Advertisment

Israel-Gaza Ceasefire: ଇସ୍ରାଏଲ-ହମାସ ଅସ୍ତ୍ରବିରତି; ୨୦ ଜଣ ବନ୍ଧକ ଗାଜାରୁ ମୁକ୍ତ

ଦୀର୍ଘ ଦୁଇ ବର୍ଷର ଯୁଦ୍ଧ ପରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଛି ଅସ୍ତ୍ରବିରତି। ସମସ୍ତ ୨୦ ଜଣ ବନ୍ଧକଙ୍କୁ ଗାଜାରୁ ମୁକ୍ତ କରାଯାଇଛି। ପ୍ରଥମେ ୭ ଜଣ ଓ ପରେ ୧୩ ଜଣ ମୁକ୍ତ ହୋଇଛନ୍ତି।

author-image
Chinmayee Sahoo
Israel-Hamas-Ceasefire

Israel-Hamas-Ceasefire Photograph: (OTV)

ଇସ୍ରାଏଲ ଏବେ ଖୁସିର ଲୁହରେ ଭାସୁଛି। ସତେ ଯେପରି ଦୀପାବଳିର ମାହୋଲ୍। ଦୀର୍ଘ ଦୁଇ ବର୍ଷର ଯୁଦ୍ଧ ପରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଛି ଅସ୍ତ୍ରବିରତି। ସମସ୍ତ ୨୦ ଜଣ ବନ୍ଧକଙ୍କୁ ଗାଜାରୁ ମୁକ୍ତ କରାଯାଇଛି। ରିପୋର୍ଟ ଅନୁସାରେ, ସେମାନଙ୍କୁ ଦୁଇଟି ବ୍ୟାଚ୍‌ରେ ମୁକ୍ତ କରାଯାଇଛି - ପ୍ରଥମ ବ୍ୟାଚ୍‌ରେ ୭ ଜଣ ଏବଂ ଦ୍ୱିତୀୟ ବ୍ୟାଚ୍‌ରେ ୧୩ ଜଣ ବନ୍ଧକଙ୍କୁ ମୁକ୍ତି କରାଯାଇଛି। ବନ୍ଧକମାନେ ଇସ୍ରାଏଲରେ ପହଞ୍ଚିଛନ୍ତି ଆଉ ସେମାନଙ୍କ ପରିବାରକୁ ଭେଟିଛନ୍ତି।
ନିଜ ଘର, ନିଜ ଜନ୍ମମାଟି ଆଉ ନିଜ ଲୋକଙ୍କଠାରୁ ଦୂରରେ, ଶତ୍ରୁମାନଙ୍କ ଛାୟାରେ ରହିବା କେତେ କଷ୍ଟକର ତାହା ଆପଣ କିମ୍ବା ଆମେ କେବଳ କଳ୍ପନା କରିପାରିବା। କିନ୍ତୁ ଏହି ଭୟଙ୍କର ପରିସ୍ଥିତିର ଅନୁଭବ କ’ଣ କେବଳ ସେହି ମୁକ୍ତ ବନ୍ଧକମାନେ ହିଁ ଜାଣିଥିବେ। ସେମାନେ ପରିବାରକୁ ଫେରି ଆସିଥିବାରୁ ଖେଳିଯାଇଛି ଖୁସିର ଲହରି। 
ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଏହି ମୁକ୍ତି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଆମେରିକା-ସମର୍ଥିତ ଅସ୍ତ୍ରବିରତି ଚୁକ୍ତିନାମାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର "ଗାଜାରେ ଯୁଦ୍ଧ ଶେଷ ହୋଇଛି” ବୋଲି ଘୋଷଣା କରିଥିଲେ। ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ ୨୦ ଜଣ ଜୀବିତ ବନ୍ଧକଙ୍କୁ ମୁକ୍ତି କରିଛି। ଏହାର ବିନିମୟରେ, ଇସ୍ରାଏଲ ୧୯ ଶହରୁ ଅଧିକ ପାଲେଷ୍ଟାଇନୀ ବନ୍ଦୀଙ୍କୁ ମୁକ୍ତ କରିବ।
ତେବେ ୭ ଅକ୍ଟୋବର, ୨୦୨୩ ସକାଳେ ଇସ୍ରାଏଲରେ ଚାଲିଥିଲା ନୋଭା ସଂଗୀତ ମହୋତ୍ସବ। ଏହି ମାହୋଲ୍ ଭିତରେ ହମାସ ଆତଙ୍କବାଦୀମାନେ ଏକ ଭୟଙ୍କର ଆକ୍ରମଣ କରିଥିଲେ, ଯାହା ଇସ୍ରାଏଲର ଇତିହାସରେ ଏକ କଳା ଦାଗ ପାଲଟିଗଲା। ହଜାର ହଜାର ଇହୂଦୀଙ୍କ ହତ୍ୟାକାଣ୍ଡ ସହିତ, ହମାସ ୨୫୧ ଜଣଙ୍କୁ ଅପହରଣ କରିଥିଲା।
ଏହାର ଜବାବରେ, ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ବୋମା ମାଡ଼ କରିଥିଲା। ପ୍ରାଥମିକ ଶାନ୍ତି ଚୁକ୍ତିରେ ହମାସ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିଥିଲା, କିନ୍ତୁ ପ୍ରାୟ ୫୦ରୁ ୬୦ ବନ୍ଧକ ରହିଯାଇଥିଲେ।
ହମାସ ଏହି ବନ୍ଧକମାନଙ୍କ ମଧ୍ୟରୁ ଅନେକଙ୍କୁ ମୃତ୍ୟୁଦଣ୍ଡ ଦେଇଛି, ଏବଂ ବର୍ତ୍ତମାନ କେବଳ ୨୦ ଜଣ ଜୀବିତ ଅଛନ୍ତି। ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲ ଚାହୁଁଛି ଯେ ଏହାର ନାଗରିକମାନେ ମୃତ କି ଜୀବିତ ଦେଶକୁ ଫେରି ଆସନ୍ତୁ। ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଯାଇଛି।

Advertisment

ଅଧିକ ଦେଖନ୍ତୁ:

Israel
Advertisment
Advertisment