• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନ ଦିପହରେ ମୋ ବସ୍‌ରୁ ଚୋରି । କ୍ୟାନସର ରୋଗୀଙ୍କ ଠାରୁ ଲୁଟିନେଲେ ଟଙ୍କା । ରାଜଧାନୀ ଭୁବନେଶ୍ୱରର ମୋ ବସ୍ ଭିତରେ ପୁଣି ଜଣେ ଯାତ୍ରୀ ହୋଇଛନ୍ତି ଲୁଟ୍‌ର ଶିକାର । ଦୁର୍ବୃତ୍ତ ତାଙ୍କ ପକେଟରୁ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା । ଗଂଜାମ ପୁରୁଷୋତ୍ତମପୁରର ଆନନ୍ଦ ଗୌଡ ଆଜି ବରମୁଣ୍ଡା ବସଷ୍ଟାଣ୍ଡରୁ ୧୯ ନମ୍ବର ମୋ ବସ୍‌ରେ ଚଢିଥିଲେ । ବୋନ୍ କ୍ୟାନସର ଚିକିତ୍ସା ପାଇଁ ଯାଉଥିଲେ କଟକର ଏକ ଘରୋଇ ହସପିଟାଲକୁ ।

ତେବେ ଆଚାର୍ଯ୍ୟ ବିହାରରୁ ବାଣୀ ବିହାର ମଧ୍ୟରେ କେହି ତାଙ୍କ ପକେଟରୁ ୧୫ ହଜାର ୪ ଶହ ଟଙ୍କା ଲୁଟି ନେଇଥିଲେ। ଏନେଇ ବସ୍‌ର ଗାଇଡ୍‌ଙ୍କୁ ଅଭିଯୋଗ କରିବା ପରେ ରସୁଲଗଡ଼ ଛକରେ ଅଟକିଥିଲା ବସ୍ । PCR ଭ୍ୟାନ ଆସି ସବୁ ଯାତ୍ରୀଙ୍କୁ ପଚରାଉଚରା କରିଥିଲା । ହେଲେ ମିଳିନଥିଲା ଆନନ୍ଦଙ୍କ ଟଙ୍କା ।

ପୂର୍ବରୁ ମଧ୍ୟ ମୋ ବସ୍‌ରେ ଚୋରି ନେଇ ଏକାଧିକ ଅଭିଯୋଗ ହୋଇଛି । ଗତ ଶୁକ୍ରବାର ମୋ ବସ୍ ୧୮ ନମ୍ବର ରୁଟ୍‌ରେ ଫାୟାର ଷ୍ଟେସନରୁ ଜୟଦେବ ବିହାର ଆସୁଥିବା ବସ୍‌ରେ କିଛି ଯାତ୍ରୀଙ୍କ ଠାରୁ ଚୋରି ହୋଇଥିଲା ମୋବାଇଲ୍ । ସେଦିନ ଜୟଦେବ ବିହାରରୁ ଫର୍ଚ୍ୟୁନ୍ ଟାଓ୍ୱାର ଯାଉଥିବା ମୋ ବସ୍‌ରେ ମଧ୍ୟ ଜଣେ ଯାତ୍ରୀ ହୋଇଥିଲେ ମୋବାଇଲ୍ ଲୁଟ୍‌ର ଶିକାର । ଅଭିଯୋଗ ପରେ ପୋଲିସ ରାସ୍ତା ମଝିରେ ବସ୍ ଅଟକାଇ ଯାଞ୍ଚ କରିଥିଲା । ହେଲେ ନା ଚୋରି ମୋବାଇଲ୍ ମିଳିଲା ନା ଅଭିଯୁକ୍ତଙ୍କୁ ଧରିପାରିଲା ପୋଲିସ ।

ଭିଡ ଦୃଷ୍ଟିରୁ ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର, କଟକପୁରୀ ରେ ମୋ ବସ୍‌ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ରୁଟ୍‌ରେ ବର୍ତ୍ତମାନ ୨୬୫ଟି ମୋ ବସ୍ ଚଳାଚଳ କରୁଛି । ଲକ୍ଷେରୁ ଅଧିକ ଲୋକ ପ୍ରତିଦିନ ମୋ ବସ୍ ଉପରେ ନିର୍ଭରଶୀଳ । ତେବେ ବସ୍ ଭିତରେ ଦିନକୁ ଦିନ ବଢିଚାଲିଥିବା ଲୁଟ୍‌ପାଟ୍ ଚିନ୍ତାର ବିଷୟ ପାଲଟିଛି । ପ୍ରଶ୍ନ ଉଠୁଛି, ବସ୍‌ରେ ଲାଗିଥିବା ସିସିଟିଭି କାମ କରୁଛି ତ ? ସିସିଟିଭି ଥିବା ସତ୍ତ୍ୱେ କାହିଁକି ଧରାପଡୁନାହାନ୍ତି ଲୁଟେରା ? କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ବିଳମ୍ବ ଲୁଟେରାଙ୍କୁ ସୁହାଉନି କି ।

 

(ରିପୋର୍ଟ- ନିରଂଜନ ରେଡ୍ଡି, ଭୁବନେଶ୍ୱର)