• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ନ୍ୟୁଡ୍‌କଲ୍‌ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା । ନିତି ଡରି ଡରି ବଞ୍ଚିବା ଅପେକ୍ଷା ଜୀବନକୁ ସାରିଦେବାକୁ ଭାବିଥିଲେ ଦିବ୍ୟରଂଜନ । ଆଉ ନେଇଥିଲେ ଚରମ ନିଷ୍ପତ୍ତି । ସୋନପୁର ପୋଲିସ୍ ଦିବ୍ୟରଞ୍ଜନ ସୁଇସାଇଡ୍ କେସ୍ ଉପରୁ ପରଦା ହଟାଇଛି ।

ରାଜସ୍ଥାନ ଅଲୱେର ମେହବୁବ୍ ଓ ଆଦିଲ । ଏମାନେ ଦିବ୍ୟରଞ୍ଜନଙ୍କୁ କଲ୍ କରି ସିବିଆଇ ଅଫିସର ନାଁରେ ଧମକ ଦେଉଥିଲେ । ନ୍ୟୁଡ୍‌ କଲ୍‌ର ପ୍ରମାଣକୁ ଭାଇରାଲ୍ କରି ଦେବେ ବୋଲି କହି ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ସୋନପୁର ପୋଲିସ୍ । 

ପୁଅର ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରିପାରୁନାହନ୍ତି ଦିବ୍ୟଙ୍କ ବାପା । ଆତ୍ମହତ୍ୟା ନୁହେଁ ଦିବ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି । ବ୍ରିଜ୍ ଉପରକୁ ନେଇ ଅଭିଯୁକ୍ତମାନେ ଠେଲି ଦେଇଥିବା ନେଇ ଆଶଙ୍କା କରିଛନ୍ତି ବାପା କେଶବ ମିଶ୍ର । ସେପଟେ କୋହ ଓ ଲୁହକୁ ସମ୍ଭାଳି ପାରୁନାହାନ୍ତି ସ୍ତ୍ରୀ । ସ୍ୱାମୀର ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ମୃତ୍ୟୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ପତ୍ନୀ ।

ସୂଚନାଯୋଗ୍ୟ, ପ୍ରଥମେ ଦିବ୍ୟରଞ୍ଜନଙ୍କୁ ଆସିଥିଲା ସାଇବର ଲୁଟେରାଙ୍କ ଧମକପୂର୍ଣ୍ଣ ଫୋନ୍ କଲ୍ । ‘ହାଲୋ, ଦିବ୍ୟରଞ୍ଜନ ? ମେ ସିବିଆଇ ସେ କେହ୍ ରାହା ଥା । ଆଜ୍ ରାତ ତକ୍ ଏକ ଲାକ୍ଷ ଭେଜ୍ ଦୋ ।’ ଏମିତି କହି ଡରାଇଥିଲେ ଲୁଟେରା । କେତେବେଳେ ଲକ୍ଷେ, ପୁଣି କେବେ ୯୦ ହଜାର ତ୍ ପୁଣି ୮୦ ହଜାର । ଏମିତି ଅନେକ ଟଙ୍କା ମେହବୁବ୍, ଆଦିଲ, ହରଚାନ୍ଦ ଭଳି ବ୍ୟକ୍ତିଙ୍କୁ ପଠାଇଥିଲେ ଦିବ୍ୟ । ଦିବ୍ୟରଞ୍ଜନଙ୍କ ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟମେଣ୍ଟରୁ ଏହା ସ୍ପଷ୍ଟ ଜଣାପଡ଼ିଛି । ୪୦ ଥର ଭିନ୍ନ ଭିନ୍ନ ଆକାଉଣ୍ଟକୁ ପ୍ରାୟ ୨୬ ଲକ୍ଷ ଟଙ୍କା ଦେଇଥିଲେ ।

ଲୋକଲଜ୍ଜାକୁ ଡରି ସାଇବର ଲୁଟେରାଙ୍କ ସବୁ କଥାକୁ ମାନି ଯାଇଥିଲେ ଦିବ୍ୟ । ହେଲେ କାହିଁକି ? ସାଇବର୍ ଠକଙ୍କ ଜାଲ୍‌ରେ ଫସୁଥିବା ଲୋକେ ଏଥିରୁ କାହିଁକି ମୁକୁଳି ପାରୁନାହାନ୍ତି ? ଫେକ୍ ଧମକପୂର୍ଣ୍ଣ କଲ୍ ଆସିଲେ କଣ କରିବେ ? କିପରି ବର୍ତ୍ତିବେ ? ଯାହା ଏବେ ଜାଣିବା ସମସ୍ତଙ୍କ ପାଇଁ ଆବଶ୍ୟକ ।

ଗତ ଅଗଷ୍ଟ ୧୦ ତାରିଖରେ ବଲାଙ୍ଗିର ଶାନ୍ତିପଡାର ଦିବ୍ୟରଂଜନ ମିଶ୍ର ବରପାଲିରୁ ନିଜ ଘରକୁ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ପରେ ଡୁଙ୍ଗୁରୀପାଲି-ବଲାଙ୍ଗିର ରାସ୍ତାରେ ଥିବା ଅଙ୍ଗ ନଦୀରୁ ମିଳିଥିଲା ତାଙ୍କ ମୃତଦେହ ।