Advertisment

Nagal Chaturthi Brata: ଏହି ତିଥିରେ ନାଗ ସାପକୁ ପୂଜା କରାଯାଏ କାହିଁକି, ଜାଣନ୍ତୁ ନାଗଲ୍ ଚତୁର୍ଥୀ ବ୍ରତ ପାଳନର ବିଧି

ସମୁଦ୍ର ମନ୍ଥନ ସମୟରେ ସାପ ହିଁ ମନ୍ଥନ ଦଉଡ଼ି ଭାବରେ ବ୍ୟବହୃତ ହୋଇଥିଲା। ପୌରଣିକ କଥା ଅନୁସାରେ ଏଇ ପୃଥିବୀକୁ ନାଗରାଜ ବାସୁକୀ ଧାରଣ କରିଅଛନ୍ତି। ସେହିପରି କାଳୀୟ ନାଗର ପରାଜୟ ଶ୍ରୀକୃଷ୍ଣଙ୍କ ଶୈଶବର ଏକ ପ୍ରସିଦ୍ଧ ଘଟଣା ଭାବରେ ଭାଗବତରେ ବର୍ଣ୍ଣିତ ହୋଇଛି।

author-image
Sarojini Sankhua
Nagal Chaturthi Brata 2025

ନାଗ ଚରୁର୍ଥୀ ବ୍ରତ Photograph: (OTV)


ସର୍ପ ବା ନାଗ ଜ୍ଞାନ, ବୁଦ୍ଧି, ଶକ୍ତି, ସାଧନା ,ସୁଖ ,ସମ୍ପଦ,ସ୍ୱାସ୍ଥ୍ୟ, ତଥା ଯୌନ ଚେତନାର ପ୍ରତୀକ ରୂପେ କେଉଁ ଆଦିମ କାଳରୁ ଆମ ସମାଜରେ ପ୍ରଚଳିତ। ତେଣୁ ବର୍ଷ ବର୍ଷ ଧରି ପୃଥିବୀର ସବୁ ପ୍ରାନ୍ତରେ ସର୍ପ ପୂଜାର ପରମ୍ପରା ପ୍ରଚଳିତ ହୋଇ ଆସୁଛି। ଓଡ଼ିଶାରେ ମଧ୍ୟ ଏପରି ପରମ୍ପରା ରହିଚି। ବୈଦିକ ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ଧର୍ମୀୟ ଗୋଷ୍ଠୀ ମଧ୍ୟରେ ଏହି ପୂଜା କରାଯାଏ ବୋଲି  ପ୍ରମାଣ ମଧ୍ଯ ରହିଚି। ପୁରାଣ ଓ ଲୋକ  ବିଶ୍ୱାସ ମାଧ୍ୟମରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ।

Advertisment

ପୌରାଣିକ କାହାଣୀ ଅନୁସାରେ କଶ୍ୟପ ଋଷିଙ୍କ ପତ୍ନୀ କଦ୍ରୁଙ୍କଠାରୁ ସର୍ପବଂଶର ଉଦ୍‌ଭବ ହୋଇଥିଲା। ଏହି ସର୍ପବଂଶକୁ ଧ୍ବଂସ କରିବା ଲାଗି ରାଜା ପରୀକ୍ଷିତଙ୍କ ପୁଅ  ଜନ୍ମେଜୟ ସର୍ପଯଜ୍ଞ କରିଥିଲେ। ଅନ୍ୟଭାବରେ ଦେଖିବାକୁ ଗଲେ ନାଗ ଶିବଙ୍କର ଶରୀରର ଗୋଟିଏ ଆଭୂଷଣ। ସେଥିପାଇଁ ଶିବଙ୍କୁ ନାଗେଶ୍ବର, ନାଗଭୂଷଣ ଆଦି ନାମରେ ପରିଚିତ କରାଯାଏ। ନାଗ ମଧ୍ୟ ଶିବଙ୍କର ପ୍ରତୀକ ରୂପେ ସ୍ଥାନେ ସ୍ଥାନେ ପୂଜା ପାଇଥାଏ। ଶିବଙ୍କର ପ୍ରତୀକ ଲଙ୍ଗ ନିକଟରେ ବା ଉପରେ ଧାତୁରେ ତିଆରି ନାଗମୂର୍ତ୍ତି ସ୍ଥାପନ କରିବା ଏକ ବଡ଼ ପ୍ରାଚୀନ ଧାର୍ମିକ ଚଳଣି।

ସମୁଦ୍ର ମନ୍ଥନ ସମୟରେ ସାପ ହିଁ ମନ୍ଥନ ଦଉଡ଼ି ଭାବରେ ବ୍ୟବହୃତ ହୋଇଥିଲା। ପୌରଣିକ କଥା ଅନୁସାରେ ଏଇ ପୃଥିବୀକୁ ନାଗରାଜ ବାସୁକୀ ଧାରଣ କରିଅଛନ୍ତି। ସେହିପରି କାଳୀୟ ନାଗର ପରାଜୟ ଶ୍ରୀକୃଷ୍ଣଙ୍କ ଶୈଶବର ଏକ ପ୍ରସିଦ୍ଧ ଘଟଣା ଭାବରେ ଭାଗବତରେ ବର୍ଣ୍ଣିତ ହୋଇଛି। ଶ୍ରୀକୃଷ୍ଣଙ୍କର ଭାଇ ବଳରାମଙ୍କୁ ଶେଷ ନାଗଙ୍କ ଅବତାର ଭାବେ ମଧ୍ୟ ବର୍ଣ୍ଣନା କରାଯାଏ। ଏହିପରି ସର୍ପରାଜ ବା ନାଗର ମହିମା ଅନେକ। ତେବେ ଓଡିଶାରେ ଓଡିଶାରେ କେବଳ ନାଗଙ୍କୁ ଦେବତା ରୂପେ ପୂଜା କରାଯାଏ ତା ନୁହେଁ, ଏଠାରେ ନାଗ ଦେବତାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ବ୍ରତ ପାଳନ କରାଯାଏ ଯାହାର ନାମ ହେଉଛି ' ନାଗଲ୍ ଚତୁର୍ଥୀ ବ୍ରତ'।

Advertisment

ନାଗଲ୍ ଚତୁର୍ଥୀ ବ୍ରତ

କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ପାଳନ କରାଯାଉଥିବା ଏହି ପର୍ବଟି ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ଏହି ପର୍ବରେ ନାରୀମାନେ ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ପାଳନ କରିଥାନ୍ତି। ବିଶ୍ୱାସ ରହିଛି ଏହି ପୂଜା କଲେ ସର୍ପ ଦଶଂନର ଭୟ ରହେ ନାହିଁ। ଏହି ପୂଜା ଦୀପାବଳି ଅମାବାସ୍ୟା ପରବର୍ତ୍ତୀ ଚତୁର୍ଥୀ ଦିନ ପରେ ପାଳନ କରାଯାଏ। ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା।

ନାରୀମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ତଥା ହୁଙ୍କାର କିଛି ଅଂଶକୁ ଆଣି ଚଉଁରା ମୂଳେ ରଖି, ନାଗ-ନାଗୁଣିଙ୍କ ତମ୍ବାର ମୂର୍ତ୍ତି ରଖି, ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ, ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ, କଦଳୀ, ଗୁଡ଼ ଚାଉଳ ଚୁନା, ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି। କେଉଁ କେଉଁ ସ୍ଥାନରେ କ୍ଷୀର ମଧ୍ୟ ନାଗ ଦେବତାଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ଅର୍ପଣ କରାଯାଏ। ହୁଙ୍କା ପୂଜାରେ ଖିର ଓ ସିରିଣି ଦିଆ ଯାଇଥାଏ।

ଓଡିଶାରେ ନାଗଲ୍ ଚତୁର୍ଥୀ ବ୍ରତକୁ ନେଇ ଏକ ବ୍ରତ କଥା ଅଛି ତାହା ଏହିପରି

ଭାରତ ମଣ୍ଡଳରେ କୋଶଳ ବୋଲି ଦ୍ଵୀପଟିଏ ଥାଏ। ସେହି ଦ୍ୱୀପରେ ଅବନ୍ତୀ ନାମରେ ଗୋଟିଏ ନଗର ଥିଲା। ସେଠାରେ ଜଣେ ଧନପତି ସାଧବଙ୍କର ସାତପୁଅ, ସାତ ବୋହୂ ଥାଆନ୍ତି। ସାଧବାଣୀ ସାନ ବୋହୂକୁ ଭଲ ପାଏ ନାହିଁ। ଧନ ଦରବରେ ଘର ପୁରିଥିଲେ କ'ଣ ହେବ ! ସାନ ବୋହୂର ଦୁଃଖ କହିଲେ ନସରେ। ରାତି ଅଧରୁ ଉଠି ଘର ଗୋଟାକର କାମ ସାରି ବେଳ ବୁଡିଲା ବେଳକୁ ଗାଧୋଇ ଯାଏ। କେବେ ଖାଇବା ପାଇଁ ଗଣ୍ଡାଏ ପାଏ ତ ପୁଣି କେବେ ପାଏ ନାହିଁ।

ଏପରି ତା’ର ସମୟ କଟେ। ଦିନେ ଶାଶୁ ନଈକୁ ଗାଧୋଇ ଗଲେ। ସେଠାରେ ସାତୋଟି ଗଡିଶା ମାଛ ଧରିଲେ। ସାନ ବୋହୂକୁ ଦେଲେ ଭାଜିବା ପାଇଁ। ସାନବୋହୂ ମାଛ ପୁଟୁଳାଟି ଚାଳରେ ଖୋସି ଦେଲାI କାମ ବ୍ୟସ୍ତତାରେ ଶାଶୁଙ୍କୁ ମାଛ ଭାଜି ଦେବାକଥା ଭୁଲିଗଲା। ଶାଶୁ ମଧ୍ୟ ସେଦିନ ସେ କଥା ଭୁଲିଗଲେ। କିନ୍ତୁ ଦିନେ ହଠାତ୍ ତାଙ୍କର ମନେ ପଡିଗଲା। ସାନ ବୋହୂକୁ  ନାନା ନଟୁକଥା କହି ଗାଳି ଦେଲେ। 

ବୋହୂ ଚାଳରୁ ପୁଡିଆଟି ବାହାର କଲା। ତା'ଭିତରୁ ମାଛ ବଦଳରେ ସାତୋଟି ନାଗଛୁଆ ବାହାରି ଯାଇ ଐଶାନ୍ୟ କୋଣକୁ ଲୁଚିଗଲେ। ଏକଥା ଦେଖି ଶାଶୁ ବୋହୂ ଦୁହେଁ ଆଶ୍ଚର୍ଯ୍ୟ ହେଲେ। କିନ୍ତୁ ସାନବୋହୂର ମନ ସେହି ସାପଛୁଆ ସାତୋଟି  ପାଖରେ ଲାଗି ରହିଲା। ସେ ସୁବିଧା ଦେଖି ଐଶାନ୍ୟ କୋଣକୁ ଯାଇ ସେମାନଙ୍କୁ ଦୁଧ ଚାଉଳ ଖାଇବାକୁ ଦେଲା। ରାନ୍ଧିଲା ବେଳେ ତିଅଣ ଦେଲା। ଏମିତି ଏମିତି ସେମାନେ ବଢିଲେ। କିଛି ଦିନ ଗଲା।

ବୋହୂ କାହାକୁ କିଛି ନକହି ସାପ ପିଲା ସାତୋଟିଙ୍କୁ ନେଇ ହୁଙ୍କାରେ ଛାଡିଦେଇ ଆସିଲା। ସେମାନେ ଥିଲେ ନାଗମାତାଙ୍କର ପୁଅ ନଈରେ ମାଛ ରୂପରେ ଖେଳିବା ବେଳେ ଧରା ପଡିଥିଲେ। ଏବେ ଲୁଚିକି ହୁଙ୍କା ବାଟେ ପାତାଳ ପୁରକୁ ଚାଲିଗଲେ। ସାନବୋହୂ ପାଇଁ ସେମାନେ ମୁକୁଳିବା କଥା ଯାଇ ନିଜ ମାତାଙ୍କୁ କହିଲେI ସେ ଶୁଣି ଖୁସି ହେଲେ। 

ନାଗ ଶିଶୁମାନେ ସାଧବ ଘର ସାନ ବୋହୂକୁ ଭଉଣୀ ପରି ସ୍ନେହ କରୁଥିଲେ। ନାଗମାତା ମଧ୍ୟ ତାକୁ ଝିଅପରି ଭାବିଲେ। ପିଲାମାନଙ୍କ ଅନୁରୋଧରେ ତାକୁ ପାତାଳ ପୁରକୁ ପୁଆଣି କରି ଆଣିବାକୁ ସ୍ଥିରକଲେ। ନାଗ ସାତ ଭାଇ ଯାକ ମଣିଷ ରୂପରେ  ଭାର ଧରି ସାଧବ ଘରେ ପହଞ୍ଚି ସାଧବ ଘରେ ସାନବୋହୂର ଭାଇ ବୋଲି ପରିଚୟ  ଦେଲେ। ସସମ୍ମାନେ ଦିନେ ରହି ସାନ ବୋହୂକୁ  ପୁଆଣି କରି ଆଣିଲେ।

ସାନ ବୋହୂ ଶାଶୁ, ଶଶୁରଙ୍କ ସମ୍ମତି ଆଣି ଦି'ମାସ ପାଇଁ ଶାଶୁଘରୁ ବିଦା ହୋଇ ଭାଇମାନଙ୍କ ସଙ୍ଗେ ଆସିଲା। କିନ୍ତୁ ନାଗ ଲୋକରେ ପହଞ୍ଚିବା ପରେ କିଛି ବୁଝି ପାରିଲା ନାହିଁ। ପରେ ସବୁ ଜାଣିଲା ,ବୁଝିଲା। ତାକୁ ସେଠାରେ ନାଗମାତା, ନାଗ ଶିଶୁ ଓ ଅନ୍ୟମାନେ ବଡ ଆଦର ଗୌରବରେ ରଖିଲେ। 

ନାଗମାତା ସାଧବ ସାନବୋହୂକୁ ତ ଝିଅଭଳି ଦେଖନ୍ତି। ଦିନେ ତାକୁ ଘର ବୁଲେଇ ନେଲେ। ସବୁ ଦେଖେଇଲେ। ଗୋଟିଏ ଘର ପାଖରେ ଅଟକି ଯାଇ କହିଲେ - "ମାଆଲୋ ! ଭୁଲରେ ବି ଏଘର ଖୋଲିବୁ ନାହିଁ। ମଣିଷ ମାନଙ୍କୁ ଏଘର ଭିତର ଦେଖିବା ମନା।

ସାନ ବୋହୂ ସେହି ଭୁଲ୍ କଲା

ଯେଉଁ ଭୁଲଟି ନାଗମାତା କରିବାକୁ ମନା କରିଥିଲେ; ସାଧବ ସାନବୋହୂ ସେହି ଭୁଲଟି କରି ବସିଲା। ଭୁଲ ଟି କରିସାରିବା ପରେ ସେ କିନ୍ତୁ ବହୁତ ଡରିଗଲା। ସେ ଘରେ ବହୁ ସଂଖ୍ୟକ ସାପ। ସେମାନେ ତାକୁ ଦେଖି ଫଣାଟେକି ଗର୍ଜି ଉଠିଲେ। ସେ କବାଟ କିଳିଦେଇ ପକାଇ ଆସିଲା । ପରେ ନାଗମାତାଙ୍କୁ ଏହାର କାରଣ ପଚାରିଲା। ସେ କହିଲେ- "ନର-ଲୋକରେ ଯେଉଁ ନାସ୍ତିକ ,ଈଶ୍ୱର ଦ୍ରୋହୀ, ଦୋଷୀ, ଅପରାଧୀ, ନିର୍ଦୟ ଲୋକମାନେ ଅଛନ୍ତି ସେମାନଙ୍କୁ ଦଂଶନ କରିବା ପାଇଁ ସମୟେ ସମୟେ ଏମାନଙ୍କୁ ପଠାଯାଏ। ତାଛଡା ଏମାନେ ଆଉ କୁଆଡ଼େ ଯାଆନ୍ତି ନାହିଁ। ସାଧବ ଘର ସାନବୋହୂ ପଚାରିଲା-“ତୁମେ ତ ହର୍ତାକର୍ତ୍ତା I ସେ ଲୋକମାନଙ୍କୁ କ୍ଷମା କରିଦିଅନି କାହିଁକି ?"

ନାଗମାତା ଉତ୍ତର ଦେଲେ- ''ଯେଉଁ ଲୋକ ନାଗଲ ଚଉଠି ଓଷା କରେ ଏବଂ ଚତୁର୍ଦ୍ଦଶୀ ସୋମବାରରେ ଶିବ ପୂଜା କରେ ତାକୁ ଏ ସର୍ପଦଂଶନ ଦଣ୍ଡରୁ ମୁକ୍ତି ମିଳିଥାଏ।" ଏପରି ଶୁଣିବା ପରେ ଓଷାର ଦେବତା, ମନ୍ତ୍ର, ପୂଜା-ବିଧାନ କଥା ଜାଣିବାକୁ ସାଧବ ଘର ସାନ ବୋହୂର ମନ ବଳିଲା। ତା'ର ଆଗ୍ରହ ଦେଖି ନାଗମାତା ଦାକୁ କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ନାଗପୂଜା କରିବାର ବିଧ‌ି ବିଧାନ ବତାଇ ଦେଲେ। ତା'ପରେ ନାଗମାତା ସାଧବ ସାନବୋହୂକୁ କାଚ, ସିନ୍ଦୁର, ଅଳଙ୍କାର ପିନ୍ଧାଇ ପୁଆଣି ଭାର ସହ ପାଲିଙ୍କିରେ ପଠାଇ ଦେଲେ। ତା’ସାଙ୍ଗରେ ନାଗ ସାତ ଭାଇଯାକ ମଣିଷ ରୂପ ଧରି ଆସି ଛାଡିଦେଇ ଗଲେ।

ସାଧବ ବୋହୂର ନାଗଲ୍ ଚଉଠି ଓଷା

ସାନବୋହୂ ଶିଖି ଆସିଥିବା ବିଧିରେ ନାଗଲ ଚଉଠିବ୍ରତ ପାଳନକରେ। ତା'ଠାରୁ ଦେଖି ସାଧବାଣୀ ବୁଢୀ ମଧ୍ୟ ଏହା ପାଳିଲେ। ଦିନେ ନାଗ ବୁଢା ବିଚାରିଲା, ସାଧବ ବୋହୂ ଏତେ ଦ୍ରବ୍ୟ ନେଇଗଲା। ଆଜି ତାକୁ ଦଂଶନ କରିବି। ଏପରି ଭାବି ତା' ଘରକୁ ଆସି ଲୁଚି ରହିଲା। ଶୁଣିଲା, ଶାଶୂବୋହୂ ଦୁହେଁ କଳି ଲାଗିଛନ୍ତି। ବୋହୂ କହୁଛି ମୋ ସାତଭାଇ, ନାଗୁଣୀମାତା, ନାଗପିତା, ଅଜଗର ଅଜା ସମସ୍ତେ ସୁଖରେ ବଞ୍ଚିଥାନ୍ତୁ। ସେମାନେ ଶୁଭରେ ଥିଲେ, ମୋର କେଉଁଥିରେ ଉଣା ହେବନାହିଁ। ନାଗବୁଢା ଏହାଶୁଣି ଖୁସି ହୋଇ ଫେରିଗଲା। ପୁଣି କେତେ ଦ୍ରବ୍ୟ ନେଇ ସାଧବଘରେ ସଂଖୁଳି ଆସିଲା।

ପୂଜା ବିଧି

ସେଦିନ ନାଗୁଆଳି ବୋଲି ରୂପା ନାଗ ଗୋଟିଏ ଓ ସୁନା ନାଗୁଣୀ ଗୋଟିଏ କରିବାକୁ ହୁଏ। ଉଇମାଟି ଖଣ୍ଡିଏ ଆଣି ତାକୁ ସିନ୍ଦୂର କଜ୍ଜଳରେ ସଜାଯାଏ। ଅଁଳା ଗନ୍ଧପୁଷ୍ପ ଦେଇ ତାକୁ ପୂଜା କରିବାକୁ ହୁଏ। ସେ ଉଇମାଟି ପାଖେ ନାଗ ନାଗୁଣୀକୁ ସ୍ଥାପନା କରାଯାଏ। ଏ ବ୍ରତରେ ବ୍ରାହ୍ମଣ ପୂଜା କରନ୍ତି। ଲିଆ, ତିଳ, ନଡ଼ିଆ, ତାଳପତ୍ର ପାନିଆ, ଟଭା, ନାରଙ୍ଗ, ଆଖୁ, କାକୁଡି, ଜହ୍ନି, ଛେନା, ପିଠଉ, ମୁଗ, ଅଦା, ମରିଚ ମଶଲା ଇତ୍ୟାଦି ଯାହା ମିଳିବ ତାକୁ ଚାଙ୍ଗୁଡ଼ାରେ ଭର୍ତ୍ତି କରି ଅର୍ପଣ କରିବ। କଞ୍ଚା ଦୁଧ, ପଇଡ ଅର୍ଘ୍ୟଦେବ।

ଘିଅ ଦୀପରେ ବନ୍ଦାପନା କରିବ। ଧୂପ, ଦୀପ, ନୈବେଦ୍ୟ ଦେଇ ମୁଖବାସ ପାନ ଦେବ। ଚାଙ୍ଗୁଡ଼ି ନାଗ ନାଗୁଣୀଙ୍କ ପାଖେ ରଖିବ। ନାଗ ନାଗୁଣୀଙ୍କି ହଳଦିଆ କରିବ। ହଳଦିଆ ବସ୍ତ୍ର ପିନ୍ଧାଇବ। ହରିଦ୍ରା ଫୁଲରେ ବ୍ରାହ୍ମଣ ପୂଜା କରିବ। ଓଷାଇତିମାନେ ହୁଳହୁଳି ଦେବେ। ସୂର୍ଯ୍ୟ ଥାଉ ଥାଉ  ପୂଜା କରିବେ। ବ୍ରାହ୍ମଣଙ୍କୁ ଦକ୍ଷିଣା ଦେବେ। ଏପରି ବିଧିରେ ନାଗଲ ଚତୁର୍ଥୀ ବ୍ରତ ପୂଜା କରାଯାଏ। କୁହାଯାଏ ଏହି ନାଗନାଗୁଣୀ ହେଉଛନ୍ତି ଶିବପାର୍ବତୀଙ୍କ ପ୍ରତୀକ।

Advertisment
Related Articles
Advertisment