କର୍ଣ୍ଣାଟକରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଭଣ୍ଡ ଜ୍ୟୋତିଷ କଥାରେ ପଡି ଜଣେ ବ୍ୟକ୍ତି ପୋତାଧନ ପାଇବାକୁ ନରବଳି ଦେଇଛି । ଅଭିଯୁକ୍ତର ନାମ ଆନନ୍ଦ ରେଡ୍ଡି ଓ ତା' ଘର ଆନ୍ଧ୍ରପ୍ରଦେଶରେ । ଆନନ୍ଦ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଧନ ଲୋଭରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ହାଣି ବଳି ଚଢାଇଛି । ମୃତକଙ୍କ ନାମ ପ୍ରଭାକର । ସେ ଏକ ବସଷ୍ଟାଣ୍ଡ ନିକଟରେ ମୋଚି ଭାବେ କାମ କରୁଥିଲେ ।
ଅଧିକ ପଢ଼ନ୍ତୁ: ସଇତାନ ସାଜିଲା ନାତି, ସମ୍ପତ୍ତି ପାଇଁ ୭୦ ଥର ଛୁରୀ ଭୁସି ହତ୍ୟା
ଏମିତି ଥିଲା ପୁରା ଘଟଣା:
ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ଆନନ୍ଦ ରେଡ୍ଡି କର୍ଣ୍ଣାଟକ ପାବାଗଡା ତାଲୁକ ଅଞ୍ଚଳର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲା । ତା'ର ଆର୍ଥିକ ସମସ୍ୟା ଲାଗି ରହୁଥିବାରୁ ସେ ସ୍ଥାନୀୟ ଅଞ୍ଚଳର ରାମାକ୍ରିଷ୍ଣା ନାମକ ଜଣେ ଜ୍ୟୋତିଷ ପାଖକୁ ନିୟମିତ ଯାଉଥିଲା ।
ଦିନେ ସେହି ଜ୍ୟୋତିଷ ଆନନ୍ଦଙ୍କୁ କହିଲେ, ଯଦି ସେ ଦେବୀଙ୍କୁ ନରବଳି ବା ନର ରକ୍ତ ଦିଅନ୍ତି ତାହେଲେ ପୋତାଧନ ଲାଭ କରିବେ । ପର୍ଶୁରାମପୁର ଅଞ୍ଚଳରୁ ତାଙ୍କୁ ଏହି ପୋତାଧନ ମିଳିବ ଏବଂ ଏଥିରେ ତା'ର ସବୁ ଆର୍ଥିକ ସମସ୍ୟା ଦୂରେଇ ଯିବ । ଭଣ୍ଡ ଜ୍ୟୋତିଷର କଥାରେ ବିଶ୍ୱାସ କରି ଆନନ୍ଦ ଗତ ୯ ତାରିଖ ଦିନ ପର୍ଶୁରାମପୁର ଉପକଣ୍ଠକୁ ଯାଇଥିଲା ଏବଂ ସେଠି କାହାକୁ ଏକୁଟିଆ ପାଇ ବଳି ଦେବାକୁ ଯୋଜନା କରିଥିଲା ।
ଏତିକି ବେଳେ ୫୨ ବର୍ଷୀୟ ପ୍ରଭାକର ସେହି ବାଟ ଦେଇ ଯାଉଥିଲେ । ଅଭିଯୁକ୍ତ ମଉକା ଦେଖି ତାଙ୍କୁ ନିଜ ବାଇକରେ ଘରେ ଛାଡିଦେବ କହି ଡାକି ନେଇଥିଲା । ବାଟରେ ଏକ ନିଛାଟିଆ ଅଞ୍ଚଳରେ ଗାଡିରେ ତେଲ ସରିଯାଇଛି କହି ଅଟକିଥିଲା । ସେଠି ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରଭାକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ।
ଏହି ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତ ଆନନ୍ଦ ରେଡ୍ଡି ଓ ଜ୍ୟୋତିଷ ରାମାକ୍ରିଷ୍ଣାଙ୍କୁ ଗିରଫ କରିଛି । ଦୁହିଁଙ୍କୁ ଆସନ୍ତା ୨୨ ତାରିଖ ଯାଏଁ ରିମାଣ୍ଡରେ ନେଇଛି ।