/odishatv-khabar/media/media_files/2025/12/18/epstein-sex-scandal-2025-12-18-14-48-06.jpg)
Epstein sex scandal Photograph: (OTV)
ଆମେରିକାର ବହୁ ଚର୍ଚ୍ଚିତ ଏପଷ୍ଟିନ୍ ସେକ୍ସ ସ୍କାଣ୍ଡାଲ୍ (Jeffrey Epstein Scandal) ଗୁମର ଖୋଲିବାକୁ ଯାଉଛି। ଏପଷ୍ଟିନ୍ ସେକ୍ସ ସ୍କାଣ୍ଡାଲ୍ ଫାଇଲ୍ ଆଗାମୀ ଦିନରେ ସାର୍ବଜନୀନ ହୋଇପାରେ। ଯାହା ପରେ ସାମନାକୁ ଆସିବ ବିଶ୍ବର ବିଭିନ୍ନ ବଡ ବଡ ନେତା ଓ ବ୍ୟବସାୟୀଙ୍କ ଯୌନ କେଳେଙ୍କାରୀ ମାମଲା। ଏହି ଯୌନ କେଳେଙ୍କାରୀରେ ବିଶ୍ବର ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ସାମିଲ୍ ଥିବାର ପୂର୍ବରୁ ଅଭିଯୋଗ ଆସିଛି। ଆସନ୍ତା ୧୯ ତାରିଖରେ ଏହି ଫାଇଲ୍ ଖୋଲିବା ସମ୍ଭାବନା ରହିଛି। ତେଣୁ ଏଥିରେ ସାମିଲ୍ ଥିବା ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଛାନିଆ।
ଗତ ମାସରେ ଆମେରିକୀୟ ସଂସଦର ଉଭୟ ଗୃହରେ ଏପ୍ଷ୍ଟିନ୍ ଫାଇଲ୍କୁ ସାର୍ବଜନୀନ କରିବା ସଂକ୍ରାନ୍ତ ବିଲ୍ ଭାରୀ ବହୁମତରେ ପାରିତ ହୋଇଥିଲା। ଟ୍ରମ୍ପ ପ୍ରଶାସନ ଏହି ଫାଇଲ୍ ସାର୍ବଜନୀନ କରିବା ପରେ ଯୌନ କେଳେଙ୍କାରୀର ନେଟ୍ୱର୍କ ସର୍ବସମ୍ମୁଖକୁ ଆସିବ ଏବଂ ବହୁ ନେତାଙ୍କ ଯୌନ କେଳେଙ୍କାରୀ ଉନ୍ମୋଚନ ହେବ।
ଜେଫ୍ରି ଏପଷ୍ଟିନ୍ ସେକ୍ସ ସ୍କାଣ୍ଡାଲ୍ (Jeffrey Epstein Sex Scandal) ଏକ ବଡ଼ ଧରଣର ଯୌନ କେଳେଙ୍କାରୀ ଏବଂ ଟ୍ରାଫିକିଂ ମାମଲା ଯାହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ନାବାଳିକା ଝିଅମାନଙ୍କୁ ଯୌନ ଶୋଷଣ ପାଇଁ ଟ୍ରାଫିକିଂ କରୁଥିବା ଅଭିଯୋଗ ଉଠିଥିଲା।
ଜେଫ୍ରି ଏପଷ୍ଟିନ୍ ଜଣେ କୁଖ୍ୟାତ ଯୌନ ଅପରାଧୀ। ସେ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଧନୀ ଲୋକଙ୍କ ସହ ଘନିଷ୍ଠ ସମ୍ପର୍କ ରଖୁଥିଲେ ଏବଂ ନିଜର ପ୍ରାଇଭେଟ୍ ଆଇଲ୍ୟାଣ୍ଡ ଏବଂ ବିଳାସବହୁଳ ଘରେ ପାର୍ଟି ଆୟୋଜନ କରୁଥିଲେ। କିନ୍ତୁ ଏହି ବିଳାସବହୁଳ ଜୀବନ ପଛରେ ଲୁଚି ରହିଥିଲା ଭୟଙ୍କର ରହସ୍ୟ। ସେ ନାବାଳିକା ଝିଅମାନଙ୍କୁ ଯୌନ ଶୋଷଣ ପାଇଁ ଟ୍ରାଫିକିଂ କରୁଥିଲେ।
ମୁଖ୍ୟ ଘଟଣାବଳୀ:
୨୦୦୫-୨୦୦୮: ଫ୍ଲୋରିଡାରେ ପୋଲିସ୍ ଏପଷ୍ଟିନ୍ଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିଲା। ଅନେକ ନାବାଳିକା ଝିଅ (କେତେକ ମାତ୍ର ୧୪ ବର୍ଷୀୟ) ତାଙ୍କୁ ଯୌନ ଶୋଷଣ ନେଇ ଅଭିଯୋଗ କରିଥିଲେ। ୨୦୦୮ରେ ସେ ଗିରଫ ହୋଇଥିଲେ। ହେଲେ ମାତ୍ର ୧୩ ମାସ ଜେଲ୍ ଦଣ୍ଡ ଭୋଗିଥିଲେ। ଏହା ପରେ ସେ ୨୦୦୯ରେ ଜେଲରୁ ମୁକୁଳିଥିଲେ। ଏହାକୁ ଅନେକ ହାଲୁକା ଦଣ୍ଡ ବୋଲି ସମାଲୋଚନା କରିଥିଲେ।
୨୦୧୬: ଭର୍ଜିନିଆ ଗିଫ୍ରେ ନାମ୍ନୀ ଜଣେ ଯୁବତୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଏପ୍ଷ୍ଟିନ୍ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କ ସହ ୩ ବର୍ଷ ଧରି ଯୌନ ଶୋଷଣ ହୋଇଥିବା ସେ କହିଥିଲେ। କେବଳ ସେ ନୁହେଁ, ଅନେକ ମହିଳା ଏହି ଅଭିଯୋଗ ଆଣିଥିଲେ। ଗିଫ୍ରେଙ୍କ ଅନୁସାରେ ତାଙ୍କୁ ୧୬ ବର୍ଷ ହୋଇଥିଲା ବେଳେ ସେ ଡୋନାଲ୍ଡ ଟ୍ରମ୍ପଙ୍କ କ୍ଲବ ମାର୍ -ଏ-ଲାଗୋରେ କାମ କରୁଥିଲେ। ଏହି ସମୟରେ ଗିସଲେନ୍ ମ୍ୟାକ୍ସୱେଲ୍ ଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ତାଙ୍କୁ ପ୍ରାଇଭେଟ୍ ଜେଟ୍ରେ ବିଶ୍ବର ବିଭିନ୍ନ ସ୍ଥାନକୁ ନିଆଯାଇ ପ୍ରଭାବଶାଳୀ ଲୋକମାନଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ଚଳିତବର୍ଷ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା।
୨୦୧୯: ନ୍ୟୁୟର୍କରେ ଫେଡେରାଲ୍ ଅଭିଯୋଗରେ ଏପଷ୍ଟିନ୍ଙ୍କୁ ଗିରଫ କରାଗଲା। ସେ ନାବାଳିକାମାନଙ୍କୁ ଯୌନ ଶୋଷଣ ପାଇଁ ଟ୍ରାଫିକିଂ କରୁଥିବା ଏବଂ ଧନୀ-ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ଯୌନ ସମ୍ପର୍କ ପାଇଁ ବ୍ୟବସ୍ଥା କରୁଥିବା ଅଭିଯୋଗ ଉଠିଥିଲା। ଜେଲ୍ରେ ଥିବା ବେଳେ ୨୦୧୯ ଡିସେମ୍ବର ୧୦ରେ ସେ ଆତ୍ମହତ୍ୟା କରିଥିଲେ। ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଥିଲା। ଅନେକେ ଏହାକୁ ଷଡ଼ଯନ୍ତ୍ର ବୋଲି କହନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ଦାବି କରନ୍ତି।
ଗିସଲେନ୍ ମ୍ୟାକ୍ସୱେଲ୍: ଏପଷ୍ଟିନ୍ଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଏବଂ ସହଯୋଗୀ। ସେ ଝିଅମାନଙ୍କୁ ନିଯୁକ୍ତ କରି ଏପଷ୍ଟିନ୍ଙ୍କ ପାଖକୁ ପଠାଉଥିବା ଅଭିଯୋଗରେ ୨୦୨୧ରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି। ଡିସେମ୍ବର ୨୦୨୫ରେ ସେ ନୂଆ ପ୍ରମାଣ ଦାଖଲ କରି ନିଜର ଦୋଷ ରଦ୍ଦ କରିବାକୁ ଅଦାଲତରେ ଆବେଦନ କରିଛନ୍ତି।
ତେବେ ଏହି ମାମଲା ବିଶ୍ବ ରାଜନୀତିରେ ଝଡ ସୃଷ୍ଟି କରିଛି। ଅନେକ ପ୍ରଭାବଶାଳୀ ବ୍ୟକ୍ତି ନିଜର ସମ୍ପୃକ୍ତି ଜଣା ପଡିଯିବା ଭୟରେ ଥରହର। ଏହୀ ମାମଲା ସହ ଜଡିତ ୧୯ଟି ଫଟୋ ଗତ ଡିସେମ୍ବର ୧୨ ତାରିଖରେ ସାମନାକୁ ଆସିଥିଲା। ଏଥିରୁ ଏକାଧିକ ଫଟୋ କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଥିଲା। ଏହି ଫଟୋ ଗୁଡିକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଅରବପତି ବିଲ୍ ଗେଟ୍ସଙ୍କୁ ବି ଦେଖିବାକୁ ମିଳିଥିଲା।
ଏପଷ୍ଟିନ୍ଙ୍କ ସହ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସଂସ୍ପର୍ଶରେ ଥିଲେ। ଯେପରିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ବ୍ୟବସାୟୀ ରିଚାର୍ଜ ବ୍ରାନ୍ସନ, ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନ୍ ରାଜାଙ୍କ ଭାଇ ପ୍ରିନ୍ସ ଆଣ୍ଡ୍ରୁ ଆଦି। କିନ୍ତୁ ଅଧିକାଂଶ ଏହାକୁ ଅସ୍ୱୀକାର କରିଛନ୍ତି ଏବଂ ଏମାନଙ୍କ ବିରୋଧରେ କୌଣସି ଅପରାଧିକ ପ୍ରମାଣ ମିଳିନାହିଁ।
ଏଥିରେ ଭାରତର କିଛି ମନ୍ତ୍ରୀ, ସାଂସଦ ଏବଂ ପୂର୍ବତନ ମନ୍ତ୍ରୀଙ୍କ ନାମ ଥାଇପାରେ ବୋଲି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ଦାବି କରିଥିଲେ। ହେଲେ ଆମେରିକାର ନ୍ୟାୟ ବିଭାଗ ଏ ବାବଦରେ ଅଦ୍ୟାବଧି କୌଣସି ସଙ୍କେତ ଦେଇନାହିଁ। କିନ୍ତୁ ଏପ୍ଷ୍ଟିନ ଫାଇଲରେ ଜଣେ ପ୍ରମୁଖ ଭାରତୀୟ-ଆମେରିକୀୟ ବ୍ୟକ୍ତିତ୍ୱ ତଥା ଲେଖକ ଦୀପକ ଚୋପ୍ରାଙ୍କ ନାମ ରହିଛି। ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ ମାର୍ଲା ମାପଲ୍ସଙ୍କ ବିଷୟରେ ଏପ୍ଷ୍ଟିନ୍ଙ୍କୁ ପଚାରିଥିଲେ ଦୀପକ ଚୋପ୍ରା।
Faith, Fear and Sindoor: ଜଗା ରଖିଦେଲା ମଥା ସିନ୍ଦୂର ! ଆଶା ଓ ଆଶଙ୍କା ଭିତରେ ପାଇଲେ ସ୍ୱାମୀଙ୍କୁ

President Rejects Mercy Plea: ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମୀ, ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପ୍ରତ୍ୟାଖ୍ୟାନ

Educated Unemployment: ୫ମ ପାସ୍ କରିଥିଲେ ସରକାରୀ ଚାକିରି, ପାଠପଢ଼ି ମାଳମାଳ ଉଚ୍ଚଶିକ୍ଷିତ ବେକାରୀ

Baula Amavasya: ଆମ୍ବ ଗଛର ପୂଜା, ବଉଳ ଅମାବାସ୍ୟାର ପର୍ବ, ରହିଛି ଗଇଁଠା ପିଠାର ସ୍ୱତନ୍ତ୍ରତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)