Advertisment

Brave Air Force Hero: ଅପରେସନ୍ ସିନ୍ଦୁରରେ ହରାଇଛନ୍ତି ଗୋଟିଏ ହାତ, ମାରିଲେ ସିଂହ ସାଲ୍ୟୁଟ୍

ବାୟୁସେନାର ପୋଷାକ ପିନ୍ଧି ବୀର ଠାଣିରେ ଆସି ସେ ମାରୁଛନ୍ତି ସାଲ୍ୟୁଟ। ଆଉ ଶତୃର ଆକ୍ରମଣ ସମୟରେ ସେ ଦେଖାଇଥିବା ଅଟଳ ସାହାସିକତା ପାଇଁ ତାଙ୍କୁ ମିଳିଛି ବାୟୁସେନା ପଦକ ।

author-image
Chinmayee Sahoo
Oparation-Sindoor-Brave-Solder

Oparation-Sindoor-Brave-Solder Photograph: (OTV)

ମୁଖରେ ଗର୍ବର ହସ, ଛାତିରେ ବୀରତ୍ୱର ମେଡାଲ ଆଉ ଶରୀରରେ ଶତ ସିଂହର ବଳ। ବାୟୁସେନାର ପୋଷାକ ପିନ୍ଧି ବୀର ଠାଣିରେ ଆସି ସେ ମାରୁଛନ୍ତି ସାଲ୍ୟୁଟ। ଆଉ ଶତୃର ଆକ୍ରମଣ ସମୟରେ ସେ ଦେଖାଇଥିବା ଅଟଳ ସାହାସିକତା ପାଇଁ ତାଙ୍କୁ ମିଳିଛି ବାୟୁସେନା ପଦକ। ଭେଟନ୍ତୁ କର୍ପୋରାଲ ବରୁଣ କୁମାରଙ୍କୁ। ଭାରତୀୟ ବାୟୁସେନାର ସେ ଏପରି ଏକ ଯୋଦ୍ଧା ଯିଏ ଅପରେସନ୍ ସିନ୍ଦୁର (Operation Sindoor) ସମୟରେ ନିଜ ଡାହାଣ ହାତ ହରାଇ ଥିଲେ। ଗୋଟିଏ ହାତ ନଥାଇ ମଧ୍ୟ ଦେଶକୁ ରକ୍ଷା କରିବାର ସଂକଳ୍ପ ତାଙ୍କର ଭାଙ୍ଗି ନଥିଲା। ସେ ଦମ୍ଭର ସହ ଲଢ଼ିଚାଲିଲେ। ଆଉ ଏହି ସାହାସିକତା ପାଇଁ ତାଙ୍କୁ ୮ ଅକ୍ଟୋବର, ୨୦୨୫ ଗାଜିଆ ବାଦର ହିଣ୍ଡନ୍ ବାୟୁସେନା ଘାଟିରେ ଭାରତୀୟ ବାୟୁସେନାର ୯୩ତମ ବାର୍ଷିକ ଉତ୍ସବ ଅବସରରେ ବାୟୁବୀର ପଦକ ପ୍ରଦାନ କରାଯାଇଥିଲା। ବାୟୁସେନା ମୁଖ୍ୟଙ୍କ ସମ୍ମୁଖରେ ଛିଡ଼ା ହୋଇ ବରୁଣ ବାମହାତରେ ମାରିଥିବା ସାଲ୍ୟୁଟରେ ତାଙ୍କର ସାହସ ଓ ଦୃଢ଼ତା ସ୍ପଷ୍ଟ ଭାବେ ନଜର ଆସୁଥିଲା।
କେରଳର ଆଲାପୁଝାର ବାସିନ୍ଦା ବରୁଣ ୨୦୧୩ରେ ଭାରତୀୟ ବାୟୁସେନାରେ ଡାକ୍ତରୀ ସହାୟକ ଭାବରେ ଯୋଗ ଦେଇଥିଲେ। ଦୁଇ ବର୍ଷରୁ ଅଧିକ ସମୟ ପାଇଁ ସେ ଉଧମପୁର ଏୟାରବେସ୍‌ରେ ଷ୍ଟେସନରେ ଜରୁରୀକାଳୀନ ଚିକିତ୍ସା ପ୍ରଦାନ କରୁଥିଲେ। ତେବେ ୧୦ ମଇ ୨୦୨୫ ଅପରେସନ୍ ସିନ୍ଦୂର ସମୟରେ ଏକ ପାକିସ୍ତାନୀ କ୍ଷେପଣାସ୍ତ୍ର ଉଧମପୁର ଏୟାରବେସ୍ ଉପରେ ଆକ୍ରମଣ କରିଥିଲା। ସେହି ସମୟରେ ବରୁଣ ଡ୍ୟୁଟିରେ ଥିଲେ। ଆଉ ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କର ଡାହାଣ ହାତ କଟି ଯାଇଥିଲା ଏବଂ ତାଙ୍କୁ ଅନେକ ଆଘାତ ଲାଗିଥିଲା।
ବରୁଣଙ୍କୁ ତୁରନ୍ତ ଉଧମପୁରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ୩୫ ଦିନ ICUରେ ରହିଥିଲେ। ସୁସ୍ଥ ହେବା ପରେ ବରୁଣଙ୍କୁ ପୁନେର ଆର୍ଟିଫିସିଆଲ୍ ଲିମ୍ୱ ସେଣ୍ଟର ବା ALCକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କ ଶରୀରରେ ବାୟୋନିକ୍ସ ଏବଂ କସମେଟିକ୍ କୃତ୍ରିମ ହାତ ଲଗାଯାଇଥିଲା। ଆଉ ବରୁଣ ସେଠାରେ ତାଙ୍କ ବାମ ହାତ ସାହାଯ୍ୟରେ ଦୈନନ୍ଦିନ କାର୍ଯ୍ୟ କରିବା ଶିଖିଥିଲେ। ଏହି କଠିନ ସମୟରେ ତାଙ୍କ ପତ୍ନୀ, ଅଞ୍ଜୁ ଏବଂ ସାନ ପୁଅ ବିହାନ ତାଙ୍କ ସାହାସକୁ ଆହୁରି ଦୃଢ଼ କରିଥିଲେ। ଅଞ୍ଜୁଙ୍କୁ ବରୁଣ ସବୁବେଳେ କହୁଥିଲେ, 'ଦୁଃଖ କାହିଁକି କରିବି ଦେଶପ୍ରେମ ଦେଖାଇବା ପାଇଁ ଏବେ ବି ମୋର ଗୋଟିଏ ହାତ ଅଛି।'" ଯାହା ଦେଶସେବା ପାଇଁ ତାଙ୍କର ସଂକଳ୍ପବଦ୍ଧତାକୁ ଦର୍ଶାଉଛି ।
ବାୟୁସେନା ଦିବସ ସମୟରେ, ପୂର୍ଣ୍ଣ ୟୁନିଫର୍ମ ଏବଂ ପଦକ ପିନ୍ଧି ନିଜ ବାମ ହାତରେ ପ୍ରଥମ ଥର ସଲାମ କରିଥିଲେ ବରୁଣ। ଯାହା ଏକ ସାଧାରଣ ସାଲ୍ୟୁଟ ନଥିଲା ବରଂ ତାଙ୍କର ସାହସ, ଶୃଙ୍ଖଳା ଏବଂ ସେବା ପ୍ରତି ଅଟଳ ସମର୍ପଣର ପ୍ରତୀକ ହୋଇଗଲା। ଆଉ ସମଗ୍ର ଭାରତୀୟ ବାୟୁସେନା ସମ୍ପ୍ରଦାୟ ପାଇଁ ଗର୍ବ ଏବଂ ପ୍ରେରଣାର ଉତ୍ସ ପାଲଗଲେ କର୍ପୋରାଲ ବରୁଣ କୁମାର।

Advertisment

ଅଧିକ ଦେଖନ୍ତୁ:

Operation Sindoor
Advertisment
Related Articles
Advertisment