/odishatv-khabar/media/media_files/2025/12/18/baula-amabasya-2025-12-18-11-10-42.jpg)
Baula Amabasya Photograph: (OTV)
ବୈଦିକ ରୀତିନୀତି ଅନୁଯାୟୀ ଆମର ଭାରତୀୟ ଧାର୍ମିକ ପରମ୍ପରାରେ ଅନେକ ଦେବଦେବୀ ପୂଜିତ ହୋଇଥାନ୍ତି। କିନ୍ତୁ ଭାରତବର୍ଷରେ ପ୍ରକୃତିର ବିଭିନ୍ନ ଅଂଶ ଯେମିତିକି ନଦୀ, ବନ, ପର୍ବତ, ବୃକ୍ଷଲତା ଆଦିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରିଥାନ୍ତି। ଏହା ମଧ୍ୟରେ ବୃକ୍ଷ ଉପାସନା ଏକ ବିଶେଷ ସ୍ଥାନ ଅଧିକାର କରିଛି। ତୁଳସୀ, ବେଲ, ବଟ, ଶମି, ଆମ୍ବ, ଧାନକ୍ଷେତ ଆଦି ଅନେକ ବୃକ୍ଷ ପୂଜିତ ହୁଅନ୍ତି। ତୁଳସୀ ବିବାହ, ବେଲ ବରଣ, ଗର୍ଭଣା ସଂକ୍ରାନ୍ତି ଆଦି ପର୍ବମାନ ଯେପରି କୃଷକ ପରିବାରରେ ମହା ସମାରୋହରେ ପାଳନ କରିଥାନ୍ତି, ଠିକ୍ ସେହିପରି, ପୌଷ ଅମାବାସ୍ୟାରେ ଆମ୍ବ ବୃକ୍ଷର ପୂଜା ହୋଇଥାଏ।ଏହି ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ ।
ବଉଳ ଅମାବାସ୍ୟା -
ସାଧାରଣତଃ ପୌଷ ମାସ ବେଳକୁ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ରହିଛି ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ।
ତେଣୁ ଏହାକୁ ଏକ ମହାର୍ଘ ପର୍ବ ଭାବେ ପାଳିତ ହୁଏ। ପୌଷମାସ ସାଧାରଣତଃ ଶୀତଋତୁର ଏକ ଅଙ୍ଗ ହୋଇଥିଲେ ମଧ୍ୟ, ଏହି ମାସରେ ବସନ୍ତର ଆଗମନୀ ବାର୍ତ୍ତା ଭାବରେ ଆମ୍ବଗଛରେ ପ୍ରଥମେ ବଉଳ ଆସିଥାଏ। ତେଣୁ ପୌଷ ଅମାବାସ୍ୟା ଦିନ ଏହି ବଉଳକୁ ଦେବଦେବୀମାନଙ୍କୁ ସମର୍ପଣ କରିବା ସହିତ ଆମ୍ବଗଛର ପୂଜା କରାଯାଇଥାଏ।
ଗଇଁଠା ଭୋଗ -
ଓଡ଼ିଆଘରର ଗୃହିଣୀମାନେ ଅତିପବିତ୍ରତାର ସହିତ ଏ ଅମାବାସ୍ୟାଟିକୁ ପାଳନ କରନ୍ତି।କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ଏହିଦିନ ଘରେ ଗଇଁଠା ପିଠା ତିଆରି କରାଯାଏ । ଏହି ଗଇଁଠା ପିଠା ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ହୋଇଥାଏ। ଗେଟେଇ ପିଠା, କ୍ଷୀରଗଇଁଠା, ଗଇଁଠାଗୁଡ଼ି ପିଠା ଆଦି ଭିନ୍ନ ଭିନ୍ନ ନାମରେ ପ୍ରଚଳିତ ଏହି ପିଠା ଅରୁଆ ଚାଉଳରୁ ତିଆରି ହେଇଥାଏ । ଚାଉଳ ଚୂନାକୁ ଫୁଟନ୍ତା ପାଣିରେ କୋରା ନଡିଆ,ଚିନି ଓ ଲୁଣ ସହ ମିଶାଇ ଘାଣ୍ଟି ଖଳି ତିଆରି କରାଯାଇଥାଏ । ଖଳି ତିଆରି କରି ସେ ଖଳିକୁ ଗୋଟି ଗୋଲ ଗୋଲ କରି ବଳି ଫୁଟୁଥିବା ଓ ସାମାନ୍ୟ ମରିଯାଇଥିବା କ୍ଷୀରରେ ପକାଇ ଘାଣ୍ଟି ଘାଣ୍ଟି ଗଇଁଠା ତିଆରି କରାଯାଇଥାଏ । ବାସ୍ନା ପାଇଁ ଏଥିରେ ଛେଚା ଅଳେଇଚ ଓ ତେଜପତ୍ର ଆଦିର ବ୍ଯବହାର ହୋଇଥାଏ ।
ବଉଳ ଅମାବାସ୍ୟାର ବିଧି -
ଏହିଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଝୋଟିଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡି ମଧ୍ୟ କୁହାଯାଏ । ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ ।
ଶ୍ରୀ ମନ୍ଦିରରେ ବଉଳ ଅମାବାସ୍ୟା -
ଏ ଦିନ ଅବକାଶ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଆଜ୍ଞାମାଳ ଲାଗି ହୋଇଥାଏ । ସକାଳ ଧୂପ ଉଠିବା ସମୟରେ ରୋଷଘରୁ ‘ବଉଳ-ଗଇଁଠା' ତାଟ ଛାମୁକୁ ଆସେ । ମୁଦିରସ୍ତ ପ୍ରସାଦ ଲାଗି କଲାପରେ ସକାଳଧୂପ ପୂଜା ହୁଏ । ଭୋଗ ଆଳତି ପରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି । ତା'ପରେ ତାଟ ମହାପ୍ରସାଦ ବାହାର କରାଯାଏ । ପାଣି ପଡ଼ିବା ପରେ ନାରାୟଣଙ୍କୁ ସଂହାସନକୁ ବିଜେ କରାଯାଏ । ଆଜ୍ଞାମାଳ ପାଇବା ପରେ ପାଲିଙ୍କିରେ ସାଗର ବିଜେ କରାଯାଇଥାଏ ।
ଆମ୍ବ ଗଛର ମହତ୍ତ୍ଵ-
କାହିଁ କେଉଁ ଆବହମାନ କାଳରୁ ଘରକୁ ସୁନ୍ଦର ଓ ଅଶୁଭ ଶକ୍ତିର ପ୍ରବେଶକୁ ରୋକିବାକୁ କରିଥାଏ ଆମ୍ବପତ୍ରର ବ୍ଯବହାର ହୋଇଆସୁଛି। ଯେ କୌଣସି ଶୁଭ କାମର ଆରମ୍ଭରେ ପ୍ରଥମେ ଆମ୍ବ ଆମ୍ବପତ୍ର ଟାଙ୍ଗି ଦିଆଯାଏ, ଏମିତିକି ବିନା ଆମ୍ୱ ଡାଳରେ ଘଟ ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ।ଏହି କାରଣରୁ କୃତଜ୍ଞତାବଶତଃ ନୂଆ ନୂଆ ବଉଳ ଆସୁଥିବା ସମୟରେ ଏହି ଆମ୍ବ ଗଛର ବନ୍ଦାପନା କରାଯାଇଥାଏ। ଗୃହିଣୀମାନେ ପ୍ରଭାତରୁ ଆମ୍ବଗଛର ମୂଳକୁ ସଫାସୁତୁରା କରି, ଚାଉଳବଟାର ଚିତା ପକାଇ ସଜ୍ଜିତ କରନ୍ତି ଏବଂ ଦ୍ୱିପ୍ରହର ବେଳକୁ କ୍ଷୀର-ଗଇଁଠା ପିଠା କରି ଏହି ବୃକ୍ଷ ମୂଳରେ ପୂଜା କରିଥାଆନ୍ତି। ସାଧାରଣତଃ ଗର୍ଭବତୀ ଥିବା ସମୟରେ ରେ ବଧୂକୁ ଯେପରି ବନ୍ଦାପନା କରାଯାଇଥାଏ, ଠିକ୍ ସେହିପରି ଆମ୍ବଗଛର ବନ୍ଦାପନା ହୋଇଥାଏ।
ବଉଳ ବସିବା -
ଓଡ଼ିଆ ଗାଉଁଲି ପରମ୍ପରାରେ ଅନ୍ୟ ଗୋଟିଏ ବିଶେଷ ରୀତି ରହିଛି।
ଏହି ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ବଉଳ ବସନ୍ତି। ଏହି ଦିନରେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ଵତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି। ବଉଳ ବସିବା ପରେ ଆଉ ନାଁ ଧରି ନ ଡାକି ପରସ୍ପରକୁ ବଉଳ ବୋଲି ସମ୍ବୋଧନ କରନ୍ତି। ଏହି ସମ୍ପର୍କରେ ଏକ ଅଦ୍ଭୁତ ନିବିଡତା ଥାଏ। ଯଦିଓ ଆଜିକାଲି ସମୟରେ ଏ ବଉଳ, ମକର, ସଙ୍ଗାତର ସମ୍ପର୍କ ସବୁ ଧୀରେ ଧୀରେ ହଜିବାକୁ ଲାଗିଲାଣି କିନ୍ତୁ ଏ ପ୍ରକାର ସ୍ଵତନ୍ତ୍ର ସମ୍ପର୍କର ଭାବ ଅଲଗା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)