/odishatv-khabar/media/media_files/2026/01/15/iran-2026-01-15-22-12-03.jpg)
Iran Photograph: (OTV)
ହିଂସାରେ ଅତିକମରେ ଜୀବନ ହାରିଲେ ସାଢେ ତିନି ହଜାର ଲୋକ। ଏପଟେ ଇରାନରେ ଥିବା ଭାରତୀୟଙ୍କୁ ନେଇ ବଢିଛି ଟେନସନ୍। ପ୍ରାୟ ୧୦ ହଜାର ଭାରତୀୟ ସେଠାରେ ଫସିଥିବାବେଳେ ଏବେ ଇରାନ୍ ଗସ୍ତ ନକରିବାକୁ ଆଡଭାଇଜରୀ ଜାରି କରିଛି ବୈଦେଶିକ ମନ୍ତ୍ରାଳୟ।...
ମଧ୍ୟପ୍ରାଚ୍ୟରେ ମହାସଂକଟ । ଯୁଦ୍ଧ ମୁହଁରେ ଇରାନ୍ । ଗଲାଣି ସାଢେ ତିନି ହଜାରରୁ ଅଧିକ ଜୀବନ । ସାରା ଦେଶରେ ଲାଗୁହେଲା ସାମରିକ ଆଇନ । ଦେଖିଲା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ ।
ଅତି ସାଂଘାତିକ ଇରାନ୍ ସ୍ଥିତି। ଗୃହଯୁଦ୍ଧରେ ଦେଶ ଜଳୁଛି, ଆଟାକ୍ କରିବାକୁ ଆମେରିକା ଆଖେଇଛି। ଧମକ ପରେ ଧମକ ଦେଇଚାଲିଛନ୍ତି ଟ୍ରମ୍ପ୍।
ଏପଟେ ବିକ୍ଷୋଭକାରୀଙ୍କ ସରକାର ବିରୋଧୀ ହିଂସାତ୍ମକ ଆନ୍ଦୋଳନ, ଦମନ କରିବାକୁ ସରକାରର ଦମନଲୀଳା। ରାସ୍ତା ଉପରେ ଟିୟରଗ୍ୟାସ୍ ମାଡ଼, ଆନ୍ଦୋଳନକାରୀଙ୍କ ଉପରେ ଗୁଳିବର୍ଷଣ। ଶେଷରେ ଯେନତେନ ଉପାୟରେ ସଂକଟ ଟାଳିବାକୁ ସାରା ଦେଶରେ ଲାଗୁ ହୋଇଛି ସାମରିକ ଆଇନ। ଦେଖିବାମାତ୍ରେ ମାତ୍ରେ ଗୁଳି କରିବାକୁ ଆଦେଶ ଦେଇଛନ୍ତି ଇରାନ ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲ୍ ଖାମେନେଇ ।
୧୯୭୮ ମସିହା ପରେ ସାମରିକ ଆଇନ ଲାଗୁଭଳି କଠୋର ପଦକ୍ଷେପ ନେଇଛି ଇରାନ୍। ଯୁଦ୍ଧ ଘନଘଟା ଭିତରେ ସାମ୍ନାକୁ ଆସିଛି ଛାତିଥରା ତଥ୍ୟ। ଇରାନ ସଂଘର୍ଷ ଓ ସରକାରୀ ଆକ୍ସନରେ ଜୀବନ ହରାଇଲେଣି ୩ ହଜାର ୫୦୦ରୁ ଅଧିକ ନାଗରିକ। ମୃତକଙ୍କ ମଧ୍ୟରେ ୧୫ରୁ ଅଧିକ ଶିଶୁ। ଯାହାକୁ ନେଇ ଇରାନ୍ ଉପରେ ବଢିଛି ଅନ୍ତର୍ଜାତୀୟ ଚାପ। ବିକ୍ଷୋଭକାରୀଙ୍କ ହତ୍ୟା ଓ ଫାଶୀ ଯୋଜନା ନେଇ ପ୍ରକାଶ ପାଇଛି ଉଦବେଗ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଏହାକୁ ଅନ୍ତର୍ଜାତୀୟ ମାମଲାରେ ପରିଣତ କରିବା ସହ ଇରାନର ଅର୍ଥନୈତିକ ସଙ୍କଟ ଓ ମାନବାଧିକାର ପ୍ରସଙ୍ଗ ସାଂପ୍ରତିକ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ତେବେ ସରକାରୀ ଦମନ ସତ୍ତ୍ବେ ବିକ୍ଷୋଭକାରୀମାନେ ସରକାର ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କୁ ସହଯୋଗ ପାଇଁ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ଗୃହଯୁଦ୍ଧ ନିଆଁରେ ଘିଅ ଡାଳୁଛନ୍ତି ଟ୍ରମ୍ପ୍ । ଯାହା ଇରାନ୍ ସଂକଟକୁ ଆହୁରି ବିପଦ ଭିତରକୁ ଠେଲି ଦେଇଛି ।
ଏପଟେ ଆମେରିକା-ଇରାନ୍ ମଧ୍ୟରେ ବଢିଛି ତୁତୁ ମେମେ। ପାରୁପର୍ଯ୍ୟନ୍ତ ଇରାନ୍ ନିଜକୁ ରକ୍ଷା କରିବ ବୋଲି ଓ୍ୱାସିଂଟନକୁ ରୋକଠୋକ୍ ଶୁଣାଇଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅଜିଜ୍ ନାସିରଜାଦେହ। ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, କୌଣସି ପ୍ରକାର ହସ୍ତକ୍ଷେପ କଲେ ଆମେରିକୀୟ ସାମରିକ ଘାଟି ଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବ ଇରାନ୍। ପ୍ରତିଶୋଧ ଖୁବ ଯନ୍ତ୍ରଣାଦାୟକ ହେବ। ତେବେ କେଉଁ ବଳରେ ଇରାନକୁ ଆକ୍ରମଣ ଧମକ ଦେଉଛି ଆମେରିକା ? ଟ୍ରମ୍ପ ଯୁଦ୍ଧ ନିର୍ଦ୍ଦେଶ ଦେଲେ ଆମେରିକା ସେନା ଗ୍ରହଣ କରିବାକୁ ଥିବା ସମ୍ଭାବ୍ୟ ୬ଟି ପଦକ୍ଷେପ ଉପରେ ନଜର ପକାନ୍ତୁ -
୧- ମଧ୍ୟପ୍ରାଚ୍ୟରେ ବିଶାଳ ସାମରିକ ଉପସ୍ଥିତି ରଖିଛି ଆମେରିକା । ଓମାନ, କତାର, ବାହାରିନ୍, କୁଏତ ଏବଂ ଇରାକରେ ଆମେରିକାର ସାମରିକ ଘାଟି ରହିଛି । କତାରରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନ୍ୟ ଥିବା କୁହାଯାଉଛି । ଏହିଠୁ ହିଁ ଆକ୍ରମଣ କରିପାରେ ଆମେରିକା ସେନା । ମଧ୍ୟପ୍ରାଚ୍ୟରେ ରଖିଥିବା B-52 ବମ୍ବର ଏବଂ ଫାଇଟର ଜେଟ୍ ମାଧ୍ୟମରେ ଇରାନକୁ ଟାର୍ଗେଟ୍ କରାଯାଇପାରେ ।
୨- ନୌସେନା ଆଧାରିତ ମିସାଇଲ ଆକ୍ରମଣ। ପର୍ସିଆନ ଗଲ୍ଫରେ ଚାଳିତ ବିମାନବାହୀ, ଡେଷ୍ଟ୍ରୟର ଜାହାଜରୁ କ୍ରୁଜ ମିସାଇଲ ଆକ୍ରମଣ କରିବାକୁ ରଣନୀତି କରିଛି ଆମେରିକା
୩- ଇରାନ୍ ବିପକ୍ଷରେ ଯୁଦ୍ଧ ଘୋଷଣା କଲେ ଡ୍ରୋନକୁ ବଡ଼ ଅସ୍ତ୍ର ଭାବେ ଗ୍ରହଣ କରିପାରେ ଆମେରିକା ସେନା
୪- ସାଇବର ଯୁଦ୍ଧ ଆମେରିକା ପାଇଁ ଅନ୍ୟ ଏକ ବିକଳ୍ପ। ସାଇବର ଅପରେସନ୍ ମାଧ୍ୟମରେ ଇରାନର କମାଣ୍ଡ ସିଷ୍ଟମ୍, ଯୋଗାଯୋଗ ନେଟୱର୍କ ଓ ସାମରିକ ସମନ୍ବୟକୁ ବିଗାଡ଼ି ଦିଆଯାଇପାରେ
୫- ଆମେରିକାର ଗୁଇନ୍ଦା ବାହିନୀ ମଧ୍ୟ ଲାଗିପାରେ ମିଶନ ଇରାନରେ
୬-ଆମେରିକା ଲଙ୍ଗ୍ ରେଞ୍ଜ ମିସାଇଲ୍ ଆଟାକ୍ କରି ଇରାନକୁ ବଡ଼ କ୍ଷତି ମଧ୍ୟ ପହଞ୍ଚାଇପାରେ । ଯାହାର ପ୍ରମୁଖ ଲକ୍ଷ୍ୟ ହେଛି ଇରାନର ସାମରିକ କ୍ଷମତାକୁ ଆହୁରି ଦୁର୍ବଳ କରିବା । ପୂର୍ବରୁ ଆମେରିକା ଏଭଳି କରିସାରିଛି ମଧ୍ୟ ।
ଚିନ୍ତାରେ ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାର
ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଏବେ ଚିନ୍ତାରେ ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାର । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦ ହଜାରରୁ ରୁ ୧୨ ହଜାର ଭାରତୀୟ ବଂଶୋଦ୍ଭବ ବର୍ତ୍ତମାନ ଇରାନରେ ଫସି ରହିଛନ୍ତି। ପ୍ରାୟ ୩ ହଜାର କାଶ୍ମୀର ଛାତ୍ରଛାତ୍ରୀ ଇରାନରେ ଡାକ୍ତରୀ ପାଠପଢ଼ୁଥିବା ସୂଚନା ମିଳିଛି।
ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଅଭିଭାବକ। ଓଡ଼ିଶାରୁ ମଧ୍ୟ କିଛି ଜଣ ଇରାନରେ ଫସିଥିବାର ଆଶଙ୍କା ରହିଛି। ଇରାନ ସ୍ଥିତିକୁ ଦେଖି ସଜାଗ ହୋଇଛି ଭାରତ। ଇରାନ ପ୍ରତିପକ୍ଷ ସଏଦ ଆବ୍ବାସ ଆରାଗଚିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଇରାନକୁ ଏବେ କୌଣସି ପ୍ରକାର ଯାତ୍ରା ନକରିବାକୁ ନୂଆ ଆଡଭାଇଇଜରି ଜାରି କରିବା ସହ ତୁରନ୍ତ ଭାରତ ଫେରିଆସିବାକୁ ନାଗରିକମାନଙ୍କୁ ଅପିଲ୍ କରିଛି ବୈଦେଶିକ ମନ୍ତ୍ରଣାଳୟ ।
ସେଠାକାର ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନଯିବା ଓ ସତର୍କ ରହିବାକୁ ନିର୍ଦ୍ଦେଶ ବି ଦେଇଛି। ଆବଶ୍ୟକ ପଡ଼ିଲେ ଇରାନ ସ୍ଥିତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିପାରିବେ।
ରକ୍ତପାତ ଭିତରେ ଦେଶର ବ୍ୟବସ୍ଥା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଦାବି କରିଛି ଇରାନ। ଟ୍ରମ୍ପ ମିଛ ପ୍ରଚାର କରି ହିଂସାକୁ ଉସୁକୋଉଥିବା ନେଇ ଅନ୍ତରାଷ୍ଟ୍ରୀୟସ୍ତରରେ ବିଭିନ୍ନ ଦେଶକୁ ଇରାନ୍ ତରଫରୁ ଅବଗତ କରାଯାଉଛି। ତେବେ ଉତ୍ତେଜନା ଏଭଳି ସ୍ତରରେ ପହଞ୍ଚିଛି ଯେ, କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ।...
Infrastructure Failure: କେଉଁଠି ପାଇପ୍ ଅଛି ତ ପାଣି ନାହିଁ, ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ବେହାଲ ସ୍ଥିତି

Nipah Virus Scare: ପଡ଼ୋଶୀ ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁବା ପରେ ଓଡ଼ିଶାରେ ଛନକା

High-Stakes Mumbai Municipal Elections: ମୁମ୍ବାଇ ମହାନଗର ନିଗମ ପାଇଁ ପଡ଼ିଲା ଭୋଟ୍, ଆସନ୍ତାକାଲି ଆସିବ ଫଳାଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)