• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚର୍ଚ୍ଚାରେ ଥିବା ଲେଡି ବ୍ଲାକମଲରଙ୍କ ବହୁ ରାଜନୈତିକ ନେତା ଓ ବଡ଼ ବଡ଼ିଆ ଲୋକଙ୍କ ସହିତ ସଂପର୍କ ଥିଲା ବୋଲି କୁହାଯାଉଛି । ସୋସିଆଲ ମିଡିଆ ରେ ଘୁରି ବୁଲୁଥିବା ସେହିଭଳି ଏକ ଫଟୋରେ ସଂପୃକ୍ତ ମହିଳାଙ୍କ ସହିତ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ରହିଛନ୍ତି । ଗୋଟିଏ ଫଟୋରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଉଭୟେ ଅଛନ୍ତି । ସେହିପରି ଆଉ ଏକ ଫଟୋରେ କେବଳ ଜଗବନ୍ଧୁଙ୍କ ସହିତ ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ ରହିଛନ୍ତି ।

ପୋଲିସ୍‌ ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର୍‌ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱର ର ସତ୍ୟବିହାର ଅଂଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋଚିତ୍ର ପଦାକୁ ଆସିଛି । କେବଳ ସେତିକି ନୁହେଁ, ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ସହ ବିଜେଡି ବରିଷ୍ଠ ବିଧାୟକଙ୍କ ଘନିଷ୍ଠତା ରହିଥିଲା । ସୂର୍ଯ୍ୟ ପାତ୍ର ବାଚସ୍ପତି ଥିବାବେଳେ ବିଧାନସଭା ବାଚସ୍ପତିଙ୍କ ଚାମ୍ବରକୁ ମଧ୍ୟ ଏହି ପତି-ପତ୍ନୀ ଯାଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଅଧିକ ପଢ଼ନ୍ତୁ:ହାଇପ୍ରୋଫାଇଲ୍ ଲେଡି ବ୍ଲାକ୍‌ମେଲର; ପ୍ରଯୋଜକ-ବିଲଡର-ନେତାଙ୍କୁ କରୁଥିଲେ ବ୍ଲାକମେଲିଂ !

ତେବେ ଏ ଫଟୋ ସଂପର୍କରେ ସୂର୍ଯ୍ୟ ପାତ୍ର କିମ୍ବା ମନ୍ମଥ ରାଉତରାୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ଏହି ମାମଲାରେ ଯାହାର ବି ନାଁ ଆସୁଛି, ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଉ ।

ସେହିପରି କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ମଧ୍ୟ ସେହି ବ୍ଲାକମେଲର୍ ଲେଡିଙ୍କ ସ୍ୱାମୀଙ୍କ ଫଟୋ ରହିଛି । ଗୋଟିଏ ଫ୍ରେମରେ ଜଗନ୍ନାଥ ସାରକାଙ୍କ ସହିତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଅଛନ୍ତି । ଏ ସଂପର୍କରେ ମନ୍ତ୍ରୀ ସାରକା କହିଛନ୍ତି, ସେହି ମହିଳା କି ତାଙ୍କ ସ୍ୱାମୀଙ୍କୁ ଚିହ୍ନି ନାହାନ୍ତି । ଏପରିକି ତାଙ୍କ ସହିତ କଥା ହେବାର ମନେ ପଡୁନି କି ଚେହେରା ବି ମନେ ନାହିଁ । ସେମାନଙ୍କୁ ବିଲକୁଲ୍ ଚିହ୍ନି ନ ଥିବାର ସିଧା ସିଧା କହୁଛନ୍ତି ଜଗନ୍ନାଥ ସାରକା । କିଏ କେତେବେଳେ ଫଟୋ ଉଠାଇ ଦେଇଥିବ ବୋଲି ମନ୍ତ୍ରୀ କହୁଛନ୍ତି ।

 

ସେପଟେ ତାଙ୍କର ଆଉ ଏକ କାରନାମାର ଓଟିଭି ହାତରେ ଲାଗିଛି । ତାଙ୍କର ଏକ ହ୍ୱାଟ୍ସ‌ଆପ୍ ଚାଟରୁ ଜଣା ପଡୁଛି ଜଣେ ଝିଅଙ୍କ ସହିତ ଚାଟ୍ କରୁଛନ୍ତି । ତାଙ୍କୁ ବୁଝାଇବାକୁ, ମନେଇବାକୁ ଚେଷ୍ଟା କରୁଛନ୍ତି ସେହି ବ୍ଲାକମେଲର୍ ମହିଳା । ସେହି ଝିଅ ଜଣକ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି । ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି ।

ତେବେ କାହାକୁ ସେ ଇଙ୍ଗିତ କରୁଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡୁନି । ରହସ୍ୟମୟୀ ମହିଳା ଜଣକ କହୁଛନ୍ତି, ସେମାନଙ୍କୁ ପ୍ରମାଣ ଦେଇ ଦେଇଛ କି ? ଏ ସଂପର୍କରେ ଯୁବତୀ ଜଣକ ହଁ କି ନା କିଛି ବି କହୁ ନାହାନ୍ତି ।