/odishatv-khabar/media/media_files/2025/12/02/murder-2025-12-02-17-26-25.jpg)
Murder Photograph: (OTV)
ଦ୍ବିତୀୟ ଇଶ୍ବର କୁହାଯାଉଥିବା ଡାକ୍ତର ଏମିତି ପଶୁ ହୋଇପାରନ୍ତି ଶୁଣିଲେ ଘୂରିଯିବ ମଥା। ଜଣେ ଡାକ୍ତର ବେଙ୍ଗାଲୁରୁରେ ତାଙ୍କ ପତ୍ନୀଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ ଦେଇ ହତ୍ୟା କରିଛନ୍ତି। ପତ୍ନୀଙ୍କ ମୃତ୍ୟୁ ସାଧାରଣ ବୋଲି ପ୍ରାଥମିକ ଭାବେ ଜଣାପଡ଼ୁଥିଲା। କିନ୍ତୁ ମୃତ୍ୟୁର ୬ ମାସ ପରେ ଏହି ଘଟଣା ଉପରୁ ଯେତେବେଳେ ପରଦା ହଟିଲା, ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଗଲା। ଏହି ପଶୁ ସ୍ବଭାବର ଡାକ୍ତର ହେଉଛନ୍ତି ଡାକ୍ତର ମହେନ୍ଦ୍ର ରେଡ୍ଡୀ। ସେ ତାଙ୍କ ଡାକ୍ତର ପତ୍ନୀ କୃତିକା ରେଡ୍ଡୀଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ ଦେଇଥିଲେ। ପତ୍ନୀଙ୍କ ମୃତ୍ୟୁକୁ ସ୍ୱାଭାବିକ ଦେଖାଇବାକୁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର।
ଡାକ୍ତର ଦମ୍ପତି ବେଙ୍ଗାଲୁରୁରେ ରହୁଥିଲେ
୩୧ ବର୍ଷୀୟ ଡାକ୍ତର ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୮ ବର୍ଷୀୟା ପତ୍ନୀ ଡାକ୍ତର କୃତିକାଙ୍କ ସହ ବେଙ୍ଗାଲୁରୁର ମୁନ୍ନେକୋଲାଲା ଅଞ୍ଚଳରେ ରହୁଥିଲେ। ସେଦିନ ଥାଏ ଏପ୍ରିଲ ୨୧। ଡାକ୍ତର କୃତିକା ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ସ୍ୱାମୀ ଡାକ୍ତର ମହେନ୍ଦ୍ର ରେଡ୍ଡୀ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମାରାଥାହଲ୍ଲୀ ପୁଲିସ ସ୍ବାଭାବିକ ମୃତ୍ୟୁ ଦର୍ଶାଇ ମାମଲା ରୁଜୁ କରିଥିଲା। ସେତେବେଳକୁ ଏହି ମୃତ୍ୟୁ ପଛରେ ଲୁଚି ରହିଥିବା ଗୋଟିଏ ଭୟଙ୍କର ଷଡ଼ଯନ୍ତ୍ରର ଦିଗ ସାମନାକୁ ଆସିନଥିଲା।
କିନ୍ତୁ ଯେତେବେଳେ ସୁରାକ ମିଳିଲା…
ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କଲା। ଘଟଣା ସ୍ଥଳକୁ ପୁଣି ଥରେ ଯାଞ୍ଚ କଲା। ସେଠାରୁ ଆଶ୍ଚର୍ଯ୍ୟଜନକ ସୁରାକ ପାଇଲା। ଘଟଣାସ୍ଥଳରୁ ଇଞ୍ଜେକ୍ସନ ସମେତ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ଜବତ କରାଯାଇଥିଲା। ଏଗୁଡ଼ିକୁ ପରୀକ୍ଷା ପାଇଁ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯାଇଥିଲା। ମୃତ୍ୟୁର ନିର୍ଭୁଲ କାରଣ ଜାଣିବା ପାଇଁ ମୃତ ଡାକ୍ତର କୃତିକାଙ୍କ ଭିସେରା ନମୂନା ମଧ୍ୟ ଫରେନସିକ୍ ଲାବରେଟୋରିକୁ ପଠାଯାଇଥିଲା। ଧିରେ ଧିରେ ଷଡ଼ଯନ୍ତ୍ରର ଅଡ଼ୁଆ ସୂତା ଫିଟିବାରେ ଲାଗିଥିଲା। ଏଇଠୁ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ।
ଭିସେରା ରିପୋର୍ଟ ଧରା ପକାଇଦେଲା ସତ
ଲାବୋରେଟୋରି ରିପୋର୍ଟ ସମ୍ପୂର୍ଣ୍ଣ ମାମଲା ଉପରୁ ପରଦା ହଟାଇଲା। ଡାକ୍ତର କୃତିକାଙ୍କ ଭିସେରା ରିପୋର୍ଟରେ ପ୍ରୋପୋଫଲ୍ ନାମକ ଏକ ନିଶ୍ଚେତକ ଔଷଧ ଠାବ ହୋଇଥିଲା। ଯାହା ନିୟମିତ ଚିକିତ୍ସାରେ ଦିଆଯାଇ ନଥାଏ। ଏହା ତାଙ୍କ ଡାକ୍ତର ସ୍ୱାମୀଙ୍କ ଦ୍ବାରା ଦିଆଯାଇଥିବା ସନ୍ଦେହକୁ ବଢ଼ାଇ ଦେଇଥିଲା। ରିପୋର୍ଟକୁ ଆଧାର କରି ଡାକ୍ତର କୃତିକାଙ୍କ ବ୍ୟବସାୟୀ ବାପା କେ. ମୁନି ରେଡ୍ଡୀ ସାମନାକୁ ଆସିଥିଲେ। ଝିଅକୁ ନିଶ୍ଚେତକ ଦିଆଯାଇ ହତ୍ୟା କରାଯାଇଥିବା ଅକ୍ଟୋବର ୧୩ ତାରିଖରେ ତାଙ୍କ ଜ୍ୱାଇଁ ଡାକ୍ତର ମହେନ୍ଦ୍ର ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ପୁଲିସ ଏହି ଆଧାରରେ ମାମଲା ରୁଜୁ କରି ମାମଲାକୁ ଆଗକୁ ବଢ଼ାଇଲା।
ଶ୍ୱଶୁର ଘର ଟଙ୍କାରେ ହସ୍ପିଟାଲ କରିଥାନ୍ତେ, କିନ୍ତୁ…
ମୁନି ରେଡ୍ଡିଙ୍କ ସାନ ଝିଅ କୃତିକା। ୨୦୨୪ ମେ ୨୬ରେ ସେ ଡାକ୍ତର ମହେନ୍ଦ୍ର ରେଡ୍ଡିଙ୍କୁ ବିବାହ କରିଥିଲେ। କୃତିକା ଜଣେ ଡାକ୍ତର ଥିଲେ। ମହେନ୍ଦ୍ର ବିବାହ ପରଠାରୁ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଇଆସୁଥିଲେ। ସେ ଏକ ହସ୍ପିଟାଲ ତିଆରି କରିବାକୁ ଚାହୁଁଥିଲେ। ତାଙ୍କ ଶ୍ୱଶୁର ଘର ଲୋକଙ୍କଠାରୁ ଟଙ୍କା ପାଇଁ ବାରମ୍ବାର ଅଡ଼ି ବସୁଥିଲେ। ହସ୍ପିଟାଲ ବଦଳରେ ତାଙ୍କ ଶ୍ୱଶୁର ମୁନି ରେଡ୍ଡି ମାରାଥାହଲ୍ଲୀ ଅଞ୍ଚଳରେ ଏକ କ୍ଲିନିକ୍ ଖୋଲିଥିଲେ। ଜ୍ବାଇଁଙ୍କ ସ୍ବପ୍ନ ପୂରଣ ନହେବାରୁ ଡାକ୍ତର ପତ୍ନୀଙ୍କୁ ରାସ୍ତାରୁ ସଫା କରିବାକୁ ବାଛିଥିଲେ ହତ୍ୟାକାଣ୍ଡର କୌଶଳ। ଆଉ ଶେଷରେ ଏହାର ବାସ୍ତବ ରୂପ ମଧ୍ୟ ଦେଇଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଦେବ।
ନିଶ୍ଚେତକ ଦେଇ ମାରିଦେଲା
୨୦୨୫ ଏପ୍ରିଲ ୨୧ରେ କୃତିକାଙ୍କ ଗ୍ୟାସ୍ ହେଇଥିବା ଦର୍ଶାଇ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ପରଦିନ ସେ ତାଙ୍କୁ ତାଙ୍କ ବାପ ଘରେ ଛାଡି ଦେଇଥିଲେ। କିଛି ଦିନ ବିଶ୍ରାମ ନେବାକୁ କହିଥିଲେ। ସନ୍ଧ୍ୟାରେ ସେ ତାଙ୍କୁ ଆଉ ଏକ ଇଞ୍ଜେକ୍ସନ ଦେଇଥିଲେ। ପରଦିନ ସକାଳେ କୃତିକା ଅଚେତ ଅବସ୍ଥାରେ ପଡ଼ିଥିଲେ। କୃତିକାଙ୍କୁ ହସପିଟାଲ ନିଆଯାଇଥିଲା । ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଶେଷରେ ହତ୍ୟାକାରୀ ଡାକ୍ତରଙ୍କ ଷଡ଼ଯନ୍ତ୍ର ସଫଳ ହୋଇଥିଲା। କେବଳ ଟଙ୍କା ପାଇଁ ସଂସାର ଗଢ଼ିବା ପୂର୍ବରୁ ଜଣେ ନବବଧୂ ଶେଷରେ ଆରପାରିକୁ ଚାଲିଗଲା।
Social Message: ଏମିତି ବିବାହ ଦେଖିନଥିବେ କି ଶୁଣିନଥିବେ , ଘୋଡ଼ାରେ ଆସିଲେ ୨୧ ବର

Blind Date to Married in 4 Hours: ୪ ଘଣ୍ଟାରେ ବିବାହ, ୧୮ ଦିନରେ କାଙ୍ଗାଳ...

Unique Village: ଏହି ଗାଁର ଲୋକେ ଦୁଇଟି ଦେଶରେ ରୁହନ୍ତି...ବେଡ୍ରୁମ ଅଛି ଭାରତରେ, ରୋଷେଇ ଘର...

Hidden in Odisha’s Hills: ପାହାଡ଼ ଜଙ୍ଗଲରେ ଲୁଚିଛି ଅମୂଲ୍ୟ ଐତିହ୍ୟ ...ପ୍ରାୟ ୪,୦୦୦ ବର୍ଷ ପୁରୁଣା କଳା

Fast-Track Demolition of Unsafe Buildings: ଚେତିଲେ ସରକାର: ଭଙ୍ଗାଯିବ ସମସ୍ତ ବିପଦ ଶଙ୍କୁଳ କୋଠା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)