ସୁନା କିଣୁଥିଲେ ସତର୍କ ହୁଅନ୍ତୁ । କାରଣ ବଜାରରେ ମିଳୁଛି ନକଲି ସୁନା । ହଲ୍ ମାର୍କ ଲୋଗୋ ଲଗାଇ ବି ଡୁପ୍ଲିକେଟ୍ ସୁନା ବିକ୍ରି କରୁଛନ୍ତି ଦୋକାନୀ । ରାଜ୍ୟରେ ୫ଟି ଅଳଙ୍କାର ଦୋକାନ ନକଲି ସୁନା ବିକ୍ରି କରୁଥିବା ବେଳେ ଧରା ପଡ଼ିଥିବା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ନକଲି ହଲମାର୍କ ପାଇଁ ୪ଟି ଜୁଏଲର୍ସର ଲାଇସେନ୍ସ ବାତିଲ ହୋଇଥିବା ବେଳେ ଗୋଟିଏ ଅଳଙ୍କାର ଦୋକାନ ନାଁରେ ମାମଲା ହୋଇଛି ।
Also Read
ସାବଧାନ ! ହଲମାର୍କ ନାଁରେ ବଜାରରେ ବିକ୍ରି ହେଉଛି ନକଲି ସୁନା । ଶୋଷଣର ଶିକାର ହେଉଛନ୍ତି ଗ୍ରାହକ । ମାଲାମାଲ ହେଉଛନ୍ତି ଅଳଙ୍କାର ଦୋକାନୀ । କେତେବେଳେ ସୁନା ମାନରେ ତ କେବେ ମାପରେ ତ୍ରୁଟି । ଚଢ଼ାଉ ବେଳେ ଧରାପଡିଛି ଏମିତି ଠକେଇ । ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଅଧିକ ପଢ଼ନ୍ତୁ: ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ
ହଲମାର୍କ ନାଁରେ ନକଲି ସୁନା ବିକ୍ରି ଅଭିଯୋଗରେ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି । ସେହିପରି ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ ବରପାଲିର ରାଧାକାନ୍ତ ଓ ସମ୍ବଲପୁର ଅଳଙ୍କାର ଜୁଏଲର୍ସର ବାତିଲ ହୋଇଛି ଲାଇସେନ୍ସ । କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ପଞ୍ଜୀକରଣ ନ କରି ହଲମାର୍କ, ଅଣ ହଲମାର୍କ, ନକଲି ହଲମାର୍କ ସୁନା ଅଳଙ୍କାର ବିକ୍ରି କରୁଥିଲା । ସେହିପରି କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ ବିକ୍ରି କରୁଥିଲା ବିନା ହଲମାର୍କ ସୁନା । ଅନ୍ୟ ୩ଟି ଜୁଏଲାର୍ସ ସୁନା ଅଳଙ୍କାର ନମୁନା ପରୀକ୍ଷାରେ ବିଫଳ ହେବାରୁ ଲାଇସେନ୍ସ ବାତିଲ କରିଛନ୍ତି ସରକାର । ମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି ଜୋରଦାର ହେବ ଚଢ଼ାଉ । ନକଲି ସୁନା ବିକ୍ରି କରୁଥିଲେ ସିଲ୍ ହେବ ଦୋକାନ । ସେପଟେ ନକଲି ସୁନା ବିକ୍ରି କଥାକୁ ଖଣ୍ଡନ କରିଛି ଅମ୍ବିକା ଜୁଏଲରୀ ।
ହଲମାର୍କ ହେଉଛି ସୁନା ଶୁଦ୍ଧତାର ମାପକାଠି । ଏହାକୁ ଭାରତୀୟ ମାନକ ବ୍ୟୁରୋ-BIS ନିର୍ଦ୍ଧାରଣ କରିଛି । BIS ଚିହ୍ନିତ ହଲମାର୍କ ଦ୍ୱାରା ସ୍ୱଷ୍ଟ ହୋଇଥାଏ ଯେ, ସୁନା ଲ୍ୟାବରେ ପରୀକ୍ଷଣ ସହ ଯାଞ୍ଚ କରାଯାଇଛି । BIS ୩ଟି ଗ୍ରେଡର ସୁନା ବଜାରକୁ ଛାଡ଼ିଥାଏ । ୧୪, ୧୮ ଓ ୨୨ କ୍ୟାରେଟ ଯୁକ୍ତ ସୁନା ପାଇଁ ହଲମାର୍କ ମାନକ ନିର୍ଦ୍ଧାରଣ କରିଛି ଭାରତୀୟ ମାନକ ବ୍ୟୁରୋ । ଏହାଦ୍ୱାରା ଆପଣ ଯେଉଁଠୁ କିଣିଲେ କିମ୍ବା ବିକ୍ରି କରୁଥିଲେ କୌଣସି ଅସୁବିଧାରେ ପଡିବେ ନାହିଁ । କିନ୍ତୁ ଏଥିରେ ବି ଠକେଇ କରୁଛନ୍ତି ଦୋକାନୀ । ବିଶେଷଜ୍ଞଙ୍କ ମତରେ, ଦୋକାନୀଙ୍କୁ ଜିଏସଟି ବିଲ୍ ବାଧ୍ୟତାମୂଳକ କଲେ ଠକାମୀରେ ବ୍ରେକ୍ ଲାଗିପାରିବ ।
୨୦୨୨-୨୩ରେ ମାପରେ ତ୍ରୁଟି ଯୋଗୁଁ ୬ଟି ମାମଲା ରୁଜୁ ହୋଇଛି । ସେହିପରି ୨୦୨୩-୨୪ରେ ୬ଟି ମାମଲା ସହ ଆଦାୟ ହୋଇଛି ୧ ଲକ୍ଷ ୫୫ ହଜାର ଫାଇନ । ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୪ଟି ମାମଲାରେ ୪୮ ହଜାର ଜରିମାନା ଆଦାୟ ହୋଇଛି । ଏଭଳି ଠକେଇକୁ ରୋକିବା ପାଇଁ ସୁନା ଦୋକାନୀ ବ୍ୟବହାର କରୁଥିବା ମାପ ଏବଂ ଓଜନ ଯନ୍ତ୍ରଗୁଡ଼ିକର ଯାଞ୍ଚ ସମେତ ବିଭିନ୍ନ ସମୟରେ ରେଡ୍ କରାଯାଉଛି ।