• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଞ୍ଜେଇ ଜବତ କରିବା ପରେ ଏବେ ଚିନ୍ତାରେ ପୋଲିସ ଓ ଅବକାରୀ ବିଭାଗ । କୋରାପୁଟ ରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରୁଛି ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ । ହେଲେ ଏବେ ଏହାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି । ଏତେ ପରିମାଣର ଗଞ୍ଜେଇ ଜବତ ହେଲାଣି ଯେ, ତାକୁ ରଖିବାକୁ ଜାଗା ନାହିଁ । କେଉଁଠି ରଖିବେ, କ’ଣ କରିବେ ସେହି ଗଞ୍ଜେଇକୁ । ତାହା ଏବେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଭିନ୍ନ ସମୟରେ ଚଢ଼ଉ ବେଳେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ ହୋଇଛି ।

ହେଲେ ସେଇ ଜବତ ଗଞ୍ଜେଇ ରଖିବାକୁ ଏବେ ଜାଗା ଅଭାବ ପଡ଼ିଲାଣି । ସବୁ ଥାନାରେ ଏବେ ଗଞ୍ଜେଇ ଭର୍ତ୍ତି । ମାଲଖାନାରେ ଜାଗା ନାହିଁ । ହାଜତରେ ବି ଥୁଆ ହୋଇଛି ଗଞ୍ଜେଇ ବସ୍ତା । ଯୁଆଡ଼େ ଦେଖିବ ଖାଲି ଗଞ୍ଜେଇ ବସ୍ତା । ଆଉ ଜବତ ହୋଇଥିବା ଗାଡ଼ିରେ ବି ପୁରା ଥାନା ପରିସର ଫୁଲ । ଗୋଟିଏ କି ଦୁଇଟି ନୁହେଁ, କୋରାପୁଟ ଜିଲ୍ଲାର ଅଧିକାଂଶ ଥାନାରେ ଏମିତି ପଡ଼ି ରହିଛି ବସ୍ତା ବସ୍ତା ଗଞ୍ଜେଇ ।

ସବୁଠି ମାଲଖାନା ନଥିବାରୁ ଯେଉଁ ଥାନା ଅଞ୍ଚଳରେ ଜବତ ହେଉଛି, ସେହି ଥାନାରେ ପଡ଼ି ରହୁଛି ଗଞ୍ଜେଇ ବସ୍ତା । ପାଞ୍ଚ ବର୍ଷ ଭିତରେ ଜବତ ହୋଇଥିବା ୧ ଲକ୍ଷ ୬୩ ହଜାର କିଲୋଗ୍ରାମ ଗଞ୍ଜେଇ ୨୩ଟି ଥାନାରେ ଗଦା ହୋଇଛି । ଆଉ ଜାଗା ନଥିବାରୁ ଜବତ ଗଞ୍ଜେଇକୁ ନଷ୍ଟ କରିବା ଲାଗି ପୋଲିସ ଓ ଅବକାରୀ ବିଭାଗ ପଦକ୍ଷେପ ନେଉଛି ।

ଅଧିକ ପଢନ୍ତୁ: ନୂଆ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ, ଦାମୀ କାର୍‌ରେ ସିକ୍ରେଟ୍ ଚାମ୍ବର

କୋରାପୁଟ ଓ ମାଲକାନଗିରି ଜିଲ୍ଲା ରେ ବହୁଳ ଭାବେ ଗଞ୍ଜେଇ ଚାଷ ହେଉଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି । ତେବେ ଅବକାରୀ ବିଭାଗ ଓ ପୋଲିସ ଗଞ୍ଜେଇ ଧରି ବାହା ବାହା ନେଉଥିବା ବେଳେ ବୁଦ୍ଧିଜୀବୀମାନେ ମୂଳ ସମସ୍ୟା ନେଇ ପ୍ରଶ୍ନ କରିଛନ୍ତି । ଗଞ୍ଜେଇ ଚାଷକୁ ଧ୍ୱଂସ ନ କରି ଚୋରା ଚାଲାଣ ରୋକିବା ଯୋଗୁଁ ନିଶା ବିରୋଧୀ ପଦକ୍ଷେପର ସଫଳତା ଉପରେ ସେ ପ୍ରଶ୍ନ କରିଛନ୍ତି । 

କୋରାପୁଟ ଜିଲ୍ଲାର ୨୩ଟି ଥାନାରେ ଗଞ୍ଜେଇ ଚାଲାଣ କରୁଥିବା ୨୨ରୁ ଅଧିକ ଟ୍ରକ, ୨୭ଟିରୁ ଅଧିକ ଏକ୍ସୟୁଭି, ୫୫ରୁ ଅଧିକ ପିକ୍ ଅପ୍ ଭ୍ୟାନ, ୧୨୨ରୁ ଅଧିକ ବିଭିନ୍ନ କାର ଓ ୨୨୫ଟିରୁ ଅଧିକ ବାଇକ୍ ଜବତ ହୋଇଛି । ଜୟପୁର ସଦର ଥାନାରେ ଗାଡି ରଖିବାକୁ ଜାଗା ନ ଥିବାରୁ ଗାଗନାପୁର, ଆମ୍ବାଗୁଡା ଓ ବାରିଣିପୁଟ ଫାଣ୍ଡିକୁ ଗାଡିଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି । ଆଇନଗତ ବ୍ୟବସ୍ଥା ଯୋଗୁଁ ଗାଡ଼ିଗୁଡ଼ିକ ପଡ଼ି ରହୁଛି ବୋଲି କୁହାଯାଇଛି ।

 

(ରିପୋର୍ଟ- ସୂର୍ଯ୍ୟନାରାୟଣ ପଣ୍ଡା, କୋରାପୁଟ)