Advertisment

ଶ୍ରୀରାମଲାଲାଙ୍କ ପାଇଁ ଆଠଗଡ଼ରୁ ଗଲା ଅହିଂସା ଖଣ୍ଡୁଆ ପାଟ

ଆଠଗଡ଼ ନୂଆପାଟଣାରୁ ଅଯୋଧ୍ୟା ଗଲା ଖଣ୍ଡୁଆ ପାଟ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଖଣ୍ଡୁଆ ପାଟ ପିନ୍ଧିବେ ରାମଲାଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ayodhya Ram Mandir Inauguration

Ayodhya Ram Mandir

ଶ୍ରୀ ରାମଲାଲାଙ୍କ ପାଇଁ କଟକ ଆଠଗଡ଼ ନୂଆପାଟଣାରୁ ଅଯୋଧ୍ୟା ଗଲା ଅହିଂସା ଖଣ୍ଡୁଆ ପାଟ। ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଏହି ଅହିଂସା ଖଣ୍ଡୁଆ ପରିଧାନ କରିବେ ରାମଲାଲା। ସେଥିପାଇଁ ହସ୍ତତନ୍ତ ପ୍ରସିଦ୍ଧ କଟକ ତିଗିରିଆର ଖଣ୍ଡୁଆ ଗାଁ ଭାବେ ପ୍ରସିଦ୍ଧ ନୂଆପାଟଣା ଗାଁରୁ ଅଯୋଧ୍ୟାକୁ ଯାଇଛି ଗାଁର ବୁଣାକାରଙ୍କ ହାତ ତିଆରି ଅହିଂସା ଖଣ୍ଡୁଆ ପାଟବସ୍ତ୍ର।

Advertisment

ବୁଣାକାରମାନେ ଏହି ଖଣ୍ଡୁଆପାଟକୁ ଅହିଂସା ସୂତାରେ ପ୍ରସ୍ତୁତ କରିଛନ୍ତି। ୧ ନମ୍ବର ବୁଣାକାର ତନ୍ତୁବାୟ ସମିତିର କାରିଗରମାନେ ରାମଲାଲାଙ୍କ ପାଇଁ ୫ ହାତ ଲମ୍ବର ଅଙ୍ଗବସ୍ତ୍ର ଓ ୩ହାତ ଲମ୍ବର ଉତ୍ତରୀୟ ବୁଣିଛନ୍ତି। ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସହ ନୂଆପାଟଣାର ୧ ନମ୍ବର ବୁଣାକାର ସମିତିର ଯୋଗାଯୋଗ ପରେ ଏହି ବସ୍ତ୍ର ନିର୍ମାଣ ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ: ଗର୍ଭଗୃହକୁ କେମିତି ଗଲେ ରାମଲାଲା ? ଦେଖନ୍ତୁ ସେହି ଦିବ୍ୟ ମୁହୂର୍ତ୍ତର ଭିଡିଓ

Advertisment

୧୫ ଦିନ ଧରି ଶୁଦ୍ଧପୂତ ଭାବେ କାରିଗରମାନେ ଏହି ବସ୍ତ୍ର ବୁଣିଛନ୍ତି। ଅହିଂସା ଖଣ୍ଡୁଆ ବସ୍ତ୍ରକୁ ନୂଆପାଟଣାସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଗାଁ ପରିକ୍ରମା କରାଯାଇ ଅଯୋଧ୍ୟା ଅଭିମୁଖେ ନିଆଯାଇଛି। ଏହି ଖଣ୍ଡୁଆ ପାଟବସ୍ତ୍ର ଆଜି ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ।

ଅନ୍ୟପଟେ ଏବେ ସାମ୍ନାକୁ ଆସିଛି ରାମଲାଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ଧଳା ମାର୍ବଲ ଆସ୍ଥାନ ଉପରେ ରାମଲାଲା ବିରାଜମାନ କରିଛନ୍ତି। ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଶ୍ରୀରାମଙ୍କ ମୂର୍ତ୍ତି କପଡ଼ାରେ ଘୋଡ଼ାଇ ରଖାଯାଇଛି।

ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି। ବୁଧବାର ରାମଲାଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା। ଗର୍ଭଗୃହରେ ସ୍ଥାପନ ପୂର୍ବରୁ ମନ୍ଦିର ପରିସରରେ ମୂର୍ତ୍ତି ପରିକ୍ରମା କରିବାର ଯୋଜନା ଥିଲା। ମାତ୍ର ମୂର୍ତ୍ତିର ଓଜନ ଅଧିକ ହେବାରୁ ଏହା ଜାଗାରେ ୧୦ କେଜିର ଚାନ୍ଦି ମୂର୍ତ୍ତି ମନ୍ଦିର ପରିସରରେ ବୁଲାଯାଇଥିଲା। ପରେ ରାମଲାଲାଙ୍କ ମୂର୍ତ୍ତିକୁ ଆସ୍ଥାନରେ ବିରାଜମାନ କରାଯାଇଥିଲା।

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ଏଥିସହ ୪ ହଜାର ସନ୍ଥ ମଧ୍ୟ ଭବ୍ୟ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି।

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଚାଲିଛି ଧାର୍ମିକ ରୀତିନୀତି। ଆଜି ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ନାତି ଥିବା ବେଳେ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି। ସେହିପରି ଆସନ୍ତାକାଲି ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି। ୨୧ ତାରିଖ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି।

ଅଧିକ ପଢ଼ନ୍ତୁ: ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ, ଜୟ ଶ୍ରୀରାମ ନାରାରେ କମ୍ପିଲା ସାରା ଅଯୋଧ୍ୟା

Ayodhya Ram Mandir
Advertisment
Advertisment