Advertisment

Bangladesh: ୧୭ ବର୍ଷର ନିର୍ବାସନ ପରେ ଫେରିଲେ ତାରିକ୍; ବିସ୍ଫୋରଣରେ ଥରିଲା ବାଂଲାଦେଶ

ବିଏନପି ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍ ରେହମାନ ୧୭ ବର୍ଷର ନିର୍ବାସନ ପରେ ବାଂଲାଦେଶ ଫେରିଛନ୍ତି। ଏହା ପୂର୍ବରୁ ବାଂଲାଦେଶରେ ବଡ ବିସ୍ଫୋରଣ ହୋଇଛି।

author-image
Chinmayee Sahoo
Bangladesh

Bangladesh Photograph: (OTV)

ବାଂଲାଦେଶରେ ଜାରି ରହିଛି ସଙ୍କଟ। ଆଗାମୀ ଦିନରେ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦିନକୁ ଦିନ ହିଂସାତ୍ମକ କାଣ୍ଡ ବୃଦ୍ଧି ପାଉଛି। ଏହାରି ମଧ୍ୟରେ ଦେଶକୁ ଫେରିଛନ୍ତି ତାରିକ୍ ରେହମାନ। ତାରିକ୍ ହେଉଛନ୍ତି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପି ର କାର୍ଯ୍ୟକାରୀ ଅଧ୍ୟକ୍ଷ। ସେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ  ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିୟାଙ୍କ ପୁଅ। ୧୭ ବର୍ଷ ଧରି ଲଣ୍ଡନରେ ରହୁଥିବା ତାରିକ୍ ଦୀର୍ଘ ବର୍ଷର ନିର୍ବାସନ ପରେ ଲଣ୍ଡନରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

Advertisment

ଆସନ୍ତା ଫେବୃଆରୀରେ ନିର୍ବାଚନ ହେବାକୁ ଥିବା ବେଳେ ତାରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ରାଜନୀତିକୁ ସରଗରମ କରିଛି। ୨୦୦୭ରେ ଗିରଫ ହେବା ପରେ, ସେ ଜେଲରୁ ମୁକ୍ତ ହେବା ପରେ ତୁରନ୍ତ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ ଏବଂ ସେବେଠାରୁ ସେଠାରେ ରହୁଛନ୍ତି। ୨୦୧୬ ମସିହାରେ, ଯେତେବେଳେ ଖାଲେଦା ଜିଆଙ୍କୁ ଦଣ୍ଡ ଦିଆଯାଇଥିଲା, ତାରିକ୍ ରେହମାନଙ୍କୁ ଲଣ୍ଡନରେ ରହୁଥିବା ସମୟରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। BNP ସମର୍ଥକମାନେ ସେମାନଙ୍କ ନେତାଙ୍କୁ ସ୍ୱାଗତ କରିବା ପାଇଁ ଢାକା ବିମାନବନ୍ଦରକୁ ଏକ ବିଶାଳ ରାଲି କରିଛନ୍ତି।

ରେହମାନ ସ୍ଥାନୀୟ ସମୟ ସକାଳ ୧୧:୫୫ ରେ ହଜରତ ଶାହଜଲାଲ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହିତ ତାଙ୍କ ପତ୍ନୀ ଜୁବୈଦା ରେହମାନ ଏବଂ ଝିଅ ଜାଇମା ରହମାନ ମଧ୍ୟ ରହିବେ। ପହଞ୍ଚିବା ପରେ, ସେ ବିମାନବନ୍ଦରରୁ ସିଧାସଳଖ ନିର୍ଦ୍ଧାରିତ ସ୍ୱାଗତ କାର୍ଯ୍ୟକ୍ରମକୁ ଯିବେ ଏବଂ ପରେ ତାଙ୍କ ଅସୁସ୍ଥ ମାଆଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ଖାଲେଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ବୋଲି ସୂଚନା ମିଳିଛି। ସେ ବର୍ତ୍ତମାନ ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

Advertisment

ଆଗାମୀ ଫେବୃଆରୀ ସାଧାରଣ ନିର୍ବାଚନରେ ଶେଖ୍ ହାସିନାଙ୍କ ପାର୍ଟି ଆଗାମୀ ଲିଗ୍‌କୁ ନିର୍ବାଚନରେ ଲଢିବାକୁ ବଞ୍ଚିତ କରାଯାଇଥିବା ବେଳେ ରେହମାନଙ୍କୁ ବିଏନପିରୁ ପ୍ରଧାନମନ୍ତ୍ରୀ ପାଇଁ ଜଣେ ପ୍ରମୁଖ ଦାବିଦାର ଭାବରେ ଦେଖାଯାଉଛି।

ଅନ୍ୟପଟେ ଅଶାନ୍ତ ବାଂଲାଦେଶରେ ଭାରତ ବିରୋଧୀ ସ୍ବର ତେଜିବାରେ ଲାଗିଛି। ତାରିକଙ୍କ ଫେରିବା ପୂର୍ବରୁ ଦେଶରେ ହିଂସାକାଣ୍ଡ ହୋଇଥିବା ନଜର ଆସିଛି। ମୁକ୍ତିଯୋଦ୍ଧା ସଂସଦ ସେଣ୍ଟ୍ରାଲ କମାଣ୍ଡ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। 

Bangladesh
Advertisment
Related Articles
Advertisment