Advertisment

Tragic Mystery: ରହସ୍ୟରେ ସମ୍ବଲପୁରର ଆଞ୍ଜେଲ୍ ମୃତ୍ୟୁ, ଡ୍ରେନରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ସମ୍ପତ୍ତି ପାଇଁ ନାବାଳିକା ଝିଅକୁ ହତ୍ୟା ଅଭିଯୋଗ । ଜେଜେବାପା, ଜେଜେମାଆ ଓ ପିଉସୀଙ୍କୁ ଦାୟୀ କଲେ । ପୂର୍ବରୁ ଚାଲିଯାଇଛନ୍ତି ଆଞ୍ଜେଲଙ୍କ ବାପାମାଆ । ୨୦୧୪ରେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ରେ ମାଆ ଚାଲିଯାଇଛନ୍ତି ଆରପାରିକୁ ।

author-image
Tapan Swain
ANGEL-MYSTRY

ANGEL-MYSTRY Photograph: (OTV)

ନାଳରେ ପଡ଼ିଗଲେ, ନା ହତ୍ୟା କରି ଫିଙ୍ଗିଦେଲେ ? ରହସ୍ୟ ଘେରରେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ସାଇପ୍ରଭା ମୃତ୍ୟୁ। ଘରପାଖ ସଂକୁଚିତ ଡ୍ରେନରୁ ମୃତଦେହ ଉଦ୍ଧାରକୁ ନେଇ ହଇଚଇ । ମାମୁଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ବାପାଙ୍କ ମୃତ୍ୟୁ ପରେ ସମ୍ପତ୍ତି ପାଇଁ ପୂର୍ବରୁ ମାଆ ଓ ଏବେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଜେଜେବାପା, ଜେଜେମାଆ ଓ ପିଉସୀଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ମାମୁ । ସେପଟେ ପୋଲିସ୍ କହିଛି, ସିସିଟିଭି ଯାଞ୍ଚ କରି ତଦନ୍ତ ଚାଲିଛି । ସାଇପ୍ରଭା ଡେଥ୍ ସସପେନ୍ସକୁ ନେଇ ପଢ଼ନ୍ତୁ ଏଇ ରିପୋର୍ଟ...

Advertisment

ସେଦିନ ଖୁସି ଥିଲା, ସ୍ବପ୍ନ ଥିଲା, ପୂରା ପରିବାର ଥିଲା। ବାପାମାଆ ଆଉ କୁନିଝିଅର କୋଳାହଳରେ ପୂରିଲା ପୂରିଲା ଲାଗୁଥିଲା ଘରମନ୍ଦିର। ପ୍ରାୟ ୧୦ ବର୍ଷ ତଳେ କ୍ୟାମେରା ତୋଳି ଧରିଥିବା, ଏ ସୁନାର ସଂସାରଟାରେ କାହା ନଜର ଲାଗିଗଲା ଯେମିତି...କାରଣ ଏମାନଙ୍କ ଭିତରୁ ଆଜି ଆଉ କେହି ନାହାନ୍ତି । ନିପାତ ହୋଇଯାଇଛି ବଂଶ, ଆରପାରିକୁ ଚାଲିଯାଇଛନ୍ତି ଜଣଙ୍କ ପରେ ଜଣେ।

୨୦୧୪ରେ ବାପା, ୨୦୧୭ରେ ମାଆ, ଆଉ ଗଲାକାଲି ଲିଭିଯାଇଛି ୧୫ ବର୍ଷର ବଢିଲା ଝିଅ ସାଇପ୍ରଭା ମିଶ୍ର ଓରଫ୍ ଆଞ୍ଜେଲଙ୍କ ଜୀବନ ଦୀପ। ରହସ୍ୟଜନକ ଭାବେ ରାସ୍ତାପାର୍ଶ୍ବ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ଯାହାକୁ ନେଇ ସାରା ସମ୍ବଲପୁରରେ ହଇଚଇ। ଶାନ୍ତିନଗର ସ୍ଥିତ ଘରଠାରୁ ଅଳ୍ପ କେଇ ମିଟର ଦୂରରେ ଡ୍ରେନ ଭିତରେ ସ୍କୁଟି ସହିତ ପଡ଼ିଥିଲା ଆଞ୍ଜେଲଙ୍କ ମରଶରୀର। ମୁହଁ ଓ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ। 

Advertisment

ହତ୍ୟା ଅଭିଯୋଗ ଆଣିଲେ ମାମୁଘର ଲୋକେ

ପ୍ରାଥମିକ ଭାବେ ଏହାକୁ ଦୁର୍ଘଟଣା କୁହାଯାଉଥିଲେ ମଧ୍ୟ ଝିଅର ମାମୁଘର ଆଣିଛନ୍ତି ସଂଗୀନ ଅଭିଯୋଗ। କହିଛନ୍ତି, ସବୁରି ମୂଳରେ ସମ୍ପତ୍ତି ଲୋଭ । ମାଆର ମର୍ଡର ଦେଖିଥିଲା ବୋଲି ନାବାଳିକା ଝିଅକୁ ମାରିଦେଲେ !
ଡେଥ୍ ସସପେନ୍ସ ଭିତରେ ସମ୍ପତ୍ତି ବିବାଦ ପ୍ରସଙ୍ଗ ଉଠାଇ ସାଇପ୍ରଭାଙ୍କ ଜେଜେବାପା, ଜେଜେମାଆ ଓ ପିଉସୀଙ୍କୁ କାଠଗଡ଼ାକୁ ଟାଣିଛନ୍ତି ମାମୁଘର ଲୋକେ। ସଂଘାତିକ ଅଭିଯୋଗ ଆଣି କହିଛନ୍ତି, ୨୦୧୪ରେ ଏକ ସଡ଼କ ଦୁର୍ଘଟଣାରେ ଆଞ୍ଜେଲଙ୍କ ବାପା ଗଙ୍ଗାପ୍ରସାଦ ମିଶ୍ରଙ୍କ ମୃତ୍ୟୁ ପରେ ସମ୍ପତ୍ତି ହଡ଼ପ କରିବାକୁ ଯୋଜନା ହୋଇଥିଲା। ଏହାର ତିନି ବର୍ଷ ପରେ ଅର୍ଥାତ ୨୦୧୭ରେ ମାଆ ମିତାଲି ପ୍ରିୟଦର୍ଶିନୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଯାହା କୋର୍ଟରେ ବିଚାରାଧୀନ ରହିଛି।

ବାପାମାଆ ଛେଉଣ୍ଡ ଝିଅକୁ ଘରେ ମାନସିକ ଆଉ ଶାରୀରିକ ନିର୍ଯାତନା ଦେଉଥିଲେ ପିଉସୀ, ଜେଜେବାପା ଓ ଜେଜେମାଆ। ଶେଷରେ ସମ୍ପତ୍ତି ପାଇଁ ଝିଅଟିକୁ ହତ୍ୟା କରି ରାସ୍ତାରୁ ସଫା କରିଦେଇଛନ୍ତି । ମାଆଙ୍କ ହତ୍ୟା ମାମଲାରେ ଆଞ୍ଜେଲ ଏକମାତ୍ର ସାକ୍ଷୀ ଥିବାରୁ ପ୍ରମାଣ ନଷ୍ଟ କରିବା ହତ୍ୟାର ଅନ୍ୟତମ କାରଣ ବୋଲି ବି ଅଭିଯୋଗ କରିଛନ୍ତି ମାମୁ । ଯାହାକୁ ଖଣ୍ଡନ କରିଛନ୍ତି ମୃତ ନାବାଳିକାଙ୍କ ପିଉସୀ । 

ଏକ ସଂକୁଚିତ ଡ୍ରେନରୁ ଉଦ୍ଧାର ହୋଇଥିଲା ସାଇପ୍ରଭାଙ୍କ ମୃତଦେହ। ପ୍ରଶ୍ନ ଉଠୁଛି, ସକାଳୁ ସକାଳୁ ନାବାଳିକା ଜଣଙ୍କ କୁଆଡ଼େ ଯାଉଥିଲେ ? ଘରର ଅତି ନିକଟରେ ଯଦି ଦୁର୍ଘଟଣା ଘଟିଲା, କେହି ଜାଣିପାରିଲେନି କେମିତି ? ସେପଟେ ଏସପି କହିଛନ୍ତି, ଘଟଣାସ୍ଥଳରେ ଯାଞ୍ଚ କରାଯାଇଥିବା ବେଳେ ଆଖପାଖ ସିସିଟିଭି ଚେକ୍ କରାଯାଉଛି। ମାମୁଘରର ଅଭିଯୋଗକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି। ଖୁବଶୀଘ୍ର ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।

ବାପାମାଙ୍କର ମୃତ୍ୟୁ ପରେ ସମ୍ପତ୍ତିର ଏକମାତ୍ର ଉତ୍ତାରାଧିକାରୀ ଥିଲେ ସାଇପ୍ରଭା। ତେବେ ସତରେ କଣ ସମ୍ପତ୍ତି ଲୋଭରୁ ଝିଅଟିକୁ ମାରିଦେଲେ କି ପରିବାର ? ଏହା ଦୁର୍ଘଟଣା ନା ପ୍ରି ପ୍ଲାନ୍ଡ୍ ମର୍ଡର୍ ? ମାଆଙ୍କ ମୃତ୍ୟୁ ସହିତ ରହିଛି କି ଲିଙ୍କ୍ ? ଡେଥ୍ ମିଷ୍ଟ୍ରିରେ କଣ ରହିଛି ପିଉସୀଙ୍କ ଭୂମିକା ? 



Sambalpur murder allegation
Advertisment
Related Articles
Advertisment