/odishatv-khabar/media/media_files/2025/10/25/health-tips-2025-10-25-17-31-16.jpg)
Health Tips Photograph: (OTV)
ଶୀତଦିନ ଆରମ୍ଭ ହେବା ସହ କିଛି ଛୁଆ, ଏପରିକି ବଡ଼ ଲୋକମାନଙ୍କର ମଧ୍ୟ ସାଧାରଣ ଥଣ୍ଡା, କାଶ ପରି ସମସ୍ୟା ଦେଖାଯାଏ। ବର୍ଷା ସରିବା ସହ ଋତୁ ପରିବର୍ତ୍ତନ ଯୋଗୁଁ ଆମ ଶରୀର ନିଜକୁ ଅନୁକୂଳ କରୁଥିବାରୁ ଏପରି ସମସ୍ୟା ଦେଖାଯାଏ। ତେବେ ଏପରି ସମସ୍ୟା ସହ ଅନେକ ଲୋକମାନେ ଶୀତଦିନେ କ୍ରମାଗତ ଥଣ୍ଡା କାଶର ସମ୍ମୁଖୀନ ହେବା ସହ ଅନ୍ୟାନ୍ୟ ଦୁର୍ବଳତା ଅନୁଭବ କରିବାର ଦେଖାଯାଏ। ଶ୍ୱାସକ୍ରିୟାରେ ବାଧା ତଥା ନାକରେ ଅସହଜତା ଅନୁଭବ ହେବା, ଦେହ ଘୋଳାବିନ୍ଧା ଆଦି ସମସ୍ୟା ଦେଖାଗଲେ ତୁରନ୍ତ ଔଷଧ ନଖାଇ କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ଆରାମ ପାଇପାରିବେ। ତେବେ ଆସନ୍ତୁ ଆଜି ସେହି ବିଷୟରେ ଜାଣିବା।
1. ଅଦା ମିଶ୍ରିପାଣି -
ମିଶ୍ରିପାଣି ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର ହେଉଥିବା ଏକ ପାନୀୟ। ତେବେ ଅଦା ପକାଇ ମିଶ୍ରିକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଏହା ଆପଣଙ୍କ ଗଳା ତଥା ଶ୍ୱାସନଳୀକୁ ସଫା ରଖେ। କାଶ ହେଉଥିଲେ ଏହା ଆରାମ ଦିଏ। ତେବେ ଯଦି ଆପଣଙ୍କର ମିଶ୍ରିପାଣିଜନିତ କୌଣସି ସମସ୍ୟା ଥାଏ କିମ୍ୱା ଆପଣ ଡାଇବେଟିସ୍ ପୀଡ଼ିତ ତେବେ କେବଳ ଅଦା ଓ ଗୋଲମରିଚ ଆଦି ମିଶାଇ କାଢ଼ା ପ୍ରସ୍ତୁତ କରି ପିଅନ୍ତୁ। ସାଧାରଣ ଭାବେ ଖଣ୍ଡେ ଅଦା କଳରେ ରଖିଲେ ମଧ୍ୟ କାଶ ଆଦି ସମସ୍ୟାରୁ ଅନେକ ଆରାମ ମିଳେ। ଏହାର ଇନଫ୍ଲେମେସନ୍ ପ୍ରତିରୋଧୀ ଏବଂ ବ୍ୟାକ୍ଟେରିଆ ରୋଧକ ତତ୍ତ୍ୱ ଏହାକୁ ସ୍ୱାସ୍ଥ୍ୟ ଉପଯୋଗୀ କରେ। ଅଦା ଚା’ ମଧ୍ୟ ଶରୀର ପାଇଁ ଉପକାରୀ ହୋଇଥାଏ।
2. ମହୁ -
ଭାରତୀୟ ପ୍ରାଚୀନ ଚିକିତ୍ସା ପଦ୍ଧତି ତଥା ଆୟୁର୍ବେଦରେ ମହୁକୁ ଏକ ପୀଡ଼ାନାଶକ ଓ ଅନେକ ଔଷଧରେ ମୁଖ୍ୟ ଉପାଦାନ ଭାବେ ବ୍ୟବହାର କରାଯାଏ । ଏହା ପ୍ରଚଳିତ ହୋଇ ଆସୁଛି। ଅତ୍ୟଧିକ ଶୁଖିଲା କାଶ ହେଉଥିଲେ ଚାମଚେ ମହୁକୁ ଚାଟି ଖାଇବା ଦ୍ୱାରା କଫ ବାହାରି ଆସିବା ସହ ଛାତି ଯନ୍ତ୍ରଣା କମ୍ ହୁଏ। ଏଥିରେ ଥିବା ପେନକିଲର୍ ବା କଷ୍ଟନାଶକ ଗୁଣ ଏଥିପାଇଁ କାର୍ଯ୍ୟ କରେ। ତେବେ ପ୍ରାକୃତିକ ଶର୍କରା ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ ହାନିକାରକ ମଧ୍ୟ ନୁହେଁ। ଛୋଟ ଛୁଆମାନଙ୍କୁ ଗରମ କ୍ଷୀରରେ ମହୁ ପକାଇ ଖୁଆଇବାର ଉପାଦେୟତା ବିଷୟରେ ମଧ୍ୟ ଆୟୁର୍ବେଦରେ ଉଲ୍ଲେଖ ଅଛି।
3. ରସୁଣ -
ଆପଣମାନେ ପିଲାଦିନେ ନିଜର ଅତ୍ୟଧିକ ଥଣ୍ଡା ହେଲେ ମାଆମାନେ ସୋରିଷ ତେଲ ସହ ରସୁଣ ଫୁଟାଇ ଉଷୁମ ଅବସ୍ଥାରେ ଆପଣଙ୍କ ପାଦରେ ମାଲିସ କରିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। କେତେଜଣ ଏବେ ନିଜ ଛୁଆମାନଙ୍କ ପାଇଁ ଏପରି ପ୍ରକ୍ରିୟା ଅନୁସରଣ ମଧ୍ୟ କରୁଥିବେ। ରସୁଣ ଏକ ଥଣ୍ଡା ପ୍ରତିରୋଧକ। ଏଥିରେ ଥିବା ଆଲିସିନ୍ ଥଣ୍ଡା ଆଦିର ଚିକିତ୍ସା ପାଇଁ ଉପଯୋଗୀ। ଏଣୁ ଶୀତଦିନ ଆସିବା କ୍ଷଣି ରସୁଣ ଆପଣଙ୍କ ରୋଷେଇ ଘରେ ରହିବା ଅତ୍ୟନ୍ତ ଜରୁରୀ।
4. ହଳଦୀ -
ଆମେ ନିତିଦିନ ରୋଷେଇଘରେ ବ୍ୟବହାର କରୁଥିବା ହଳଦୀରେ ଥିବା କ୍ୟୁକରମିନ୍ ପ୍ରଦାହ ନିରୋଧୀ, ବ୍ୟାକ୍ଟେରିଆ ପ୍ରତିରୋଧକ ଭାବେ କାର୍ଯ୍ୟକରେ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଗୁଣ ରହିଛି ଯେଉଁଥିପାଇଁ ଏହାକୁ ନିୟମିତ ସେବନ ଦ୍ୱାରା ଥଣ୍ଡା ତଥା କାଶ ହେବାରୁ ଆପଣ ରକ୍ଷା ପାଇବେ।
5. ଜୁଆଣି -
ଆପଣମାନେ ଜୁଆଣିକୁ ଏକ ଉତ୍ତମ ପାଚନକାରୀ ଭାବେ ଜାଣିଥିବେ। ହେଲେ ଆପଣ ଜାଣି ଖୁସି ହେବେ ଯେ ଜୁଆଣିରେ ଥାଇମଲ୍ ନାମକ ଏକ ବ୍ୟାକ୍ଟେରିଆ ପ୍ରତିରୋଧୀ ମନୋଟର୍ପିନ୍ ଥାଏ ଯାହା ଦ୍ୱାରା ଏହା ଆପଣଙ୍କ ଥଣ୍ଡା, କାଶ ପରି ଭୂତାଣୁଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଥଣ୍ଡା ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ପାଇବା ପାଇଁ ଏହାକୁ ଶୂନ କରିପାରିବେ। ଆସ୍ଥମା ରୋଗୀମାନଙ୍କ ପାଇଁ ଏହା ଶ୍ୱାସନଳୀ ସଫା କରିପାରିବା ପରି କ୍ଷମତା ରଖୁଥିବା ପରି ବୈଶିଷ୍ଟ୍ୟ ଏହାର ରହିଛି।
6. ଲେମ୍ୱୁ ଓ କାନ୍ଧିଆ -
ଭିଟାମିନ୍ ସି ରେ ଭରପୂର ଲେମ୍ବୁ ଓ କାନ୍ଧିଆ ନିୟମିତ, ସମ୍ଭବ ହେଲେ ଖାଦ୍ୟରେ ସାମିଲ୍ କରନ୍ତୁ। ଶୀତଦିନ ଆରମ୍ଭରେ ବାଡ଼ି ବଗିଚାରେ କାନ୍ଧିଆ ପ୍ରଚୁର ମିଳେ। ଏହାର ରସଯୁକ୍ତ ଶସସବୁ ଶରୀର ପାଇଁ ଉପକାରୀ। ଚା’ରେ ପକାଇ ହେଉ କିମ୍ୱା ଲୁଣ ପାଣି ରେ ପକାଇ, ଲେମ୍ବୁକୁ ଆପଣ ଆପଣଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରକାରରେ ସେବନ କରିପାରିବେ।
7. ତୁଳସୀ ଓ ପୁଦିନା ପତ୍ର -
ତୁଳସୀ ପତ୍ରରୁ ପ୍ରସ୍ତୁତ ଅର୍କ ଥଣ୍ଡାଜନିତ ସମସ୍ୟା ପାଇଁ ଅତ୍ୟନ୍ତ ଉପାଦେୟ। ନିଜ ବାଡ଼ିରୁ ତୁଳସୀ ପତ୍ର ଆଣି ପ୍ରତିଦିନ ସେବନ କଲେ କ୍ରମାଗତ ହେଉଥିବା ଥଣ୍ଡା ଓ କାଶରୁ ଆରାମ ମିଳେ। ତେବେ ତୁଳସୀକୁ ଗରମ ପାଣିରେ ପକାଇ ଆପଣ ଚା’ ପରି ପିଇପାରିବେ। ପୁଦିନା ସରବତ ତଥା ଚଟଣୀ କରି ଖାଇପାରିବେ।
ଉପରୋକ୍ତ କେତୋଟି ଖାଦ୍ୟ କେବଳ ଉଦାହରଣ ସ୍ୱରୂପ ଦିଆଗଲା। ନିଜ ଖାଦ୍ୟରେ ତେଲ, ମସଲା ଏବଂ ଅତ୍ୟଧିକ ଛଣାଛଣି ଦ୍ରବ୍ୟ ନ ମିଶାଇ ହାଲକା ତଥା ସ୍ୱାସ୍ଥ୍ୟକର ଖାଦ୍ୟ ସେବନ କଲେ ଅତ୍ୟଧିକ ଥଣ୍ଡାପାଗରେ ମଧ୍ୟ ଆପଣ ସୁସ୍ଥ ରହିବେ। ସହଜରେ ଥଣ୍ଡା ଓ କାଶରେ ଔଷଧ ନଖାଇ ମଧ୍ୟ ଆରାମ ମିଳିପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)