Advertisment

Tribeni Amavasya: ତ୍ରିବେଣୀ ଅମାବାସ୍ୟାରେ ମୌନବ୍ରତ ପାଳନ କରିବାର କାରଣ କ'ଣ ଜାଣିଛନ୍ତି?

'ତ୍ରିବେଣୀ' ହେଉଛି ତିନୋଟି ନଦୀର ସଙ୍ଗମ। ପ୍ରସିଦ୍ଧ ତ୍ରିବେଣୀ ସଙ୍ଗମ ହେଉଛି ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀଙ୍କର ମିଳନ ସ୍ଥଳ। ସେହିପରି ଓଡ଼ିଶାର ଯାଜପୁରରେ ବିରଜା କ୍ଷେତ୍ରରେ ବିଶିଷ୍ଟ ତ୍ରିବେଣୀ ସଙ୍ଗମ ରହିଛି।

author-image
Sarojini Sankhua
Significance of Tribeni Amavasya

ତ୍ରିବେଣୀ ଅମାବାସ୍ୟାର ମହତ୍ତ୍ୱ Photograph: (OTV)


ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ଅମାବାସ୍ୟା ତିଥି ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ତିଥି। କିନ୍ତୁ ମାଘ ମାସର ଅମାବାସ୍ୟାକୁ ଅନ୍ୟ  ଅମାବାସ୍ୟାମାନଙ୍କଠାରୁ ଅଧିକ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ବିଚାର କରାଯାଇଥାଏ। ଏହି ଅମାବାସ୍ୟା ଓଡ଼ିଶାରେ ତ୍ରିବେଣୀ ଅମାବାସ୍ୟା ଓ ଉତ୍ତର ଭାରତରେ ମୌନୀ ଅମାବାସ୍ୟା ନାମରେ ପରିଚିତ। ଏହି ଅମାବାସ୍ୟାରେ ପବିତ୍ର ସ୍ଥାନରେ ସ୍ନାନ ସହ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ-ତର୍ପଣ ଦେଇ  ପୁଣ୍ୟ ସଞ୍ଚୟ ପାଇଁ ସୁଯୋଗ  ମିଳିଥାଏ।

Advertisment

ତ୍ରିବେଣୀ ଅମାବାସ୍ୟାର ମହତ୍ତ୍ୱ

'ତ୍ରିବେଣୀ' ହେଉଛି ତିନୋଟି ନଦୀର ସଙ୍ଗମ। ପ୍ରସିଦ୍ଧ ତ୍ରିବେଣୀ ସଙ୍ଗମ ହେଉଛି ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀଙ୍କର ମିଳନ ସ୍ଥଳ। ସେହିପରି ଓଡ଼ିଶାର ଯାଜପୁରରେ ବିରଜା କ୍ଷେତ୍ରରେ ବିଶିଷ୍ଟ ତ୍ରିବେଣୀ ସଙ୍ଗମ ରହିଛି। ଏହି ସ୍ଥାନକୁ ପୂର୍ବ ଭାରତର ଗୟା ବା ପ୍ରୟାଗ ଭାବରେ ମଧ୍ୟ ବିବେଚନା କରାଯାଏ। ଏହି କାରଣରୁ ମାଘ ମାସର ଅମାବାସ୍ୟାକୁ ଓଡ଼ିଶାରେ ତ୍ରିବେଣୀ ଅମାବାସ୍ୟା ନାମ ଦିଆଯାଇଛି। ଏହି ଦିନ ବିରଜା କ୍ଷେତ୍ରରେ ସ୍ନାନ, ଦାନ, ପୂଜା ଓ ପିତୃତର୍ପଣ କଲେ ଅତି ମହାପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ।

ମୌନୀ ଅମାବାସ୍ୟା

ଏହି ତ୍ରିବେଣୀ ଅମାବାସ୍ୟାକୁ ମୌନୀ ଅମାବାସ୍ୟା ମଧ୍ୟ କହାଯାଏ ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯାଆନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି। ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ। ତା'ଛଡ଼ା ବର୍ଷକରେ ଥରେ ମକର ରାଶିକୁ ସୂର୍ଯ୍ୟ ଗମନ କରନ୍ତି।

Advertisment

ଶନି ହେଉଛନ୍ତି ମକର ରାଶିର ରାଶି ଅଧିପତି। ଶନି ପୁଣି ଚନ୍ଦ୍ରଙ୍କ ବିରୋଧୀ। ମକରରେ ସୂର୍ଯ୍ୟଙ୍କ  ଅବସ୍ଥାନ ଦ୍ୱାରା ମକର ଓ ଶନିଙ୍କ ପ୍ରଭାବ ବୃଦ୍ଧିପାଏ। ଫଳରେ ଚନ୍ଦ୍ର ଆହୁରି ଦୁର୍ବଳ ହୋଇଯାଆନ୍ତି। ଚନ୍ଦ୍ରଙ୍କ ଦ୍ୱାରା ଆମର ମନ ଓ ଭାବ ନିୟନ୍ତ୍ରଣ ହୋଇଥାଏ। ତେଣୁ ଆମର ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାର ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ। ତେଣୁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଭଲ ବୋଲି ବିଚାର କରାଯାଏ। ଏକଥା ମଧ୍ୟ କୁହାଯାଏ ଯେ ସୃଷ୍ଟିର ଆରମ୍ଭରେ ସବୁ ଶାନ୍ତ ଓ ନିରବ ଥିଲା। ତାପରେ ସୃଷ୍ଟିହେଲା ଶବ୍ଦ ଏବଂ ଏହି ଶବ୍ଦ ଥିଲା ଓଁ ବା ବ୍ରହ୍ମନାଦ। ପ୍ରତ୍ୟେକ ଶବ୍ଦରେ ଅଛି ଶକ୍ତି ଏବଂ ଏହି ଶକ୍ତି ହିଁ ଚାରିପାଖର ସ୍ଥିତିକୁ ପରିବର୍ତ୍ତନ କରିପାରେ। ମୌନୀ ଅମାବାସ୍ୟାରେ ମୌନ ରହିଲେ ଶରୀରରେ ପ୍ରାଣ ସଂରକ୍ଷିତ ହୋଇ ରହେ। ଏହା ଶକ୍ତି, ସାମର୍ଥ୍ୟ ପ୍ରଦାନ କରେ।

ମାଆ ବିରଜାଙ୍କ ଜନ୍ମ

ତ୍ରିବେଣୀ ଅମାବାସ୍ୟା ଦେବୀ ବିରଜାଙ୍କର ଆବିର୍ଭାବ ଦିବସ। ସେ ‘ଅଯୋନିଜା’, ଅର୍ଥାତ୍ ସେ କାହାରି ଗର୍ଭସଂଭୂତା ନୁହନ୍ତି। ସେ ସଂପର୍କରେ ଅନେକ କିଂବଦନ୍ତି ଓ ପୌରାଣିକ ଉପାଖ୍ୟାନ ଅଛି। ଯାଜପୁରର ଅନ୍ୟନାମ ଯାଜିପୁର ବା ଯଜ୍ଞପୁର। କଥିତ ଅଛି, ଯେ ବ୍ରହ୍ମା ଏଠାରେ ଯଜ୍ଞ କରିଥିଲେ ଏବଂ ତାହା ଫଳରେ ଏହା ହୋଇଥିଲା ବିରଜାତୀର୍ଥ ଓ ଦେବୀ ବିରଜାଙ୍କ କ୍ଷେତ୍ର। ‘ମହାଭାରତ’ ଓ ‘ବ୍ରହ୍ମାଣ୍ଡ ପୁରାଣ’ରେ ଏ ସଂପର୍କରେ ବର୍ଣ୍ଣନା ମିଳେ। ବ୍ରହ୍ମାଣ୍ଡ ପୁରାଣ ଅନୁସାରେ, ବ୍ରହ୍ମାଙ୍କ ଯଜ୍ଞକୁଣ୍ଡର ଗାର୍ହପତ୍ୟ ଅଗ୍ନିରୁ ଆବିର୍ଭୂତ ହୋଇଥିଲେ ଦେବୀ ବିରଜା। ଅନ୍ୟ ଚାରି ଅଗ୍ନିରୁ ଈଶାନେଶ୍ୱର ଓ ଅନ୍ୟ ଦେବଗଣଙ୍କର ଆବିର୍ଭାବ ଘଟିଥିଲା।

ମାଆ ବିରଜାଙ୍କ ଜନ୍ମୋତ୍ସବ

ପ୍ରତି ମାଘ ମାସରେ ତ୍ରିବେଣୀ ଅମାବାସ୍ୟା ଦିନ ଶ୍ରବଣା ନକ୍ଷତ୍ରଯୁକ୍ତ ମକର ଚନ୍ଦ୍ରରେ ବିରଜାଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ଏହି ଦିନ ଦେବୀଙ୍କୁ ସାବିତ୍ରୀ ରୂପରେ ଆବାହନ କରାଯାଏ। ଦେବୀ ବିରଜାଙ୍କୁ ଶକ୍ତି ସ୍ୱରୂପୀ ' ସାବିତ୍ରୀ ' ବେଶରେ ସଜାଇ ଦିଆଯାଏ। ସାବିତ୍ରୀ ବେଶରେ ସଜ୍ଜିତ କରିବା ପାଇଁ ଧଳା ସୋଲରେ ବ୍ରହ୍ମାଙ୍କ ମୁହଁ ଅନୁସାରେ ଚାରିମୁହଁ ବିଶିଷ୍ଟ ମୂର୍ତ୍ତିଟିଏ ନିର୍ମାଣ କରାଯାଏ। ଚାରିମୁହଁ ଭିତରୁ ଗୋଟିଏ ମୁହଁରେ ମୁକ୍ତା ପରି ଧଳା, ଦିତ୍ଵୀୟ ମୁହଁଟି ପୋହଳା ପରି ରକ୍ତବର୍ଣ୍ଣ, ତୃତୀୟ ମୁହଁଟି ସୁନା ପରି ହଳଦିଆ, ଚତୁର୍ଥ ମୁହଁଟି ଶ୍ୟାମ ରଙ୍ଗର। ପ୍ରତି ମୁହଁରେ ତିନୋଟି ଲେଖାଏଁ ନେତ୍ର, ମସ୍ତକରେ ଅର୍ଦ୍ଧଚନ୍ଦ୍ର ଯୁକ୍ତ ରତ୍ନ ମୁକୁଟ ଶୋଭାପାଏ। ଦେବୀଙ୍କ ଦଶ ହାତରେ ବର, ଅଭୟ, ଅଙ୍କୁଶ, ଶରଗୁଚ୍ଛ, ତ୍ରିଶୂଳ, କପାଳ, ଗୁଣଯୁକ୍ତ ଧନୁ , ଶଙ୍ଖ, ଚକ୍ର, ପଦ୍ମଦ୍ୱୟ ଆୟୁଧ ରୂପରେ ଶୋଭା ପାଏ। ମନ୍ତ୍ରରାଜ ଗାୟତ୍ରୀ ଦ୍ଵାରା ଦେବୀଙ୍କ ପୂଜା ସମ୍ପାଦନା ହୁଏ।

ତ୍ରିବେଣୀ ଅମାବାସ୍ୟା ପାଳନର ନିୟମ

ଏହି ଅମାବାସ୍ୟା ଦିନ ପିପଳ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଜଳାଇଲେ  ଶୁଭ ଫଳ ମିଳିଥାଏ। ଏହି ଦିନ ଭୋଜନରେ ସୋରିଷ ତେଲ, କଳା ଚଣା ଓ ଗୁଡ଼ର ବ୍ୟବହାର ହେଇଥାଏ। ଏହି ମୌନି ଅମାବାସ୍ୟା ଦିନ ସ୍ନାନ ଓ ଦାନର ଅନେକ ମହତ୍ୱ ରହିଛି। ଏହିଦିନ କଳା ରାଶି, ଅଟା, ଚିନି ଇତ୍ୟାଦିର ଦାନ ଦାନ କଲେ ପୁଣ୍ୟ ଲାଭ ହୋଇଥାଏ। କାରଣ ଯେଉଁ ବ୍ୟକ୍ତିମାନେ ଦାନ ପୁଣ୍ୟ କରି ଥାଆନ୍ତି ସେମାନଙ୍କ ଉପରେ ଶନି ଦେବ ପ୍ରସନ୍ନ ରହି ଥାଆନ୍ତି। ତେଣୁ ମୌନି ଅମାବାସ୍ୟା ରେ କଳା ରାଶି, କଳା କପଡା, କମ୍ବଳ, ଗୋଟା ବିରି ଆଦି ଖାଦ୍ୟ ସାମଗ୍ରୀ ଦାନ କରିବା ଖୁବ ଶୁଭ ବୋଲି ବିଚାର କରାଯାଏ।

Advertisment
Related Articles
Advertisment