• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୀମା ନିର୍ଦ୍ଧାରଣ କରେ କ୍ଷେତ୍ରର ପରିସୀମା । ଦେଶ ହେଉ କିମ୍ବା ରାଜ୍ୟ, ସମସ୍ତେ ସୀମା ରଖିଥାଆନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଘରର ଗୋଟେ ପଟ ଗୋଟେ ଦେଶ ଓ ଅନ୍ୟ ଗୋଟେ ପଟ ଆଉ ଗୋଟେ ଦେଶର ହେଲେ କେମିତି ହେବ । ବିଶ୍ୱରେ ତ ଏମିତି ଅନେକ ଉଦାହରଣ ରହିଛି । ତେବେ ଭାରତରେ ମଧ୍ୟ ଅଛି ।

ନାଗାଲାଣ୍ଡର ସୋମ ଜିଲ୍ଲାରେ ଅବସ୍ଥିତ ଲଙ୍ଗୱା ଗାଁ । ଏହି ଗାଁର ବିଶେଷତ୍ୱ ହେଉଛି, ଏହାର ଅଧିବାସୀ ଦୁଇଟି ଦେଶରେ ବାସ କରନ୍ତି । ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ କଥାଟି ସତ । କୋନ୍ୟକ ଜନଜାତିମାନଙ୍କର ଏହି ଛୋଟିଆ ଗାଁଟି ଭାରତ ଓ ମିଆଁମାର ସୀମାରେ ଅବସ୍ଥିତ । ଗାଁର ଏପରି ଭୌଗୋଳିକ ସୀମା କାରଣରୁ ଏହାର ଅଧିବାସୀ ମାନେ ଉଭୟ ଦେଶର ନାଗରିକତା ସୁବିଧା ପାଇଥାଆନ୍ତି । ସେମାନଙ୍କୁ ଏକାସାଙ୍ଗରେ ଦୁଇ ଦେଶରେ ରହିବାର ବିରଳ ସୁବିଧା ମିଳିଛି ।

ଦୁଇ ଦେଶ ମଧ୍ୟରେ ଏହି ଆନ୍ତର୍ଜାତୀୟ ସୀମା ଗାଁ ମୁଖିଆଙ୍କ ଘରକୁ ମଧ୍ୟ ଭାଗ କରିଥାଏ । ଗାଁ ମୁଖିଆ ଜଣକ ହେଲେ ଅଙ୍ଗ । ସେ ଉଭୟ ଦେଶରେ ଥିବା ଏହି ଗାଁର ମୁଖିଆ ଅଟନ୍ତି । ତେବେ FMR ଅଧୀନରେ ବିନା ପାସପୋର୍ଟରେ ଏହି ଅଞ୍ଚଳବାସୀଙ୍କୁ ସୀମା ପାର କରିବାକୁ ଉଭୟ ଦେଶ ଅଧିକାର ଦେଇଛନ୍ତି ।

ଏହି ଅଞ୍ଚଳର ଅଧିବାସୀମାନେ ମିଆଁମାର ସୀମାର ୧୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ଅନୁମତି ପାଇଛନ୍ତି । ଏମାନଙ୍କର ଏହି ଦ୍ୱେତ ନାଗରିକ ଅଧିକାର ରାଜନୀତିଠାରୁ ବହୁ ଉର୍ଦ୍ଧ୍ୱରେ । ଏହା ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ । ସେମାନଙ୍କର ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକଳାପ, ବାଣିଜ୍ୟ ଏବଂ ପାରିବାରିକ ସମ୍ପର୍କକୁ ମଧ୍ୟ ମଜବୁତ କରିଥାଏ ।

ଦୁଇଟି ଦେଶରେ ବାସ କରିବା ନିହାତି ଏକ ପ୍ରତିକୂଳ ସ୍ଥିତି । ତଥାପି ଏଠିକାର ନାଗରିକମାନେ ପରସ୍ପର ସହ ସମନ୍ୱୟ ରକ୍ଷା କରି ଭାଇଚାରାର ପ୍ରମାଣ ଦେଇଆସିଛନ୍ତି । ଗାଁର ଏପରି ବିଶେଷତ୍ୱ ପାଇଁ ଏହା ସର୍ବଦା ପର୍ଯ୍ୟଟକ ଓ ଗବେଷକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇରହିଛି । ଗୋଟିଏ ଜାଗାରେ ଦୁଇଟି ଭିନ୍ନ ସଂସ୍କୃତି ଅନୁଭବ କରିବାର ସୁଯୋଗ ଏଠାରେ ମିଳିଥାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now