Advertisment

ଦିନେ ରାଜ ଉଆସରେ ରହୁଥିଲେ, ଆଜି ଜେଲ୍‌ରେ ଗଡ଼ାଉଛନ୍ତି ଲୁହ...

ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍‌ମେଲର୍‌ ଏବେ ବିଚାରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍‌ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍‌ସୁମ୍‌ ରହୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Blackmailer Archana Nag

Bhubaneswar SDJM court to hear bail petition of Archana Nag

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍।, ଯାହାର ଠିକଣା ପାଲଟିଛି ଏବେ ଝାରପଡ଼ା ଜେଲ୍। ଆଜିକୁ ୧୧ ଦିନ ହୋଇଗଲାଣି ଜେଲ୍‌ର କାଳ କୋଠରୀରେ ସମୟ କାଟୁଛନ୍ତି ବହୁ କେଳେଙ୍କାରୀର ଏହି ମାୟାବିନୀ। ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍‌ମେଲର୍‌ ଏବେ ବିଚରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍‌ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍‌ସୁମ୍‌ ରହୁଛନ୍ତି। ମନପସନ୍ଦର ହାତରନ୍ଧା ଆଉ ଷ୍ଟାର ହୋଟେଲ୍‌ର ଖାଦ୍ୟ ଖାଉଥିବା ଅର୍ଚ୍ଚନା ଏବେ ଜେଲ୍ ଖାଦ୍ୟ ଖାଇ ରହୁଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଝାରପଡ଼ା ଜେଲରେ ଫିଟିବ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ଙ୍କ କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ 

ଆଉ ସେହି ଆଲିସାନ୍ କୋଠା ନାହିଁ କି ମନପସନ୍ଦର ହାତରନ୍ଧା ଖାଦ୍ୟ କି ଷ୍ଟାର ହୋଟେଲ୍‌ର ଖାଦ୍ୟ ନାହିଁ। ଯିଏ ଦିନେ ବିଳାସମୟ ଜୀବନଯାପନ କରୁଥିଲେ, ଆଜି ଜେଲ୍‌ର ଚାରି କାନ୍ଥ ଭିତରେ କଟାଉଛନ୍ତି ଜୀବନ। ଦିନେ ନାମୀଦାମୀ ଗାଡ଼ି ଚଢ଼ି ମାଳ ମାଳ ଅଳଙ୍କାରରେ ସଜେଇ ହେଉଥିଲେ,  ସେହି କେଳେଙ୍କାରୀର ମାୟାବିନୀ ଏବେ କାଳ କୋଠରୀରେ ବନ୍ଦୀ। ଏବେ ଅର୍ଚ୍ଚନା  ଝାରପଡ଼ା ଜେଲ୍‌ର ମହିଳାଙ୍କ ସାଧାରଣ ୱାର୍ଡରେ ରହୁଛନ୍ତି। 

Advertisment

ତୁର୍କୀର ପଲଙ୍କ ଛାଡ଼ି ଚଟାଣରେ କମ୍ବଳ ପାରି ଶୋଉଛନ୍ତି ଅର୍ଚ୍ଚନା। ଜେଲ୍ ପକ୍ଷରୁ ଦିଆଯାଉଥିବା ବ୍ରେକ୍‌ଫାଷ୍ଟ୍‌, ଲଞ୍ଚ ଆଉ ଡିନର ଖାଇ ରହୁଛନ୍ତି। ଜଳଖିଆରେ ମଟର ତରକାରୀ ଆଉ ଉପମା ଏବଂ ବାର ଅନୁଯାୟୀ ଲଞ୍ଚ ଓ ଡିନରରେ ଦିଆଯାଉଥିବା ଖାଦ୍ୟ ସେ ଖାଉଛନ୍ତି। ଜେଲ୍‌ ଭିତରେ ଥିଲେ ବି ଅର୍ଚ୍ଚନା କୁଆଡ଼େ ଟିଭି ଆଉ ଖବରକାଗଜରୁ ନିଜ ବିଷୟରେ ପ୍ରସାରିତ ସବୁ ଖବର ରଖୁଛନ୍ତି। ଏସବୁ ଖବର ଜାଣିବା ପରେ କେତେବେଳେ ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ମୁହଁ ମାଡ଼ି ଗୁମ୍‌ସୁମ୍‌ ରହୁଛନ୍ତି। କିନ୍ତୁ କୃତ କର୍ମ ପାଇଁ ସେ ଅନୁତାପ କରୁ ନଥିବା ଚର୍ଚ୍ଚା ହେଉଛି।

ଶୁଣାଯାଉଛି, ଜେଲ୍ ଭିତରେ ବି ଅର୍ଚ୍ଚନା ମାୟା ଜାଲ ବୁଣୁଛନ୍ତି। ଜେଲ୍‌ରେ କୁଆଡ଼େ ନିଜର ଦବ୍‌ଦବା ଦେଖାଇବାକୁ ସେ ଉଦ୍ୟମ କରୁଛନ୍ତି। ସାଥୀ  କଏଦୀଙ୍କୁ ଜାମିନ୍ କରାଇଦେବି ଏବଂ ଜାମିନ ପାଇଲେ ମୋ ସହ କାମ କରିବ ବୋଲି ଅର୍ଚ୍ଚନା ପ୍ରବର୍ତ୍ତାଉଥିବା ଶୁଣିବାକୁ ମିଳୁଛି। ପ୍ରତିଦିନ କେବଳ ବାପା, ସ୍ୱାମୀ ଏବଂ ଓକିଲଙ୍କ ସହ କଥାବାର୍ତ୍ତା କରାଇଦେବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ସେ କହୁଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ, ଲେଡି ବ୍ଲାକ୍‌ମେଲର୍ ଅର୍ଚ୍ଚନାଙ୍କୁ ଜାମିନ ମିଳିବ ନା ମିଳିବ ନାହିଁ, ତାହା ଆଜି ସ୍ପଷ୍ଟ ହୋଇପାରେ। ଭୁବନେଶ୍ୱର SDJM କୋର୍ଟରେ ସେ ଜାମିନ ଆବେଦନ କରିଥିଲେ। ଏନେଇ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକ୍‌ମେଲ୍‌ କରିବା, ହତ୍ୟା ଧମକ ଦେବାର ଅଭିଯୋଗ ରହିଛି। ତାଙ୍କ ନାଁରେ ୨ଟି ଅଭିଯୋଗ ପରେ ଅକ୍ଟୋବର ୭ ତାରିଖରେ ତାଙ୍କୁ କମିଶନରେଟ ପୋଲିସ୍‌ ଗିରଫ କରିଥିଲା। ଏବେ ସେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ସେପଟେ ଗିରଫର ୧୦ ଦିନ ପରେ ମଧ୍ୟ ପୋଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ନାହିଁ।  ପୋଲିସ କାହିଁକି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରୁନି ବୋଲି ପ୍ରଶ୍ନ ଉଠୁଛି।  ରିମାଣ୍ଡରେ ନେଇ ଅର୍ଚ୍ଚନାକୁ ଜେରା କଲେ ବଡ଼ ବଡ଼ିଆଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ମଧ୍ୟ ପତ୍ତା ମିଳୁନି।  

Lady Blackmailer Archana Nag
Advertisment
Advertisment