• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

IAS ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ କି B&R ନିର୍ଦ୍ଦେଶକ ? ହୋଇଥିଲା କି ଉଭୟଙ୍କ ମଧ୍ୟରେ କିଛି ଡିଲ୍? ଓଟିଭି ହାତରେ ଲାଗିଛି EXCLUSIVE ଚିଠି। ଯେଉଁଠି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ଅନୁମତି ମାଗିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ। ୪ ତାରିଖ ଦିନ ଲେଖାଯାଇଥିବା ଏହି ଚିଠିରେ ୫ ତାରିଖ ଦିନ ଭେଟିବାକୁ ଅନୁମତି ମଗାଯାଇଛି। 

ସବୁଠୁ ବଡ଼ କଥା ହେଲା ଏହାର ଠିକ୍ ତିନି ଦିନ ପରେ ଅର୍ଥାତ ୭ ତାରିଖ ଦିନ ଭୁବନେଶ୍ବର ମେଫେୟାର୍ ହୋଟେଲ୍ ସମ୍ମୁଖରେ ରେଡ୍ କରିଥିଲା ସିବିଆଇ। ୧୦ ଲକ୍ଷ ଟଙ୍କା ସେଠୁ ଜବତ କରିଥିଲା। ତେଣୁ ଏବେ ଏକାଧିକ ପ୍ରଶ୍ନ ଓ ଆଶଙ୍କା ପ୍ରକାଶ ପାଇଛି। କେଉଁ ଉଦ୍ଦେଶ୍ୟ ରଖି IAS ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ? ୫ ତାରିଖ ଦିନ ଉଭୟଙ୍କ ଭେଟ ଘାଟ ହୋଇଥିଲା କି? ଯଦି, ସାକ୍ଷାତ ହୋଇଥିଲା ତା ହେଲେ କ’ଣ ସବୁ ଆଲୋଚନା ହୋଇଥିଲା? କିଛି ଅଫିସିଆଲ୍ କିମ୍ବା ଭିତିରିଆ ଡିଲ୍ ହୋଇଛି କି? କାରଣ ଅକ୍ଟୋବର ୧୯ରେ ବ୍ରିଜ୍ ଆଣ୍ଡ ରୁଫକୁ ହାଇସ୍କୁଲ ରେନୋଭେସନ୍ କାମ ଦେଇଥିଲେ ଖୋଦ୍ ବିଷ୍ଣୁପଦ ସେଠୀ। ତେବେ ଏସବୁକୁ ନେଇ ବିଷ୍ଣୁପଦ କିମ୍ବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

ଅଧିକ ପଢନ୍ତୁ: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

ଏପଟେ ବଢ଼ୁଛି ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ। ସିବିଆଇ ସମନ୍ ପରେ ବି ହାଜର ହୋଇନାହନ୍ତି ବିଷ୍ଣୁପଦ। ସମନ ସତ୍ତ୍ବେ ହାଜର ନହେବାକୁ ନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଆଜି ବିଷ୍ଣୁପଦ ସେଠୀ ହାଜର ନହେଲେ କିଛି କଡ଼ା ଆଭିମୁଖ୍ୟ ନେଇପାରେ।  ଭୁବନେଶ୍ୱରରୁ ୧୦ ଲକ୍ଷ ଲାଞ୍ଚ ଜବତ ମାମଲାରେ ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିବିଆଇ ବିଷ୍ଣୁପଦଙ୍କ ପାଖରେ ପହଞ୍ଚିଛି।

ଗତ ୭ ତାରିଖ ରାତିରେ ମେ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ। ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଆରମ୍ଭ କରିଥିଲା ଖୋଳତାଡ।ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ। ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା। ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ। 

ଅଧିକ ପଢନ୍ତୁ: ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର; ଭାରତରୁ ସାମୁଦ୍ରିକ ଚିଙ୍ଗୁଡ଼ି ରପ୍ତାନୀ କରିବ ଆମେରିକା!

OTV is now on Whatsapp

Join and get latest news update delivered to you via whatsapp

Join Now