/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750173275.jpg)
Gopalpur Gang Rape Case
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୧୦ ଜଣ ଗିରଫ। ଘଟଣାର ୨୪ ଘଣ୍ଟା ଭିତରେ ୩ଟି ଟିମ୍ ଗଠନ କରି ପୋଲିସ ୬ ଯୁବକ ଏବଂ ୪ ନାବାଳକ ଅଭିଯକ୍ତଙ୍କୁ ଗିରଫ କରିଛି। ସେପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ୍। ଗୋପାଳପୁର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏଭଳି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି।
ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୨୦ ବର୍ଷିୟା କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଘନ ଘନ ତଦନ୍ତ ପରେ ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। କହିଛନ୍ତି, ଦୁର୍ବୃତ୍ତମାନେ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ୪ ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ସାବାଳକ ଭାବେ ବିଚାର କରି କଠୋର ଦଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ।
ଅଧିକ ପଢ଼ନ୍ତୁ:ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରି ମାରିଦେଲା ସ୍ୱାମୀକୁ, ଶାଶୁ କହିଲେ ଏମିତି କଥା
ରବିବାର ରାତି ପ୍ରାୟ ୮ଟା ୩୦ରେ ଗୋପାଳପୁର ବେଳାଭୂମିର ଏକ ନିଛାଟିଆ ସ୍ଥାନରେ ଏକାଠି ବସିଥିଲେ କଲେଜ ପଢୁଆ ଦୁଇ ଯୁବକ ଯୁବତୀ। ଏହି ସମୟରେ ସେମାନଙ୍କ ପାଖରେ ପହଁଚିଯାଇଥିଲେ ୧୦ ଜଣ ଦୁର୍ବୃତ୍ତ। ପ୍ରଥମେ ଦୁହିଁଙ୍କ ଫଟୋ ଉଠାଇ ଭାଇରାଲ କରିବାର ଭୟ ଦେଖାଇଥିଲେ। ପାଖରେ ଥିବା ୧୩ ଶହ ଟଙ୍କା ଲୁଟିନେବା ପରେ ଅନଲାଇନ୍ ଟ୍ରାଞ୍ଜାକ୍ସନରେ ବି ଟଙ୍କା ନେଇଥିଲେ। ଏହାପରେ ବି ମନ ଶାନ୍ତ ପଡିନଥିଲା। ପୁରୁଷ ବନ୍ଧୁଙ୍କୁ ବନ୍ଧକ ରଖି ଜଣକ ପରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡିତା ଯେତେ କାକୁତି ମିନତି କରିଥିଲେ ବି ଛାଡିନଥିଲେ ଅଭିଯୁକ୍ତ। ଘଟଣା ବାବଦରେ ଗୋପାଳପୁର ଥାନାରେ ଅଭିଯୋଗ ପରେ ତୁରନ୍ତ ୩ଟି ଟିମ୍ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ। ରାତାରାତି ୧୦ ଅଭିଯୁକ୍ତଙ୍କୁ ବାନ୍ଧିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି।
ଆଜି ବେଳାଭୂମିରେ ଯୁବତୀଙ୍କ ସହ ପାଶବିକ ଅତ୍ୟାଚାର ପରେ ସବୁଠି ଖାଁ ଖାଁ। ଯେତିକି ବି ପର୍ଯ୍ୟଟକ ଆସୁଛନ୍ତି, ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଉଛନ୍ତି। ନିଜକୁ ଅସୁରକ୍ଷିତ ମନେ କରି ବେଳାଭୂମିରେ ପର୍ଯ୍ୟାପ୍ତ ପୋଲିସ ନିୟୋଜିତ କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି, କଡାକଡି ହେଉ ପୋଲିସର ପାଟ୍ରୋଲିଂ, ଅନ୍ଧାର ଜାଗାରେ ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ବସିବା ସ୍ଥାନ କରାଯାଉ।
ସେପଟେ ଘଟଣାରେ ଉଦବେଗ ପ୍ରକାଶ କରିଛି ଜାତୀୟ ମହିଳା କମିଶନ। ନିଜ ଆଜୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି NCW। ଏଥିସହ ଯୁବତୀଙ୍କୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ପ୍ରଦାନ କରିବା ସହ ମାଗଣା ଚିକିତ୍ସା ଓ ମାନସିକ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)