍ପାଇଡର୍ ମ୍ୟାନ। ଫିଲ୍ମର ନାୟକ କେମିତି ନିଜେ ସ୍ପାଇଡର୍ ସାଜି ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ। ପ୍ରତିବନ୍ଧକକୁ ଖାତିର ନକରି ଦୁର୍ଗତଙ୍କ ପାଖରେ ପହଞ୍ଚୁଥିଲେ। ହେଲେ ଆଜି ଏମିତି ଜଣେ ସ୍ପାଇଡର୍ ମ୍ୟାନଙ୍କ ବିଷୟରେ କଥା ହେବା ଯାହାର ଚିତ୍ର ଓ ଚରିତ୍ର ଅଲଗା। ଲୋକଙ୍କୁ ସାହାଯ୍ୟ ନୁହେଁ, ବରଂ ଚୋରି କରୁଥିଲା ତା ପୁଣି ଅଭିନବ ଢଙ୍ଗରେ। ପୋଲିସ ଡାଏରୀରେ ଏହି ଚୋରର ନାଁ ସ୍ପାଇଡର୍ ସତୀଶ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଅଭିଯୋଗରେ ୧୮ ଦିନର ଖୋଳତାଡ଼ ଭିତରେ ଆନ୍ଧ୍ରର ବିଜୟନଗରମରୁ ଧରିଛି ପୋଲିସ। ତା’ସହ ନିରଞ୍ଜନଙ୍କ ଘରୁ ଚୋରି ଅଳଙ୍କାର ସହ ୭ ଲକ୍ଷ ଟଙ୍କା ଜବତ କରିଛି।

ନାଁ ସତୀଶ ରେଡ୍ଡି ଓରଫ ସ୍ପାଇଡର୍ ସତୀଶ। ଘର ବିଶାଖାପାଟନମ୍। ୨୦୧୩ରୁ ଚୋରି ବିଦ୍ୟାକୁ କ୍ୟାରିୟର କରିଥିଲା ସେ। ଚୋରି ଫଣ୍ଡା ବି ପୂରା ହାଇଟେକ୍। ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରୁଥିଲା ଏବଂ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା। ଯେତେ ଉଚ୍ଚ ଘରର କାନ୍ଥ ହେଉ ଅବା ଛାତ, ସେ ଚଢ଼ିଯାଉଥିଲା, ଚତୁରତାର ସହ ଘରେ ପଶି କଳାକନା ବୁଲାଇ ଖସିଯାଉଥିଲା। ସେଥିପାଇଁ ତା ନାଁ ସ୍ପାଇଡର୍ ସତୀଶ। ପୂର୍ବରୁ ତିରୁପତିର ଜଣେ MLAଙ୍କ ଘରୁ ୭ କେଜି ସୁନା ଅଳଙ୍କାର, ତେଲେଙ୍ଗାନାର ଜଣେ ଠିକାଦାରଙ୍କ ଘରୁ ୫ କୋଟି ନଗଦ ଟଙ୍କା, କେରଳରେ ୭ କୋଟି ଟଙ୍କା ଚୋରି ଘଟଣାରେ ସଂପୃକ୍ତ ଥିଲା ସତୀଶ। ପୂର୍ବରୁ ତ୍ରିଭେନ୍ଦ୍ରମ ସେଣ୍ଟ୍ରାଲ ଜେଲରେ ଥିବା ସତୀଶ ଗତ ଜୁଲାଇରେ ମୁକୁଳି ପୁଣି ଆରମ୍ଭ କରିଥିଲା ମିଶନ୍। ଗତ ଜାନୁୟାରୀ ୨୫ ସକାଳେ ବସରେ ଭୁବନେଶ୍ବର ପହଞ୍ଚି ସମାନ ଫଣ୍ଡା ଆପଣାଇ ନିରଞ୍ଜନଙ୍କ ଘରୁ ଚୋରି କରିଥିଲା ସେହି ରାତିରେ। ୨୦୨୩ରେ ନିରଞ୍ଜନଙ୍କ କଲୋନୀରେ ଥିବା ARSS ମାଲିକଙ୍କ ଘରୁ ବି ଚୋରି କରିଥିଲା ସ୍ପାଇଡର୍ ସତୀଶ।

Advertisment

ଅଧିକ ପଢ଼ନ୍ତୁ: ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ନିରଞ୍ଜନଙ୍କ ଘରୁ ଚୋରି ପରେ ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା। କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। ଆଉ ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା। ଫେସ୍ ଏନହାନ୍ସ ଜରିଆରେ ପୋଲିସ୍ ତାକୁ ପିଛା କରୁଥିଲା, ଖୋଜୁଥିଲା ସତୀଶର ପୁରୁଣା କ୍ରାଇମ୍ ରେକର୍ଡ। ଏଥିପାଇଁ ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରିଥିଲା ପୋଲିସ। ଆଉ କେରଳରୁ ତଥ୍ୟ ପାଇବା ପରେ କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ସତୀଶକୁ ଧରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍ ସ୍କ୍ବାଡ୍। ଏଥିପାଇଁ ୫ ହଜାର କିଲୋମିଟର ଘୁରିବାକୁ ପଡ଼ିଥିଲା ପୋଲିସକୁ। ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ।

ଏଯାଏଁ ସତୀଶ ନାଁରେ ଥିବା ୭୦ଟି ଲୁଟ ମାମଲାରୁ କୋଟିପତିଙ୍କ ଘରୁ ଲୁଟ୍ ମାମଲା ରହିଛି ୩୦ଟି। ନିଜ ନାଁରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ବିଜୟନଗରମରେ ଫ୍ଲାଟ୍ ବି କିଣିଛି। ନିରଞ୍ଜନଙ୍କ ଘରୁ ଲୁଟ ପରେ ଇଣ୍ଡୋନେସିଆରୁ ଏକ ଦାମୀ କୁକୁର ଆଣିଛି ସେ। ଏହି ଧୂର୍ତ୍ତ ଚୋରକୁ ରିମାଣ୍ଡରେ ନେଇ ଆହୁରି ଖୋଳତାଡ଼ କରିବ ପୋଲିସ।

Advertisment

ଅଧିକ ପଢ଼ନ୍ତୁ: ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼; ଦେଢ଼ କୋଟି ଜବତ

Niranjan Patnaik Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ