/odishatv-khabar/media/media_files/2026/02/28/1st-march-new-rule-2026-02-28-14-56-53.jpg)
NEW-RULE Photograph: (OTV)
ମାର୍ଚ୍ଚ ୧ରୁ ଦେଶରେ ବଡ଼ ପରିବର୍ତ୍ତନ । ଟ୍ରେନ ଟିକେଟ୍ଠୁ UPI ଯାଏଁ ବଦଳିଯିବ ସବୁକିଛି । ଚାଲିବନି ହ୍ୱାର୍ଟ୍ସଆପ୍, ଟେଲିଗ୍ରାମ । ବ୍ୟାଙ୍କିଂଠୁ ଆଇଟି ରିଟର୍ଣ୍ଣ, ଅନେକ ନିୟମ ବଦଳିବ । ଆସନ୍ତାକାଲିଠୁ ଦେଶରେ ଅନେକ ନୂଆ ଆର୍ଥିକ ନିୟମ ଲାଗୁ ହେବାକୁ ଯାଉଛି । ହ୍ୱାର୍ଟ୍ସଆପ, ଟେଲିଗ୍ରାମଠାରୁ ନେଇ ବ୍ୟାଙ୍କିଂ ସହ ଜଡିତ ବହୁ ନିୟମରେ ବଡ଼ ପରିବର୍ତ୍ତନ ହେବ । ଯାହାର ସିଧାସଳଖ ପ୍ରଭାବ ପଡିବ ଆପଣଙ୍କ ପକେଟ ଉପରେ । ଯାହାକୁ ନଜାଣିଲେ ହଇରାଣରେ ପଡିପାରନ୍ତି ।
୧. କାଲିଠୁ ଚାଲିବନି ହ୍ୱାର୍ଟ୍ସଆପ: ଦେଶର ହ୍ୱାର୍ଟ୍ସଆପ୍ ୟୁଜରଙ୍କ ପାଇଁ ଜରୁରୀ ଖବର । ଏଣିକି ବିନା ସିମ୍ରେ ଆଉ ଚାଲିପାରିବନି ହ୍ୱାର୍ଟ୍ସଆପ୍ । ଆପଣ ହ୍ୱାର୍ଟ୍ସଆପ୍ ଚଲାଉଥିବା ନମ୍ବରର ସିମ୍ ଯଦି ଆପଣଙ୍କ ଫୋନ୍ରେ ନାହିଁ ତାହେଲେ ଆସନ୍ତାକାଲିଠୁ ଆଉ ହ୍ୱାର୍ଟ୍ସଆପ୍ ଚାଲିବ ନାହିଁ । କାରଣ 'ସିମ୍ ବାଇଣ୍ଡିଙ୍ଗ' ନିୟମକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ନୂତନ ନିୟମ ଅନୁଯାୟୀ, ମୋବାଇଲରେ ସିମ୍ କାର୍ଡ ନଥିଲେ ହ୍ୱାର୍ଟ୍ସଆପ, ଟେଲିଗ୍ରାମ, ସ୍ନାପଚାଟ୍, ସେୟାରଚାଟ୍ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ । ସେହିପରି କମ୍ପ୍ୟୁଟରରେ ଚଲାଉଥିଲେ ପ୍ରତି ୬ ଘଣ୍ଟାରେ ଅଟୋ ଲଗ୍ ଆଉଟ୍ ହୋଇଯିବ । କେବଳ ଓଟିପି ଦେଇ ଆଉ ହ୍ୱାର୍ଟ୍ସଆପ୍ ଲଗ୍ ଇନ୍ ହୋଇପାରିବ ନାହିଁ ।
ସାଇବର ଫ୍ରଡ ଓ ଅନଲାଇନ ଠକେଇ ରୋକିବାକୁ ସରକାର ଏହି କଡ଼ା ପଦକ୍ଷେପ ନେଇଥିବା କହିଛନ୍ତି । ସିମ୍ ବାଇଣ୍ଡିଙ୍ଗ ଲାଗୁ କରିବା ପାଇଁ ହ୍ୱାର୍ଟ୍ସଆପକୁ ୯୦ ଦିନର ମହଲତ୍ ମିଳିଥିଲା, ଯାହାର ଡେଡଲାଇନ ଆଜି ଅର୍ଥାତ୍ ଫେବୃଆରୀ ୨୮ରେ ଶେଷ ହେଉଛି ।
୨. ବଢିଲା ସଂଶୋଧିତ ରିଟର୍ଣ୍ଣ ଡେଡଲାଇନ: ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିବାର ଡେଡଲାଇନ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହି ସମୟସୀମା ଥିଲା ଡିସେମ୍ବର ୩୧ । ହେଲେ ଏଣିକି ଆୟକରଦାତା ୨୦୨୫-୨୬ ଆଇଟି ରିଟର୍ଣ୍ଣର କୌଣସି ବି ତ୍ରୁଟି ମାର୍ଚ୍ଚରେ ସୁଧାରିପାରିବେ ।
୩. ଛୁଟି ଦିନରେ ଖୋଲିବ ବ୍ୟାଙ୍କ: ଆସନ୍ତା ମାର୍ଚ୍ଚ ୩୧ରେ ମହାବୀର ଜୟନ୍ତୀ । ହେଲେ ସେଦିନ ଖୋଲା ରହିବ ବ୍ୟାଙ୍କ । ମହାବୀର ଜୟନ୍ତୀ ପାଇଁ ସାର୍ବଜନିକ ଛୁଟି ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।
୪. ବଦଳିବ ସିଲିଣ୍ଡର ମୂଲ୍ୟ: ପ୍ରତିମାସ ପହିଲାରେ ଏଲପିଜି ସିଲିଣ୍ଡର ଦର ସଂଶୋଧିତ ହୋଇଥାଏ । ଗ୍ୟାସ୍ ଦର ବଢିଥାଏ ନଚେତ୍ କମିଥାଏ । ଗତ ମାସରେ କମର୍ସିଆଲ ସିଲିଣ୍ଡର ୪୯ ଟଙ୍କା ବଢିଥିବା ବେଳେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା ।
୫. ରେଲୱେ ଟିକେଟ୍: ମାର୍ଚ୍ଚ ୧ରୁ ଜେନେରାଲ ଓ ପ୍ଲାଟଫର୍ଟ ଟିକେଟ ବୁକିଂ ନିୟମ ବଦଳିବାକୁ ଯାଉଛି । ଭାରତୀୟ ରେଲୱେର ପୁରୁଣା UTS ଆପ୍ ବନ୍ଦ ହୋଇପାରେ । ତା' ଜାଗାରେ ଏବେ ନୂଆ RailOne ଆପ୍ ଆସିପାରେ । ଏହି ନୂଆ ଆପରେ ଜେନେରାଲ ଟିକେଟ, ପ୍ଲାଟଫର୍ମ ଟିକେଟ ସହ ଲୋକାଲ ଟ୍ରାଭେଲ ଭଳି ସବୁ ସୁବିଧା ଉପଲବ୍ଧ ହେବ ।
୬. ଡିଜିଟାଲ ପେମେଣ୍ଟ: ମାର୍ଚ୍ଚ ୧ରୁ ଆହୁରି ମଜଭୁତ ହୋଇଯିବ ଡିଜିଟାଲ ପେମେଣ୍ଟ ସିଷ୍ଟମ ସୁରକ୍ଷା । ଅନଲାଇନ୍ରେ ବଡ଼ ଆମାଉଣ୍ଟ ଟ୍ରାଞ୍ଜାକ୍ସନ କେବଳ UPI ପିନ୍ରେ ହୋଇପାରିବ ନାହିଁ । ହାଇ ଭ୍ୟାଲୁ ଟ୍ରାଞ୍ଜାକ୍ସନ ବା ଅଧିକ ପରିମାଣର ଅର୍ଥରାଶି ନେଣଦେଣ ପାଇଁ UPI ପିନ୍ ସହ ବାୟୋମେଟ୍ରିକ୍ସ କିମ୍ବା ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ ବାଧ୍ୟତାମୂଳକ ହେବ ।
ବ୍ୟୁରୋ ରିପୋର୍ଟ, ଓଟିଭି
Lunar Eclipse: ଅଶୁଭ ଏହି ମଙ୍ଗଳବାର, ଲାଗିବ ଚନ୍ଦ୍ରଗ୍ରହଣ, ପଡ଼ିବ କଳା ଛାୟା !

Emotional Plea: ତହସିଲଦାରଙ୍କ ଗୋଡ଼ ଧରିଲେ, କାନ୍ଦି କାନ୍ଦି ଗୁହାରୀ କଲେ

BJD Announces Rajya Sabha Candidate: ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

Gandhamardan Set to Be Maoist-Free: ମାଓ ମୁକ୍ତ ହେବ ଗନ୍ଧମାର୍ଦ୍ଦନ, କୁମ୍ବିଂ ଅପରେସନ ବନ୍ଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)