• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମନ୍ତ୍ରୀ ନବ ଦାସ ହତ୍ୟାର ୨ମାସ ଭିତରେ ଜଣେ ନାବାଳକକୁ ଅପହରଣ କରି ଯେଭଳି ହତ୍ୟା କରାଗଲା, ତାକୁ ନେଇ ହୁଲସ୍ତୁଲ ସାରା ଝାରସୁଗୁଡ଼ା । ୧୫ ବର୍ଷିୟ ସମର୍ଥଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦାବିରେ ଆଜି ସହରରେ ଗର୍ଜିଛନ୍ତି ସମର୍ଥକ ସହପାଠୀ, ଯୁବପିଢ଼ି ଓ ବିଭିନ୍ନ ବର୍ଗର ମହିଳା । ଏସବୁ ଭିତରେ ମାମଲାରେ ଆଉ ଜଣେ ସନ୍ଦିଗ୍ଧକୁ ବୁର୍ଲାରୁ ଉଠାଇ ଥିବାବେଳେ ଅପରାଧ ପଛର କାରଣ ଓ କେମିତି ଘଟାଇଥିଲେ ଅପରାଧ, ଅଭିଯୁକ୍ତମାନଙ୍କୁ ଧରି କ୍ରାଇମସିନ୍ ରିକ୍ରିଏସନ୍ କରି ପୋଲିସ ତନାଘନା କରୁଛି ।

ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି । ଭାଙ୍ଗିଯାଇଛି ଏମାନଙ୍କ ଧୈର୍ଯ୍ୟର ବନ୍ଧ । କିଏ ମୃତ ସମର୍ଥ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି ତ ଆଉ କିଏ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରୁଛନ୍ତି । ସମର୍ଥଙ୍କ ସହପାଠୀମାନଙ୍କ ଉପସ୍ଥିତିରେ ଆଜି ମନମୋହନ ସ୍କୁଲ ପଡ଼ିଆରୁ ଝାରସୁଗୁଡା ଥାନା ପର୍ଯ୍ୟନ୍ତ ଏଭଳି ଶୋଭାଯାତ୍ରା କରିଥିଲେ । ପୋଲିସ୍ ସହ ଆଲୋଚନା କରି ସମର୍ଥ ଅପହରଣ ଓ ହତ୍ୟା ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟକୁ କେସ ପଠାଇବାକୁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: କଳାଦିନ '୨୯' ତାରିଖ ! ନବ ଦାସ ଗୁଳିକାଣ୍ଡର ୨ ମାସ ପରେ ନାବାଳକକୁ ହତ୍ୟା

ମାର୍ଚ୍ଚ ୨୭ ଝାରସୁଗୁଡ଼ା ସରବାହାଲର କ୍ରିଷ୍ଣା ଏନକ୍ଲେଭରୁ ଏକ ସ୍କୁଟର ଧରି କ୍ରିକେଟ ଖେଳିବାକୁ ପଡ଼ିଆ ଅଭିମୁଖେ ବାହାରିଥିଲେ ସମର୍ଥ । କିନ୍ତୁ କିଛି ଦୂର ଯିବା ପରେ ଦିନେଶ ଅଗ୍ରୱାଲ ସହ ମିଶି ଅପହରଣ କରିଥିଲା ପଡ଼ୋଶୀ ଅମିତ କୁମାର ଶର୍ମା । ପରେ ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ ଫୋନ କରି ପ୍ରଥମେ ୫୦ ଲକ୍ଷ ଓ ପରେ ୯୦ ଲକ୍ଷ ଟଙ୍କା ଦାବି କରି ମୁଣ୍ଡଜାମିନ ରଖିଥିଲେ ଅଭିଯୁକ୍ତ । ଯାହାର ଏକ ଟେଲିଫୋନିକ କଲ୍ ଲାଗିଛି ଓଟିଭି ହାତରେ । ଏ ସଂପର୍କରେ ସମର୍ଥଙ୍କ ବାପାଙ୍କ ଠାରୁ ଅଭିଯୋଗ ପାଇ ପୋଲିସ ଚଳାଇଥିଲା ଅପରେସନ । ଆଉ ପୋଲିସଠାରୁ ବର୍ତ୍ତିବା ପାଇଁ ସମର୍ଥକୁ ଧରି ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଖସିଯାଉଥିଲେ ଏମାନେ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମର୍ଥଙ୍କୁ ଧରି ୨୭ ରାତିରେ ବୁର୍ଲାକୁ ଆସିଥିଲେ ଅମିତ ଓ ଦିନେଶ । ବୁର୍ଲାରେ ଗଣେଶ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହ ଦେଖା କରିଥିଲେ । ଯିଏ ବୁର୍ଲା ମେଡିକାଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ପରେ ବୁର୍ଲା ଉପକଣ୍ଠ ଗୋଲଗୁଣ୍ଡାର ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇ କି ଯାଇଥିଲେ । ଏ ହେଉଛି ସେହି ସମୟର ସିସିଟିଭି ଫୁଟେଜ୍ । ପରେ ବରଗଡ଼ ଜିଲ୍ଲା ଭେଡେନକୁ ନେଇ ସମର୍ଥକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ପୋଡ଼ି ଦେଇଥିଲେ ।

ତେବେ ସମର୍ଥ ଅପହରଣ ଓ ହତ୍ୟା ମାମଲାରେ ବୁର୍ଲା ଲିଙ୍କ୍ କ’ଣ ? ବୁର୍ଲାର ସଂପୃକ୍ତ ବ୍ୟକ୍ତିଙ୍କ କି ସଂପୃକ୍ତି ରହିଛି ଏହି ମାମଲାରେ ? ସମର୍ଥଙ୍କୁ ହତ୍ୟା ପଛରେ ଟଙ୍କା ନା ଆଉ କେଉଁ କାରଣ ରହିଛି ? ସେନେଇ ଖୋଳତାଡ଼ ଜାରି ରଖିଥିବା ପୋଲିସ ବୁର୍ଲାରେ ଗଣେଶ ନାୟକ ସହ ଅନ୍ୟ ୨ ଅଭିଯୁକ୍ତକୁ ଧରି ଝାରସୁଗୁଡ଼ା ଟାଉନଥାନା ପୋଲିସ ବୁର୍ଲା ୱାନ୍-ଆର୍ କଲୋନୀ ସ୍ଥିତ ଗଣେଶ ଘରେ ଯାଞ୍ଚ କରିଛି । ପରେ ୩ ଜଣଙ୍କୁ ଧରି ବରଗଡ଼ ଭେଡେନର ହତ୍ୟାସ୍ଥଳକୁ ଯାଇଛି ପୋଲିସ । ଏସବୁ ଭିତରେ ରିମାଣ୍ଡରେ ଥିବା ଅମିତ ଓ ଦିନେଶକୁ ଧରି ବିଭିନ୍ନ ସ୍ଥାନରେ କ୍ରାଇମସିନ୍ ରିକ୍ରିଏସନ୍ କରି ମାମଲାର ପ୍ରମାଣ ଯୋଗାଡ଼ ବି କରୁଛି ।

ଝାରସୁଗୁଡ଼ାରୁ ଭାଗୀରଥୀ ସାହୁ ଏବଂ ସମ୍ବଲପୁରରୁ ସଞ୍ଜୟ କୁମାର ଜେନାଙ୍କ ରିପୋର୍ଟ, ଓଟିଭି