Advertisment

Utkarsh Odisha Conclave: କାମ କଲା ମୋଦି ଗ୍ୟାରେଣ୍ଟି, ଆଶାଠୁ ୩ ଗୁଣା ଭରିଗଲା ଉତ୍କର୍ଷ ଓଡ଼ିଶାର ଅଣ୍ଟି

ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଆଗ୍ରହ ପ୍ରବଳ, କେମିତି ହେବ ସଫଳ ?

କାମ କଲା ମୋଦି ଗ୍ୟାରେଣ୍ଟି, ଆଶାଠୁ ୩ ଗୁଣା ଭରିଗଲା ଉତ୍କର୍ଷ ଓଡ଼ିଶାର ଅଣ୍ଟି । ୧୬ ଲକ୍ଷ କୋଟିରୁ ଅଧିକ ନିବେଶ ଆଗ୍ରହ ଏବଂ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସହ ନୂଆ ଇତିହାସ ରଚିଛି ନୂଆ ସରକାରର ପ୍ରଥମ ଶିଳ୍ପ ମହାକୁମ୍ଭ । ତେବେ ଏଥିରେ ବିପୁଳ ନିବେଶ ଆଗ୍ରହ ସତ୍ତ୍ବେ ବାସ୍ତବତାକୁ ନେଇ ପ୍ରକାଶ ପାଇଛି କଳ୍ପନାଜଳ୍ପନା ।

Advertisment

ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ । ସୃଷ୍ଟି କଲା ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା । ଖାଲି ସେତିକି ନୁହେଁ, ନବୀନଙ୍କ ତିନି ତିନିଟି ମେକ୍ ଇନ୍ ଓଡ଼ିଶାକୁ ଗିଳିଦେଲା ମୋହନଙ୍କ ପ୍ରଥମ ଉତ୍କର୍ଷ ଓଡ଼ିଶା । ୨୦୧୬, ୧୮ ଓ ୨୨ରେ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଜରିଆରେ ରାଜ୍ୟକୁ ଆସିଥିଲା ମୋଟ୍ ୧୬ ଲକ୍ଷ ୬୯ ହଜାର କୋଟି ଟଙ୍କାର ନିବେଶ ଆଗ୍ରହ । ହେଲେ ପ୍ରଥମ ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ମୋହନ ସରକାର ୫୯୩ ପ୍ରକଳ୍ପ ଜରିଆରେ ପାଇଛନ୍ତି ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ।

ଅଧିକ ପଢ଼ନ୍ତୁ: ଦିନକ ପରେ ବଜେଟ୍‌: ଆଶାରେ ବେତନଭୋଗୀ, ମଧ୍ୟବିତ୍ତ ଓ ଆୟକରଦାତା

ଏମିତିକି ଦୁଇ ଦିନିଆ କନକ୍ଲେଭ୍ ଭିତରେ ହିଁ ୧୪୫ ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ବାକ୍ଷର କରି ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ଫିଟାଇଛନ୍ତି ବିଭିନ୍ନ କଂପାନୀ । ଶିଳ୍ପସଂଘର କହିବା କଥା, ମୋଦିଙ୍କ ଗ୍ୟାରେଣ୍ଟି ତଥା ମୁଖ୍ୟମନ୍ତ୍ରୀଙ୍କପ୍ରତିଶ୍ରୁତି ଯୋଗୁ ରାଜ୍ୟକୁ ନିବେଶ ପ୍ରସ୍ତାବ ତ’ ଆସିଛି । ହେଲେ ଏସବୁ ନିବେଶ ପ୍ରସ୍ତାବକୁ କିଭଳି ବାସ୍ତବ ରୂପ ଦିଆଯିବ ତାହା ବଡ଼ ଚ୍ୟାଲେଞ୍ଜ ହେବ । କାରଣ ରାଜ୍ୟରେ ଶିଳ୍ପ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଜମି ଚିହ୍ନଟ ଓ ଅଧିଗ୍ରହଣ । ପୁଞ୍ଜିନିବେଶ ଆଗ୍ରହକୁ ଗ୍ରାଉଣ୍ଡେଡ୍ କରିବା ଲାଗି ରାଜ୍ୟ ସରକାର ଇପିକଲ, ଇଡ୍‌କୋ ଭଳି ନୋଡାଲ ଏଜେନ୍ସିକୁ ସକ୍ରିୟ କରିବା ଆବଶ୍ୟକ । ଖାଲି ସେତିକି ନୁହେଁ, ଏସବୁ ପ୍ରକଳ୍ପର ପରିଚାଳନା ପାଇଁ ସିଏମ୍ଓ ସ୍ତରରେ ଏକ ସ୍ବତନ୍ତ୍ର ସେଲ୍ ସ୍ଥାପନ ପାଇଁ ମଧ୍ୟ ପରାମର୍ଶ ଦେଇଛି ଶିଳ୍ପସଂଘ ।

Advertisment

୧୬ଟି କ୍ଷେତ୍ରରେ ଶିଳ୍ପପତିଙ୍କଠୁ ପୁଞ୍ଜି ଆକୃଷ୍ଟ କରିଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଯଦିଓ ମାଇନିଂ ଓ ମେଟାଲ ଆଧାରିତ ଶିଳ୍ପ ପାଇଁ ସର୍ବାଧିକ ୬ ଲକ୍ଷ ୨୨ ହଜାର ୯୩୧ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୪୮ଟି ଏମଓୟୁ ହୋଇଛି, ଅକ୍ଷୟ ଶକ୍ତି, ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଇକ୍ବିପମେଣ୍ଟ ଭଳି ନୂଆ ପିଢ଼ିର ଶିଳ୍ପ ବି କିଛି କମ୍ ପୁଞ୍ଜି ଆକୃଷ୍ଟ କରିନି । ଶକ୍ତି, ଅକ୍ଷୟ ଶକ୍ତି ଓ ସବୁଜ ଶକ୍ତି କ୍ଷେତ୍ରରେ ୨୫ ଏମଓୟୁ ଜରିଆରେ ରାଜ୍ୟରେ ୪ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ସୃଷ୍ଟି ହୋଇଛି ।

ସେହିପରି କେମିକାଲ, ପେଟ୍ରୋକେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି ଏମ୍ଓୟୁ ଜରିଆରେ ୭୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ଗ୍ରୀନ୍ ଏନର୍ଜି ଇକ୍ବିପମେଣ୍ଟ କ୍ଷେତ୍ରରେ ଆସିଛି ୨୫ ହଜାର ୫୮୯ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ଅର୍ଥନୀତି ବିଶାରଦଙ୍କ ମତରେ, ପ୍ରଧାନମନ୍ତ୍ରୀଙ୍କ ବ୍ରାଣ୍ଡ ଭାଲ୍ୟୁ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଏଭଳି ପୁଞ୍ଜିନିବେଶ ଟାଣିଛି । କିନ୍ତୁ ଶିଳ୍ପ ସ୍ଥାପନରେ ରହିଥିବା ପ୍ରତିବନ୍ଧକକୁ ଜାଣିବା ସହ ଆବଶ୍ୟକ ପଡ଼ିଲେ, ନୀତିରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି ଅର୍ଥନୀତି ବିଶାରଦ ।

ସେପଟେ ଶିଳ୍ପମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଅମଳରେ ଗ୍ରାଉଣ୍ଡିଂ ହୋଇପାରି ନ ଥିବା ଶିଳ୍ପକୁ ଏବେ ବାସ୍ତବ ରୂପ ଦେଉଛନ୍ତି ନୂଆ ସରକାର । ଉତ୍କର୍ଷ ଓଡ଼ିଶାରେ ଆସିଥିବା ନିବେଶ ପ୍ରସ୍ତାବକୁ ଶତ ପ୍ରତିଶତ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିବ ମୋହନ ସରକାର । ଏବେ ଅପେକ୍ଷା, ଉତ୍କର୍ଷ ଓଡ଼ିଶାରେ ରାଜ୍ୟକୁ ଆସିଥିବା ଏସବୁ ପୁଞ୍ଜିନିବେଶ ପ୍ରସ୍ତାବ, ଆଗାମୀ ଦିନରେ ରାଜ୍ୟକୁ କେତେ ଶିଳ୍ପ ସମୃଦ୍ଧ କରୁଛି ।

ଅଧିକ ପଢ଼ନ୍ତୁ: ୨ ଦିନ ପରେ ସାଧାରଣ ବଜେଟ୍‌: କିଏ କ’ଣ ସ୍ୱପ୍ନ ଦେଖୁଛନ୍ତି?

Narendra Modi Mohan Majhi Utkarsh Odisha
Advertisment
Advertisment