Advertisment

IAS Officer Bishnupada Sethi: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ?

author-image
Sujit kumar Swain
undefined

IAS Officer Bishnupada Sethi

ବ୍ରିଜ ଆଣ୍ଡ ରୁଫ୍ କଂପାନୀ ସହ IAS ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ ଖୋଲିଛି ଆଉ କିଛି ଗୁମର। ବିଷ୍ଣୁପଦ ଏବେ ST-SC ବିଭାଗର ପ୍ରମୁଖ ସଚିବ ଥିବା ବେଳେ ବିଭାଗ ଅଧିନରେ ଥିବା ହାଇସ୍କୁଲ କାମଗୁଡ଼ିକୁ କାହିଁକି ରାଜ୍ୟ ଉଦ୍ୟୋଗକୁ ଦିଆ ନଯାଇ, କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ଦିଆଗଲା ତାକୁ ନେଇ ଛିଡା ହେଲାଣି ପ୍ରଶ୍ନ। ଏମିତି କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ବି କିଛି ହାଇସ୍କୁଲ ଅପଗ୍ରେଡେସନ କାମକୁ ବିଜୁଳି କ୍ଷେତ୍ରରେ କାମ କରୁଥିବା ରାଷ୍ଟ୍ରୀୟ ଉଦ୍ୟୋଗକୁ ଦିଆଯାଇଛି। ସେପଟେ ବ୍ରିଜ୍ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ସଂସ୍ଥା ଜରିଆରେ ସ୍କୁଲ କାମରେ କିକ୍‌ବ୍ୟାକ୍ ହେଉଥିଲା ବୋଲି ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ମନ୍ତ୍ରୀ କହିଛନ୍ତି ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଅଣାଯିବ।

Advertisment

ସନ୍ଦେହରେ IAS ବିଷ୍ଣୁପଦ ସେଠୀ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ। ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ? ଏମିତି କି ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ କାମ ଦେଇଛନ୍ତି ବିଷ୍ଣୁପଦ। ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ସହ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ ଉଠିଛି ଏଭଳି ପ୍ରଶ୍ନ। ଏବେ ଓଟିଭି ହାତରେ ଲାଗିଛି ଆଉ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ। ଗତକାଲି ପଢିଥିଲେ କେମିତି ନୟାଗଡ଼ ଏବଂ ବୌଦ୍ଧର ହାଇସ୍କୁଲ ଓ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ପାଇଁ ବ୍ରିଜ ଆଣ୍ଡ ରୁଫ୍ କଂପାନୀକୁ ଚିଠି ଲେଖିଥିଲେ ବିଷ୍ଣୁପଦ। ଆଜି ଆଉ ଏକ ଚିଠିକୁ ସାମ୍ନାକୁ ଆସିଛି, ସମାନ ଅକ୍ଟୋବର ୧୯ ତାରିଖରେ କଳାହାଣ୍ଡି ଏବଂ ବାଲେଶ୍ୱରର ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ଦେବାକୁ କେନ୍ଦ୍ରୀୟ ଉଦ୍ୟୋଗ NBCCକୁ ଚିଠି ଲେଖିଛନ୍ତି ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ଖାଲି NBCC ନୁହେଁ ଏମିତି କି ଜଳଶକ୍ତି ବିଭାଗ ଅଧୀନରେ ଥିବା ଉଦ୍ୟୋଗ WAPCOS ଲିମିଟେଡକୁ ବି ଅନୁଗୁଳ, ଗଞ୍ଜାମ, ରାୟଗଡ଼ାର ହାଇସ୍କୁଲ ଏବଂ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ଦେବାକୁ ସେ ଚିଠି ଲେଖିଛନ୍ତି। ଏପେଟ ଓଡ଼ିଶା ଠିକାଦାର ମହାସଂଘ ସାଂଘାତିକ ଅଭିଯୋଗ ଆଣି କହିଛି, ଓଡ଼ିଆ ଠିକାଦରଙ୍କୁ କାମ ନଦେବାକୁ କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ କାମ ଦେଇଛନ୍ତି। ସେମାନଙ୍କ ଜରିଆରେ ବ୍ୟାପକ ଟଙ୍କା କାରବାର ହେଉଥିବା ମଧ୍ୟ ମହାସଂଘ ଅଭିଯୋଗ କରିଛି।

ଅଧିକ ପଢନ୍ତୁ: ଦୋଛକିରେ BJD.. ଦ୍ୱନ୍ଦ୍ୱରେ ନେତା; ବିଗିଡ଼ିଲାଣି ସଂଗଠନ.. ଦୋହଲିଗଲାଣି ନେତୃତ୍ୱ !

Advertisment

ଆଉ ଆଖି ତରାଟି ଦେଲା ଭଳି ତଥ୍ୟ ହେଉଛି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଅପଗ୍ରେଡେସନ କାମ ବି କେନ୍ଦ୍ରୀୟ ଉଦ୍ୟୋଗକୁ ଦିଆଯାଇଛି। ସେଣ୍ଟ୍ରାଲ ଇଲେକ୍ଟ୍ରୋନିକସ୍ ଲିମିଟେଡ୍ ଯାହାକି କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରେ। କିନ୍ତୁ ଏହି କଂପାନୀକୁ ବି କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲ କାମ ବାଣ୍ଟିଛନ୍ତି ବିଷ୍ଣୁପଦ। ଯାହାକୁ ନେଇ ଗତ ୬ ତାରିଖରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ। ବ୍ଲାକ ଲିଷ୍ଟେଡ୍ ସଂସ୍ଥା WAPCOSକୁ କିଭଳି କାମ ଦିଆଗଲା ବୋଲି ଅଭିଯୋଗ କରିଥିଲା କଂଗ୍ରେସ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମନ୍ତ୍ରୀ କହିଛନ୍ତି, ତଦନ୍ତ ଚାଲିଛି, ସତ୍ୟାସତ୍ୟ ସାମ୍ନାକୁ ଆସିବ। କାହାକୁ କାମ ଦିଆଯିବ ସରକାର ବିଚାର କରୁଛନ୍ତି। 

ଏସବୁ ଭିତରେ ବଡ଼ ପ୍ରଶ୍ନ କାହିଁକି ସ୍କୁଲ କାମଗୁଡିକ କେନ୍ଦ୍ରୀୟ ଉଦ୍ୟୋଗ ଗୁଡିକୁ ବଣ୍ଟାଗଲା? ଯଦି ବିଭାଗ ନିଜେ ନ କରିପାରିଲା OBCC ମାଧ୍ୟମରେ ବି କରିପାରିଥାନ୍ତେ ସରକାର। କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ କାମ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ନା ନିଜେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ? ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏସବୁ ହୋଇଥିଲା ତ? ଏ ବାବଦରେ ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ପାଇଁ ଯୋଗଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। 

ଅଧିକ ପଢନ୍ତୁ: ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି; ଜାନୁଆରୀ ସୁଦ୍ଧା ସରିବ ଅଳଙ୍କାର ଗଣତି-ମଣତି !

CBI Politics Bishnupada Sethi IAS Officer
Advertisment
Advertisment