ଆମେରିକା କିପରି ଭାରତରୁ ଚିଙ୍ଗୁଡି କିଣିବ। କେମିତି ଲାଭବାନ ହେବେ ଭାରତୀୟ ମତ୍ସ୍ୟଜୀବୀ। ଏଥିପାଇଁ ଆରମ୍ଭ ହୋଇଛି କସରତ। ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର ବା TED। ଏନେଇ ପାରାଦୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ନେଇ କଇଁଛ ନିର୍ଗମନ ଯନ୍ତ୍ରର ଡେମୋ କରାଯାଇଛି। TED ଫିସିଂ ନକରିବା କାରଣରୁ ଆମେରିକାର ୨୦୧୮ରୁ ଭାରତ ଉପରେ ଚିଙ୍ଗୁଡ଼ି ରପ୍ତାନୀ ଉପରେ ବ୍ୟାନ ଲଗାଇଛି। ସେପଟେ ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି, TED ଲଗାଇଲେ କଇଁଛ ସୁରକ୍ଷିତ ଭାବରେ ଜାଲରୁ ବାହାରି ଯାଉଥିବା ବେଳେ ୧୨ ପ୍ରତିଶତ ବଡ଼ ମାଛ ବି ଖସି ଯାଉଛନ୍ତି।
ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର। ମାଛ ଧରିବା ବେଳେ ସୁରକ୍ଷିତ ରହିବେ କଇଁଛ। TED ଲାଗିଲେ ସେମାନେ ଆଉ ମୃତ୍ୟୁ ମୁଖରେ ପଡ଼ିବେନି। ଅତି ସହଜରେ ଜାଲରୁ ବାହାରିଯିବେ। ଇଏ ହେଉଛି ସେହି ଯନ୍ତ୍ର। TED ଫିସିଂ କଲେ ଭାରତରୁ ସାମୁଦ୍ରିକ ଚିଙ୍ଗୁଡି ନେବ ଆମେରିକା। ଫାଇଦା ପାଇବେ ମତ୍ସ୍ୟଜୀବୀ। ଭାରତୀୟଙ୍କ ପାଇଁ ପୁଣି ଖୋଲିବ ଆମେରିକାର ମାଛ ବଜାର। ଏଥିପାଇଁ ଆରମ୍ଭ ହୋଇଛି କସରତ। ପାରାଦୀପ ସମୁଦ୍ରରେ ପ୍ରଥମ ଥର ହୋଇଛି TED ଫିସିଂ ଡେମୋ। ୨ଟି ବୋଟରେ କଇଁଛ ନିର୍ଗମନ ଯନ୍ତ୍ର ଲଗାଇ ପରୀକ୍ଷଣ ହୋଇଛି। ଗୋଟିଏରେ TED ଓ ଅନ୍ୟଟିରେ ବିନା TEDରେ ଜାଲ ପକାଇ ମାଛ ଧରାଯାଇଥିଲା। ମତ୍ସ୍ୟଜୀବୀ TED ବ୍ୟବହାର କଲେ ଭାରତ ଉପରେ ୨୦୧୮ରୁ ଲଗାଇଥିବା ବ୍ୟାନ ହଟାଇବ ଆମେରିକା। ଜାପାନ, ୟୁରୋପ ଭଳି ଆମେରିକା ବଜାରରେ ବି ଭାରତର ଚିଙ୍ଗୁଡ଼ି ପହଞ୍ଚିବ।
Also Read
ଅଧିକ ପଢନ୍ତୁ: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର; ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ପାଇଥିଲେ ୨ୟ ରାଙ୍କ୍
TEDକୁ ନେଇ ଟେନସନରେ ମତ୍ସ୍ୟଜୀବୀ। ଜାଲରୁ ବଡ଼ ମାଛ ଖସି ଯିବା ଆଶଙ୍କା କରୁଛନ୍ତି। ମତ୍ସ୍ୟଜୀବୀ ଅଭିଯୋଗ କରୁଛନ୍ତି, ଜାଲରୁ ଖସି ଯାଉଛନ୍ତି ପାମ୍ଫଲେଟ୍, ଟାଇଗର ଚିଙ୍ଗୁଡ଼ି ଭଳି ୧୨ ପ୍ରତିଶତ ମାଛ। ଯାହା ସେମାନଙ୍କ ରୋଜଗାର ଉପରେ ପ୍ରଭାବ ପକାଇବ। ମତ୍ସ୍ୟଜୀବୀଙ୍କ ଏହି ଦ୍ବନ୍ଦ୍ବ ଦୂର କରିବାକୁ ସାରା ଦେଶରେ TEDର ଡେମୋ କରାଯାଉଛି। ଆଗକୁ ଅସ୍ତରଙ୍ଗ, ବାହାବଳପୁର, ବଳରାମଗଡି ଓ ଧାମରା ସମେତ ଅନ୍ୟାନ୍ୟ ରାଜ୍ୟରେ ଏହାର ପରୀକ୍ଷଣ କରାଯିବ।
TED ହେଉଛି ଏମିତି ଏକ ବସ୍ତୁ, ଯାହାକୁ ମାଛଧରା ଜାଲରେ ଲଗାଯାଇଥାଏ। ଏହାଦ୍ବାରା ମାଛ ଧରିବା ବେଳେ କଇଁଛମାନେ ସୁରକ୍ଷିତ ଭାବରେ ଜାଲରୁ ବାହାରି ଯିବେ। ଏହାଦ୍ବାରା ମତ୍ସ୍ୟଜୀବୀଙ୍କର କୌଣସି କ୍ଷତି ହେବନି। ଗୋଟିଏ ପଟେ କଇଁଛଙ୍କ ସୁରକ୍ଷା, ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ପେଟପାଟଣା। ଏହାରି ଭିତରେ କେମିତି TED ବ୍ୟବହାର କରାଯିବ ଓ ଆମେରିକା ବ୍ୟାନ୍ ଉଠାଇବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ଉଠିଛି।