• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୋଷ୍ଟମର୍ଟମ ରିପୋର୍ଟ ଦେବା ପାଇଁ ଗରିବ ଖଟିଖିଆ ଲୋକଙ୍କଠାରୁ ୨ହଜାର ଟଙ୍କା ଲାଂଚ ମାଗୁଛନ୍ତି ସରକାରୀ କର୍ମଚାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । କେନ୍ଦୁଝର ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଶବ ବ୍ୟବଛେଦ ରିପୋର୍ଟ ଦେବାପାଇଁ ଜଣେ ଗରିବ ଆଦିବାସୀଠାରୁ ପ୍ରାୟ ୨ ହଜାର ଟଙ୍କା ଲାଂଚ ମାଗୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଭାଇରାଲ ଭିଡିଓ ରେ ଡାକ୍ତର ବାବୁ ଜଣକ କହୁଛନ୍ତି ୨ ହଜାର ଦିଅ । ପୁଣି ପ୍ରଶ୍ନ କରୁଛନ୍ତି ଟଙ୍କା କିଏ ଦେବ? ଟଙ୍କା ଦେଲେ ସାଙ୍ଗେ ସାଙ୍ଗେ କରିଦେବି ।

ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ,ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ବାରମ୍ବାର ଲାଂଚ ମାଗୁଥିବାରୁ ବିରକ୍ତ ହୋଇଥିଲେ କଳାବତୀଙ୍କ ପରିବାର ଲୋକ । ଖାଲି ବିରକ୍ତ ହେଲେ ତାହା ନୁହେଁ ବରଂ ଡାକ୍ତର କେମିତି ଲାଞ୍ଚ ମାଗୁଛନ୍ତି ତାହାର ଭିଡିଓ ବି କଲେ । ତେବେ ଭିଡିଓ ଭାଇରାଲ ହେବା ପରେ ଡାକ୍ତର କହୁଛନ୍ତି, ଡ଼ିଏମଏଫ ପକ୍ଷରୁ ନିଯୁକ୍ତି ପାଇ ମେଡ଼ିକାଲରେ କାର୍ଯ୍ୟରତ ଅଛନ୍ତି । ନିୟମ ଅନୁସାରେ ପୋଷ୍ଚମର୍ଟମ ସେ କରିବାର କଥା ନୁହେଁ ହେଲେ ଗରିବ ଲୋକ ହୋଇଥିବାରୁ କରିଦେଲେ ବୋଲି ସଫେଇ ଦେଇଛନ୍ତି । କିନ୍ତୁ ସେମାନେ ମନ୍ଦ ଉଦ୍ଦେଶ୍ୟରେ ଭିଡିଓ କରିଥିବା ପ୍ରତିକ୍ରିୟା ଦେଇଛନ୍ତି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଜଣକ ।

ଏବେ ନୁହେଁ ବରଂ କିଛିଦିନ ପୂର୍ବରୁ ଶବବ୍ୟବଚ୍ଛେଦ କରାଇବା ଲାଗି ରାଇରଙ୍ଗପୁରରେ ଜଣେ କର୍ମଚାରୀ ୮ ଶହ ଟଙ୍କା ଲାଂଚ ମାଗୁଥିଲେ । ଯାହାର ଭିଡିଓ ସୋସିଆସ ମିଡିଆରେ ଭାଇରାଲ ହେଉଥିଲା । ଏବେ ପୁଣି ସମାନ ଘଟଣା ଆସିଛି କେନ୍ଦୁଝରରୁ । ଯାହା ସ୍ୱାସ୍ଥ୍ୟ ବିଭାଗରେ କେମିତି ଦୁର୍ନୀତି ହୋଇଛି ତାହାର ଗୁମର ଖୋଲିଦେଇଛି । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

( ତେଲକୋଇରୁ ଚିନ୍ମୟ ସାହୁ )