/odishatv-khabar/media/media_files/2026/01/03/database-2026-01-03-17-13-22.jpg)
Database Photograph: (OTV)
ଭାରତରେ ଘଟୁଥିବା ଅପରାଧ ଓ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ପ୍ରଥମ କେନ୍ଦ୍ରୀୟ ଡିଜିଟାଲ ଅସ୍ତ୍ରଶସ୍ତ୍ର ଡାଟାବେସ ଲଞ୍ଚ କରିଛନ୍ତି । ଯଦ୍ୱାରା ଏନଆଇଏ (NIA)ର ଆତଙ୍କ ବିରୋଧୀ ସମ୍ମିଳନୀ ସିଷ୍ଟମ ଏବେ ସାରାଦେଶର ଅସ୍ତ୍ରଶସ୍ତ୍ର ସମ୍ୱନ୍ଧୀୟ ଗତିବିଧି ଉପରେ ନଜର ରଖିପାରିବ ।
ଲଷ୍ଟ, ଲୁଟେଡ ଆଣ୍ଡ ରିକଭର ଫାୟାରଆର୍ମସ (LLRF) ନାମକ ଏହି ଡାଟାବେସରେ ରେକର୍ଡ ହେବ ଦେଶବ୍ୟାପୀ ହେଉଥିବା ସମସ୍ତ ଚୋରି, ଲୁଟ୍, ନିଖୋଜ ଏବଂ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର । ପ୍ରତ୍ୟେକ ଅସ୍ତ୍ରଶସ୍ତ୍ରକୁ ଏହାର କ୍ରମିକ ସଂଖ୍ୟା, ମଡେଲ, କାଲିବର୍ ଏବଂ ପୁନରୁଦ୍ଧାର ସ୍ଥାନ ଦ୍ୱାରା ଚିହ୍ନଟ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଡିଜିଟାଲ ଡାଟାବେସ୍ କ’ଣ ? ଏହା ଆତଙ୍କବାଦ ଏବଂ ଅପରାଧ ବିରୋଧୀ ଲଢ଼େଇରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଗୁଡ଼ିକୁ କିପରି ସହାୟତା କରିବ ? ସରକାରଙ୍କୁ ଏହି ପଦକ୍ଷେପ ନେବାର କାହିଁକି ଆବଶ୍ୟକତା ପଡ଼ିଲା ?
କାହିଁକି ଚର୍ଚ୍ଚାରେ ଅସ୍ତ୍ରଶସ୍ତ୍ରର ଡିଜିଟାଲ ଡାଟାବେସ ?
ଭାରତରେ ଅବୈଧ ଅସ୍ତ୍ରଶସ୍ତ୍ର, ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ରର ଅପବ୍ୟବହାର ଏବଂ ଅପରାଧକୁ ରୋକିବା ପାଇଁ ଅସ୍ତ୍ରଶସ୍ତ୍ରର ଡିଜିଟାଲ ଟ୍ରାକିଂ ଏବଂ ଜାତୀୟ ସ୍ତରୀୟ ଡାଟାବେସକୁ ମଜବୁତ କରିବା ଲାଗି ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି । ଏହାର ଲକ୍ଷ୍ୟ ଦେଶର ପ୍ରତ୍ୟେକ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ରର ଏକ ଡିଜିଟାଲ ରେକର୍ଡ ସୃଷ୍ଟି କରିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ତୁରନ୍ତ ସୂଚନା ଆଦାନପ୍ରଦାନ କରିବା । ସିଧାସଳଖ ଭାବରେ କହିବାକୁ ଗଲେ ଲାଇସେନ୍ସପ୍ରାପ୍ତ ବନ୍ଧୁକଗୁଡ଼ିକ ଏବେ ଆଉ କେବଳ କାଗଜପତ୍ରରେ ସୀମିତ ନାହିଁ ବରଂ ଏଗୁଡ଼ିକୁ ଡିଜିଟାଲ ସିଷ୍ଟମରେ ଟ୍ରାକ କରାଯିବ।
କ’ଣ ଏହି ଡାଟାବେସ ?
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ବିକଶିତ ଏହି ଡାଟାବେସ ନ୍ୟାସନାଲ ଅସ୍ତ୍ରଶସ୍ତ୍ର ଲାଇସେନ୍ସିଂ ଡିଜିଟାଲ୍ ପ୍ଲାଟଫର୍ମକୁ (NALDP) ରାଜ୍ୟ-ସ୍ତରୀୟ ବ୍ୟବସ୍ଥାର ଏକ ବିସ୍ତାରିତ ରୂପ ବୋଲି ବିବେଚନା କରାଯାଉଛି । ଜାତୀୟ ତଦନ୍ତ ସଂସ୍ଥା (NIA) ଏହାକୁ ପରିଚାଳନା କରିବ । କେବଳ ପୋଲିସ ଏବଂ ଏଜେନ୍ସିର ଅଧିକାରପ୍ରାପ୍ତ କର୍ମଚାରୀଙ୍କୁ ଏହାର ଆକ୍ସେସ ପ୍ରଦାନ କରାଯିବ ।
ଏଥିରେ କ’ଣ ରେକର୍ଡ କରାଯିବ?
ଡାଟାବେସରେ ଅସ୍ତ୍ରଶସ୍ତ୍ର ଥିବା ମାଲିକର ନାମ, ଠିକଣା ଏବଂ ପରିଚୟ ରହିବ । ଅସ୍ତ୍ରର ପ୍ରକାର (ରିଭଲଭର, ପିସ୍ତଲ, ରାଇଫଲ୍, ଇତ୍ୟାଦି) କ୍ରମିକ ସଂଖ୍ୟା ଏବଂ ବାଲିଷ୍ଟିକ୍ ବିବରଣୀର ମଧ୍ୟ ରେକର୍ଡ ରହିବ । ଅନ୍ୟପକ୍ଷରେ ଲାଇସେନ୍ସ ପ୍ରଦାନ ତାରିଖ, ବୈଧତା, ଅସ୍ତ୍ର ସ୍ଥାନାନ୍ତର, ନବୀକରଣ କିମ୍ବା ବାତିଲକରଣର ସମସ୍ତ ତଥ୍ୟ ରଖାଯିବ । ଅସ୍ତ୍ରଧାରକଙ୍କୁ ଆଧାର କାର୍ଡ ପରି ଏକ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରାଯିବ ।
ପୋଲିସକୁ ମିଳିବ ସୁପରପାୱାର
ଏହି ଡିଜିଟାଲ ଡାଟାବେସ ଦ୍ୱାରା ଅପରାଧର ତଦନ୍ତକୁ ତ୍ୱରାନ୍ୱିତ କରାଯାଇପାରିବ । କୌଣସି ଅପରାଧରେ ପଞ୍ଜିକୃତ ଅସ୍ତ୍ର ବ୍ୟବହାର କରାଗଲେ ପୋଲିସ ତୁରନ୍ତ ଅପରାଧୀକୁ ଧରିପାରିବ । ଫଳରେ ଚୋରି ହୋଇଥିବା, ହଜିଯାଇଥିବା କିମ୍ବା ଅପବ୍ୟବହୃତ ଅସ୍ତ୍ରଶସ୍ତ୍ର ଚିହ୍ନଟ କରିବା ସହଜ ହେବ।
ଅବୈଧ ଅସ୍ତ୍ରଶସ୍ତ୍ର ଉପରେ ନଜର ?
ବିନା ଲାଇସେନ୍ସ କିମ୍ବା ନକଲି ଲାଇସେନ୍ସ ଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସହଜରେ ଚିହ୍ନଟ ହୋଇପାରିବ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଅସ୍ତ୍ରଶସ୍ତ୍ର ପରିବହନ ସମୟରେ ଡିଜିଟାଲ୍ ଆଲର୍ଟ ଜାରି କରାଯିବ । ରାଜ୍ୟଗୁଡ଼ିକ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହଜ ହେବ। ପୂର୍ବ ସିଷ୍ଟମରେ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ପୃଥକ ରେଜିଷ୍ଟରର ଆବଶ୍ୟକତା ପଡ଼ୁଥିଲା । ଫଳରେ ପୂର୍ବରୁ ସୂଚନା ସଂଗ୍ରହ କରିବାକୁ ସପ୍ତାହେ ସମୟ ଲାଗୁଥିଲା । ଏବେ କିନ୍ତୁ ଗୋଟିଏ କ୍ଲିକରେ ସମସ୍ତ ତଥ୍ୟ ଉପଲବ୍ଧ ହେବ ।
ଲାଇସେନ୍ସରାଜ ଶେଷ ହେବ
ସାରା ଦେଶରେ ପୋଲିସର ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। କୌଣସି ବ୍ୟକ୍ତିଙ୍କ ନାମରେ ଏକାଧିକ ଅସ୍ତ୍ରଶସ୍ତ୍ର ଥିବା ଜଣାପଡ଼ିଲେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ରାଜନୈତିକ ଚାପ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସଗୁଡ଼ିକର ତଦନ୍ତ ସହଜ ହେବ ।
କାହିଁକି ଏପରି ପଦକ୍ଷେପ ନେଲେ ସରକାର ?
ଭାରତରେ ଅସ୍ତ୍ରଶସ୍ତ୍ର ସ୍ଥିତିର ମୂଲ୍ୟାଙ୍କନ କରିବାର ଲକ୍ଷ୍ୟ ନେଇ ସରକାର ଏ ପଦକ୍ଷେପ ନେଇଛନ୍ତି । ଦେଶରେ ଲକ୍ଷ ଲକ୍ଷ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଅଛି । ଅବୈଧ ଅସ୍ତ୍ରଶସ୍ତ୍ରର ସଂଖ୍ୟା ବହୁତ ଅଧିକ। ଆଉ ସେଗୁଡ଼ିକୁ ନିର୍ବାଚନ, ସାମ୍ପ୍ରଦାୟିକ ହିଂସା ଏବଂ ଅପରାଧରେ ଅସ୍ତ୍ରଶସ୍ତ୍ରର ଅପବ୍ୟବହାର କରାଯାଏ। ଡିଜିଟାଲ ନିରୀକ୍ଷଣ ବିନା ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଅସମ୍ଭବ ବୋଲି ସରକାରଙ୍କ ମତ ।
ସାଧାରଣ ନାଗରିକ ପ୍ରଭାବିତ ହେବେ କି ?
ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ପାଇଁ ଲାଇସେନ୍ସ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ। ନବୀକରଣ ଏବଂ ଯାଞ୍ଚ ଅନଲାଇନ୍ ହେବ। ଯେକୌଣସି ଅପବ୍ୟବହାର ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ସାଧାରଣ ନାଗରିକ ପ୍ରଭାବିତ ହେବେ ନାହିଁ । ବର୍ତ୍ତମାନ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଉଛି। ତଥାପି ଆଗାମୀ ସମୟରେ ହେଉଛି ବେଆଇନ ଅସ୍ତ୍ରଶସ୍ତ୍ର ନେଟୱାର୍କଗୁଡ଼ିକର ମ୍ୟାପ୍ କରିବା ଏବଂ ବାଲିଷ୍ଟିକ୍ ତଥ୍ୟରୁ ଅପରାଧର ଧାରାକୁ ଚିହ୍ନଟ କରିବା ଦିଗରେ ଦୀର୍ଘକାଳୀନ ଲକ୍ଷ୍ୟ ରଖିଛନ୍ତି ସୁରକ୍ଷା ଏଜେନ୍ସି ।
ଡିଜିଟାଲ୍ ଟ୍ରାକିଂକୁ ନେଇ ଚିନ୍ତା କ’ଣ?
ଏହି ନିଷ୍ପତ୍ତି ପରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଗୋପନୀୟତା । ଏହାଦ୍ୱାରା ତଥ୍ୟ ଲିକ୍ କିମ୍ବା ଅପବ୍ୟବହାରର ଆଶଙ୍କା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବୁଦ୍ଧିଜୀବୀଙ୍କ ଅନୁସାରେ ଏଥିପାଇଁ କଡ଼ା ଆଇନ ଆଣିବା ସହ ତଥ୍ୟ ସୁରକ୍ଷିତ ରହିବା ଉଚିତ।
ସୁରକ୍ଷା ବନାମ ସ୍ୱାଧୀନତା ଉପରେ ବିତର୍କ
ଦେଶସାରା ଅସ୍ତ୍ରଶସ୍ତ୍ରକୁ ଡିଜିଟାଲ୍ ନିରୀକ୍ଷଣ କରିବା ନିଶ୍ଚିତ ଭାବରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ବଡ଼ ଶକ୍ତି ହୋଇପାରେ। ଏହା ଅପରାଧ ନିୟନ୍ତ୍ରଣ, ତଦନ୍ତ ଏବଂ ଆଇନ ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଖାଇବ । ହେଲେ ଏଥିରେ ମୁଖ୍ୟ ଚ୍ୟାଲେଞ୍ଜ ରହିବ, ତଥ୍ୟ ସୁରକ୍ଷା ଏବଂ ନାଗରିକ ଗୋପନୀୟତା। ଏହି ଡିଜିଟାଲ୍ ସୁପରପାୱାରକୁ ଦାୟିତ୍ୱର ସହ ବ୍ୟବହାର କରିବାକୁ ପଡ଼ିବ ।
Odisha Adarsha Vidyalaya: ଯେଉଁଠି ଆଗାମୀ ଭବିଷ୍ୟତ ମାନେ ସ୍ୱପ୍ନ ଦେଖନ୍ତି ସେଠି ଘୁରି ବୁଲୁଛି ବିପଦ

Sons Plot Fathers Murder: କଳିଯୁଗର ପୁଅ ନେଲା ବାପାଙ୍କ ଜୀବନ , ମର୍ଡର ପାଇଁ ଦେଇଥିଲେ ୫ ଲକ୍ଷ ଟଙ୍କାର ସୁପାରୀ

Nostradamus Chilling Predictions: ରକ୍ତର ନଈ ବୋହିବ...୭ ମାସର ମହାଯୁଦ୍ଧ ଚାଲିବ , ଏ ବର୍ଷ ପୃଥିବୀରେ ମାଡିଆସିବ ବଡ଼ବିପଦ !

Viral Demonetisation Rumours: ପୁଣିଥରେ ହେବ କି ନୋଟବନ୍ଦୀ ? ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)