/odishatv-khabar/media/media_files/2026/01/05/bjd-rift-deepens-in-jajpur-2026-01-05-20-29-21.jpg)
BJD Rift Deepens in Jajpur Photograph: (OTV)
ପ୍ରମିଳାଙ୍କ ଘରେ ମେଳି। ଖସୁଛି ବବିଙ୍କ ପତିଆରା। ବବି-ଡାନି କଥା କଟାକଟି। ଦିନ ଥିଲା ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ପଛ ଛାଡୁନଥିଲେ ନେତା। ଏବେ କିନ୍ତୁ ବବିଙ୍କୁ ନେତା ବୋଲି ଆଉ ମାନିବାକୁ ନାରାଜ। ଗତକାଲି କୋରେଇ ସଭା ମଞ୍ଚରୁ ବିଜେଡି ନେତାଙ୍କ ଭିତରେ ଅସୂୟା ଭାବ ଥିବା ବୟାନ ଦେବା ପରେ ବବିଙ୍କୁ ନେଇ ଦଳରେ ଅସନ୍ତୋଷ ବଢିଛି। ଏଣେ ବରିଷ୍ଠ ନେତ୍ରୀଙ୍କ ସଫେଇ ଯାଜପୁରରେ ଦଳ ଏକ ଓ ସଂଗଠିତ ଅଛି।
ଯାଜପୁର ବିଜେଡିରେ ବଡ ହଲ ଚଲ୍। ସଭା ମଞ୍ଚରେ ବବି ଖୋଲିଲେ ଜିଲ୍ଲା ସଙ୍ଗଠନ ଗୁମର। କହିଲେ, ନେତାଙ୍କ ଭିତରେ ବିଦ୍ବେଷ ଓ ଅସୂୟା ଭାବ ରହିଛି। ବିଜେଡି ନେତାଙ୍କ ଭିତରେ ସୃଷ୍ଟି ହୋଇଛି ଅବିଶ୍ବାସର ବାତାବରଣ। ଯାଜପୁର କୋରେଇର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଅପ୍ରିୟ ସତ କହିଛନ୍ତି ବବି ଓରଫ ପ୍ରଣବ ପ୍ରକାଶ ଦାସ । ଖାଲି ସେତିକି ନୁହେଁ ବବି ଆହୁରି କହିଛନ୍ତି, ପ୍ରଥମ ୧୫ରୁ ୧୭ ବର୍ଷ ସମସ୍ତଙ୍କୁ ସୁଯୋଗ ମିଳିଛି । କିନ୍ତୁ ସୁଯୋଗ ପାଇ ସାରିଲା ପରେ କୋରେଇ ଛାଡି ପଳେଇଛନ୍ତି। ସେଇଟା ଏତେ ଦ୍ବନ୍ଦ୍ବ ସୃଷ୍ଟି କରିଛି ଯେ ଆମମାନଙ୍କ ଭିତରେ ଅବିଶ୍ୱାସର ବାତାବରଣ ବଢି ଯାଇଛି। ସେ ଅବିଶ୍ୱାସର ବାତାବରଣକୁ ଭାଙ୍ଗିବା ପାଇଁ ଆମେ ଏଇ ଭଳି ବାରମ୍ବାର ଏକାଠି ହେବା ଦରକାର ବୋଲି କହିଛନ୍ତି ବବି। ଆଉ ଏହି ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବବି-ଡାନି । ବବିଙ୍କୁ କାଉଣ୍ଟର କରିଛନ୍ତି କୋରେଇର ପୂର୍ବତନ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓରଫ ଡାନି। ସେ କହିଛନ୍ତି, ଅଶୋକ ଦାସ ଓ ପ୍ରଫୁଲ୍ଲ ଘଡାଇଙ୍କ ଭଳି ନେତା କୋରେଇରୁ ଆସିଛନ୍ତି। କେହି ଦଳ ଛାଡିଯାଇନାହାନ୍ତି। ବରଂ ଦଳର ପରିଚାଳନା ଦାୟିତ୍ବ ନେଇଥିବା ଟିମରେ ଆମୂଳ ଚୂଳ ପରିବର୍ତ୍ତନ ଆବଶ୍ୟକତା ରହିଛି କହି ବବିଙ୍କୁ ଟାର୍ଗେଟ କରିଛନ୍ତି ଡାନି।
ବବିଙ୍କ କୋରେଇ ସଭାମଞ୍ଚ ବୟାନ ପରେ ଆଜି ହଠାତ ବିଞ୍ଝାରପୁର ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ସରକାରୀ ବାସଭବନରେ ମେଳି କରିଥିଲେ ଯାଜପୁର ନେତା। ଖୋଦ ବବି ଦାସଙ୍କ ସମେତ ଡାନି ଘଡାଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ବ ମଲ୍ଲିକ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଚର୍ଚ୍ଚା ହେଉଛି ସଂଗଠନ ସମ୍ପାଦକ ଥିବାବେଳେ ବବିଙ୍କ ଦବଦବା ଯେମିତି ଥିଲା ତାହା ବର୍ତ୍ତମାନ ଆଉ ନାହିଁ। କାରଣ ଖୋଦ ବବିଙ୍କ ସିଟ୍ ଯାଜପୁରରୁ ନିର୍ବାଚିତ ହୋଇଥିବା ସୁଜାତା ସାହୁ ଏବେ ଖୋଲାଖୋଲି କହୁଛନ୍ତି ବବି ଦାସ ବଡ ନେତା ନୁହନ୍ତି, ଆମର ନେତା ହେଉଛନ୍ତି ନବୀନ। ଜିଲ୍ଲାରେ ବବି ଓ ଡାନିଙ୍କ ଭିତରେ ଶୀତଳ ଯୁଦ୍ଧ ବି ଆରମ୍ଭ ହୋଇଯାଇଛି। ନେତା ନେତାଙ୍କ ଭିତରେ ମତାନ୍ତର ରହିଛି। ସେପଟେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଘଳିଆରେ ପ୍ୟାଚ୍ ପକାଇବାକୁ ଉଦ୍ୟମ କରି କହିଛନ୍ତି କୌଣସି ମେଳି ହୋଇ ନାହିଁ । ଜିଲ୍ଲା ସଂଗଠନ ଉପରେ ଆଲୋଚନା ହେଉଥିଲା। ଯାଜପୁରରେ ଦଳ ସଂଗଠିତ ଅଛି।
ମେଳି ରାଜନୀତିର ଯାଦୁ ଏବେ ବିଜେଡି ସଂଗଠନରେ ମାଡ଼ି ଗଲାଣି। ଯାଜପୁର ସଂଗଠନ ପ୍ରସ୍ତୁତି ଆଳରେ ପ୍ରମିଳାଙ୍କ ଘରେ କରାଯାଇଥିବା ବୈଠକ ପଛର ପ୍ରକୃତ ସତ ଯେ ଗୋଷ୍ଠୀ କନ୍ଦଳ ତାହା ନେତାଙ୍କ ବୟାନବାଜିରୁ ସ୍ପଷ୍ଟ। ଏବେ ଦେଖିବାର କଥା ଗୋଳିଆ ହୋଇଥିବା ଯାଜପୁର ବିଜେଡି ପଲିଟିକ୍ସ ଆଗକୁ କେଉଁ ମୋଡ଼ ନେଉଛି।
Mid Day Meal Issue: ମଧ୍ୟାହ୍ନ ଭୋଜନ ବନ୍ଦ କରି ଘରକୁ ପଳାଇଲେ ପ୍ରଧାନ ଶିକ୍ଷକ; ଉପାସେ ରହିଲେ ଛାତ୍ରଛାତ୍ରୀ

Leopard Attacks Farmer : ଜୀବନ ପାଇଁ ୩ ଘଣ୍ଟା ସଂଘର୍ଷ, ଛଟପଟ ହୋଇ ଅଖି ବୁଜିଲେ ବାଘ-ମଣିଷ

UP Student Die Of Excess Fast Food: ସାବଧାନ! ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଲା ଫାଷ୍ଟଫୁଡ୍

Greatness of Secretary Usha Padhee: ମହାନତା ଦେଖାଇଲେ ସଚିବ ଉଷା ପାଢ଼ୀ, ଭିକ୍ଷା ମାଗୁଥିବା ପରିବାରକୁ ଦେଲେ ନୂଆ ଠିକଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)