• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୂର୍ଯ୍ୟୋପରାଗ ସମୟରେ ରନ୍ଧାଖାଦ୍ୟ ଖାଇ ଥିବାରୁ ଟାର୍ଗେଟରେ ହେତୁବାଦୀ। ଓଡ଼ିଶା ହେତୁବାଦୀ ସମାଜ ସମ୍ପାଦକ ଦେବେନ୍ଦ୍ର ସୂତାରଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ଏକ ଅଜଣା ଫୋନ୍ ନମ୍ବରରୁ ତାଙ୍କୁ କେହି ଜଣେ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଦେବେନ୍ଦ୍ର ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ଗତ ମଙ୍ଗଳବାର ସୂର୍ଯ୍ୟୋପରାଗ ଲାଗିଥିବା ବେଳେ ହେତୁବାଦୀମାନେ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ଭୁବନେଶ୍ୱର ପ୍ରେସ ଛକରେ ଏକ ହୋଟେଲରେ ସାଧା ଓ ଚିକେନ ବିରିଆନି ଖାଇଥିଲେ । ପରାଗ ସମୟରେ ପାକ୍ ତ୍ୟାଗକୁ ସେମାନେ ବିଜ୍ଞାନ ସମ୍ମତ ବୋଲି ଅସ୍ୱୀକାର କରିବା ସହ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏହାପରେ ସେମାନଙ୍କ ନିକଟକୁ ହତ୍ୟା ଧମକ ଆସୁଥିବା ଅଭିଯୋଗ କରିଛନ୍ତି ହେତୁବାଦୀ ।

ଅଧିକ ପଢ଼ନ୍ତୁ: ହେତୁବାଦୀଙ୍କ ଚିକେନ୍ ବିରିୟାନୀ ଖିଆକୁ ନେଇ ତେଜୁଛି ବିବାଦ ! କଡ଼ା ଆପତ୍ତି ଜଣାଇଲେ ଶଙ୍କରାଚାର୍ଯ୍ୟ

ସେପଟେ ହେତୁବାଦୀ ସଂଗଠନ ବିରୋଧରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ ଏକ ପାଲଟା ଏତଲା ଦିଆଯାଇଛି । ବ୍ରାହ୍ଣଣ ସମାଜକୁ ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଦର୍ଶାଇଛି ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ । ଏଥିରେ ହେତୁବାଦୀ ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି ।

ସେହିପରି ସୂର୍ଯ୍ୟୋପରାଗରେ ହେତୁବାଦୀମାନେ ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରିଛି ଓଡିଶା ମନ୍ଦିର ସେବାୟତ ସଂଘ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ପରମ୍ପରାକୁ ଭାଙ୍ଗି ପରାଗ ସମୟରେ ଖାଇବାକୁ ନିନ୍ଦା କରିଛି ସଂଘ । ବାରମ୍ବାର ହିନ୍ଦୁ ଧର୍ମ ପ୍ରତି ଏଭଳି କୁଠାରଘାତକୁ ସଂଘ ସହ୍ୟ କରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପରମ୍ପରାକୁ ଭଙ୍ଗ କରୁଥିବା ଏଭଳି ବିଧର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଓଡି଼ଶା ମନ୍ଦିର ସେବାୟତ ସଂଘ ।