ଆଖି ସାମ୍ନାରେ ଚାଲି ଯାଇଛି ମାଆର ଜୀବନ । ସମ୍ଭାଳି ପାରୁ ନାହାନ୍ତି କୋହ । ମା’ ମା’ ଡାକି ହୋଇପଡୁଛନ୍ତି ଅଚେତ । ପାଖରେ କେବଳ ଠିଆ ହୋଇଛି ଭାଇ । ଷ୍ଟେସନର ଦଳାଚକଟା ଉଜାଡ଼ିଦେଇଛି ହସଖୁସିର ସଂସାର । ହସଖୁସିରେ ପ୍ରୟାଗରାଜ ଯିବାକୁ ଆସିଥିବା ପରିବାରରେ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ । ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡ଼ିଥିବା ଅସଂଖ୍ୟ ଜୋତା, ପଟି ପଟିକିଆ ଚପଲ୍, ରଙ୍ଗବେରଙ୍ଗର ଦୁପଟ୍ଟା, ଜ୍ୟାକେଟ୍, ମଫଲର, ଦରଛିଣ୍ଡା ବ୍ୟାଗ୍ ସବୁ ହିଁ ବଖାଣୁଥିଲା ସ୍ଥିତିର ଭୟାବହତା । ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି ।
କେଉଁ କାରଣରୁ ହେଲା ଏତେବଡ ଅଘଟଣ ? କାହିଁକି ବେକାବୁ ହେଲା ଭିଡ଼ ? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା । ରେଲୱେ ପ୍ରଶାସନର ଉଚ୍ଚସ୍ତରୀୟ ତଦନ୍ତ କମିଟି ଯାଞ୍ଚ ଆରମ୍ଭ କରିଥିବା ବେଳେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ଥିତି ବିଷୟରେ ଅବଗତ କରିଛନ୍ତି । କୁହାଯାଉଛି ଷ୍ଟେସନରେ ପ୍ରବଳ ଭିଡ଼ ସାଙ୍ଗକୁ ଟ୍ରେନ୍ ଆସିବାରେ ବିଳମ୍ବ ଏବଂ ପରବର୍ତ୍ତୀ ସମୟରେ ଆନାଉନ୍ସମେଣ୍ଟ ଓ ପ୍ଲାଟଫର୍ମ ଦ୍ବନ୍ଦ୍ବ ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
Also Read
ରାତି ପ୍ରାୟ ୯ରୁ ସାଢ଼େ ୯ଟା ଭିତରେ ଦଳାଚକଟା ହୋଇଛି । ରେଲୱେର ସୂଚନା ଅନୁଯାୟୀ, ୧୪ ନମ୍ବର ପ୍ଲାଟଫର୍ମରେ ପ୍ରୟାଗରାଜ ଏକ୍ସପ୍ରେସ୍ ଆସିବାର ଥିଲା । ଏଥିପାଇଁ ଲୋକେ ଅପେକ୍ଷାରେ ଥିଲେ । ଏହା ଭିତରେ ୧୨ ନମ୍ବର ପ୍ଲାଟଫର୍ମରେ ସ୍ପେଶାଲ ଟ୍ରେନ୍ ଆସିବା ନେଇ ଘୋଷଣା ହେବାରୁ ୧୪ ନମ୍ବର ପ୍ଲାଟଫର୍ମରେ ଥିବା ଭିଡ଼ ହଠାତ୍ ୧୨ ନମ୍ବର ପ୍ଲାଟଫର୍ମ ମୁହାଁ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା । ସେପଟେ ଦିଲ୍ଲୀ ପୋଲିସ କହିଛି ଦୁଇଟି ଟ୍ରେନ୍ର ନାଁ ଆରମ୍ଭରୁ ପ୍ରୟାଗରାଜ ଥିବାରୁ ଏହାହିଁ ଯାତ୍ରୀଙ୍କ ଭିତରେ ବଡ଼ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା । କାରଣର ୧୪ ନମ୍ବର ପ୍ଲାଟଫର୍ମରେ ପ୍ରୟାଗରାଜ ଏକ୍ସପ୍ରେସ୍ ପହଞ୍ଚିବାର ଠିକ୍ ପରେ ପରେ ୧୬ ନମ୍ବରରେ ପ୍ରୟାଗରାଜ ସ୍ପେସିଆଲ୍ ଟ୍ରେନ୍ ପହଞ୍ଚିବା ନେଇ ଘୋଷଣା ହେଲା ।
ଅଧିକ ପଢ଼ନ୍ତୁ : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ, ଭିଡ ନିୟନ୍ତ୍ରଣ ପାଇଁ ଗଡିଲା ସ୍ପେଶାଲ ଟ୍ରେନ
ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରେ ୧୧ ମହିଳା ଓ ୪ ଶିଶୁ ରହିଛନ୍ତି । ଏଥିସହ ଆହତ ୧୩ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତନାଘନା ଚାଲିଛି । ନର୍ଦ୍ଦନ ରେଲୱେର ପିସିସିଏମ୍ ନେତୃତ୍ୱରେ ଦୁଇଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି ।
ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥିତି ସଂପର୍କରେ ଅବଗତ କରିଛନ୍ତି । ଗତକାଲିର ଘଟଣା ପରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନ୍ ଦେଇ ଆଜି ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିଛି । ରେଲୱେ ପକ୍ଷରୁ ଦଳଚକଟାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।
ଅପରପକ୍ଷେ ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାକୁ ନେଇ ଜୋର୍ ଧରିଛି ରାଜନୀତି । ଏହି ଘଟଣା ପୁଣି ରେଳବିଭାଗର ଅପାରଗତା ଓ ସରକାରଙ୍କ ଅସମ୍ବେଦନଶୀଳତାକୁ ପଦାରେ ପକାଇଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ପ୍ରୟାଗରାଜ ଯାଉଥିବା ଶ୍ରଦ୍ଧାଳୁଙ୍କ ବିରାଟ ଭିଡ଼କୁ ଦେଖି ରେଳ ଷ୍ଟେସନରେ ଭଲ ବନ୍ଦୋବସ୍ତ କରିବା ଦରକାର ଥିଲା । ଅବ୍ୟବସ୍ଥା ଯୋଗୁଁ କାହାକୁ ଜୀବନ ଦେବାକୁ ନପଡ଼ୁ ବୋଲି ସରକାର ଓ ପ୍ରଶାସନକୁ ସୁନିଶ୍ଚିତ କରିବା ଆବଶ୍ୟକ ଥିଲା ବୋଲି ସେ ଲେଖିଛନ୍ତି । ଆପ୍ ବି ରେଳ ବିଭାଗ ଅବ୍ୟବସ୍ଥାରୁ ଅଘଟଣ ପାଇଁ ଦାୟୀ କରିଛି । ଅନ୍ୟପକ୍ଷରେ ବଡ଼ ଅଘଟଣ ସମୟରେ ଏଭଳି ବୟାନବାଜି କରୁଥିବା ନେତାଙ୍କୁ ରାଜନୈତିକ ଶାଗୁଣା ଶ୍ରେଣୀର ବୋଲି କହି କଡ଼ା ଭାଷାରେ ନିନ୍ଦା କରିଛି ବିଜେପି ।