/odishatv-khabar/media/media_files/2026/02/15/why-lord-shiva-applies-ash-on-his-body-2026-02-15-19-25-06.jpg)
ପ୍ରଭୁ ଶିବଙ୍କ ଲୀଳା Photograph: (OTV)
ମହାଦେବ ହେଉଛନ୍ତି ହିନ୍ଦୁ ଧର୍ମର ତ୍ରିମୂର୍ତ୍ତିଙ୍କ ମଧ୍ୟରେ ପ୍ରଧାନ ଦେବତା। ସେ ସଂହାରକାରୀ ରୂପେ ଜଣାଶୁଣା ହେଲେ ମଧ୍ୟ ସେ ସୃଷ୍ଟିର ଆଦି ଓ ଅନ୍ତ ଉଭୟକୁ ନିୟନ୍ତ୍ରଣ କରନ୍ତି। ସେ ମହାଦେବ, ମହେଶ୍ୱର, ଶଙ୍କର, ଭୋଳାନାଥ, ନୀଳକଣ୍ଠ, ରୁଦ୍ର, ପଶୁପତି ଆଦି ଅନେକ ନାମରେ ପୂଜିତ।ଶିବଙ୍କ ରୂପ ଅତି ସରଳ ଓ ଗମ୍ଭୀର। ସେ ଧ୍ୟାନମଗ୍ନ ଯୋଗୀଙ୍କ ପରି ହିମାଳୟରେ ବାସ କରନ୍ତି। ତାଙ୍କ ମସ୍ତକରେ ଗଙ୍ଗା ଓ ଚନ୍ଦ୍ରମା ଶୋଭା ପାଇଥାଏ, କଣ୍ଠରେ ନୀଳ ବିଷ, ଗଳାରେ ସର୍ପମାଳା, ହାତରେ ତ୍ରିଶୂଳ ଓ ଡମ୍ବରୁ। ତାଙ୍କ ଶରୀର ଭସ୍ମ ଲଗାଇ ଶୁଭ୍ର ବର୍ଣ୍ଣର, କେଶ ଜଟାଯୁକ୍ତ। ଶିବଙ୍କୁ ଯୋଗୀଶ୍ୱର କୁହାଯାଏ କାରଣ ସେ ଯୋଗ ଓ ତପସ୍ୟାର ଆଦର୍ଶ। ସେ ସମସ୍ତ ପ୍ରାଣୀଙ୍କ ପ୍ରତି ସମଦୃଷ୍ଟି ରଖନ୍ତି – ଦେବତା, ଦାନବ, ମନୁଷ୍ୟ, ପଶୁ ସମସ୍ତଙ୍କୁ ସମାନ ଭାବେ ଦେଖନ୍ତି। ତାଙ୍କ ତାଣ୍ଡବ ନୃତ୍ୟ ସୃଷ୍ଟି-ସ୍ଥିତି-ସଂହାରର ପ୍ରତୀକ। ଶିବତାଣ୍ଡବ ସ୍ତୋତ୍ର ତାଙ୍କର ମହିମାକୁ ବର୍ଣ୍ଣନା କରିଥାଏ।ଓଡ଼ିଶାରେ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ମହାଶିବରାତ୍ରି ଓଡ଼ିଶାରେ ବଡ଼ ଉତ୍ସବ ଭାବେ ପାଳନ କରାଯାଏ।
ଶିବରାତ୍ରି (Mahashiv Ratri) ପାଳନର ଉଦ୍ଦେଶ୍ୟ
ବସନ୍ତ ଋତୁର ଆରମ୍ଭରେ ପାଳନ କରାଯାଏ ମହା ଶିବରାତ୍ରି ବା ଜାଗର। ବସନ୍ତ ଋତୁ, ବସନ୍ତ ମଳୟ ବସନ୍ତ ପୁଷ୍ପର ସୁରଭି ମଣିଷ ମନରେ ଉନ୍ମାଦନା ସୃଷ୍ଟି କରେ। ଉନ୍ମତ୍ତ ମଣିଷ ହୁଏ ଉତ୍ସୃଙ୍ଖଳ। ସେହି ଉତ୍ସୃଙ୍ଖଳ ମଣିଷକୁ ସଞ୍ଜତ କରିବା ପାଇଁ ଏହି ବ୍ରତ ପାଳନର ବ୍ୟବସ୍ଥା। ପବିତ୍ରତା ଓ ସଞ୍ଜତ ଭାବରେ ଏହି ପୂଜା କରାଯାଏ। ମାଘ କୃଷ୍ଣ ଚତୁର୍ଦ୍ଦଶୀକୁ ଶିବରାତ୍ରି ବା ଜାଗର ନାମରେ ପାଳନ କରାଯାଏ। ଶିବଙ୍କ ପ୍ରିୟ ଚଉଦଟି ଯାତ୍ରା ମଧ୍ୟରୁ ଶିବ ଚତୁର୍ଦ୍ଦଶୀ ଲୋକପ୍ରିୟ।ଏହି ଦିନଠାରୁ ଯୋଗେଶ୍ୱର ଶିବ ସମସ୍ତ କାମନାକୁ ପରିତ୍ୟାଗ କରି ସଞ୍ଜମ ବ୍ରତ ପାଳନ କରନ୍ତି ଏବଂ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷରେ ପାର୍ବତୀଙ୍କ ସହ ବିବାହରେ ତାହାର ପରିସମାପ୍ତି ହୁଏ। ତେଣୁ ତାହା ଶୀତଳ ଷଷ୍ଠୀ ନାମରେ ନାମିତ।
ସମୁଦ୍ର ମନ୍ଥନରୁ ଶିବରାତ୍ରି
ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ପୃଥିବୀକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ଚେତା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।
ଶିବଙ୍କ ମସ୍ତକରେ ଚଦ୍ର କାହିଁକି ଥାଆନ୍ତି?
ପାର୍ବତୀ ଯେତେବେଳେ ସତୀ ନାମରେ ଦକ୍ଷ ପ୍ରଜାପତିଙ୍କ ଘରେ ତାଙ୍କ କନ୍ୟା ରୂପରେ ଥିଲେ ଓ ତାଙ୍କ ଯଜ୍ଞରେ ପ୍ରାଣତ୍ୟାଗ କଲେ, ସେତେବେଳେ ତାଙ୍କ ବିରହରେ ମହାଦେବ ବନରେ ବୁଲୁଥାନ୍ତି। ସେ ନିଜ ମନକୁ ସ୍ଥିର କରିବା ପାଇଁ ତପସ୍ୟା କରିବାକୁ ନଈକୂଳ, ଉଦ୍ୟାନ, ପର୍ବତ, ଜଳସ୍ଥଳ, ପାତାଳ ସବୁଠି ସବୁଠି ବୁଲିଲେ। କିନ୍ତୁ ସେ ଯେଉଁ ଗଛ ମୂଳରେ ତପସ୍ୟା କଲେ ତାହା ତାଙ୍କର କଠୋର ତପ ପ୍ରଭାବରେ ଜଳିଗଲା। ବଣ ଜଙ୍ଗଲ ପର୍ବତ ସବୁ ପୋଡିଯାଉଥାଏ । ସେ ନିଆଁର ତେଜ ବିଶ୍ୱବ୍ରହ୍ମାଣ୍ଡରେ ଘୋଟିଗଲା ଯେ ସୂର୍ଯ୍ୟ ଚନ୍ଦ୍ରଙ୍କର ତେଜ ମଧ୍ଯ କମ୍ ହେବାକୁ ଲାଗିଲା, ଲାଗିଲା ଯେମିତି ଯମରାଜ ବୁଢା ହେଇଗଲେ। ନାଗ, ନର, କିନ୍ନର ଗନ୍ଧର୍ବ, ରାକ୍ଷସ ସମସ୍ତେ ସେ ଉତ୍ତାପ ସହି ନପାରି ବିକଳ ଭାବେ କାନ୍ଦିବାକୁ ଲାଗିଲେ।
ଏମିତି ପରିସ୍ଥିତି ଦେଖି ଇନ୍ଦ୍ର ଦେବଗଣ ଓ ବ୍ରହ୍ମାଙ୍କୁ ନେଇ ଶିବଙ୍କ ପାଖକୁ ଆସିଲେ। ସେତେବେଳକୁ ଶିବ, ମନ୍ଦର ପର୍ବତ ତଳେ କଠୋର ତପସ୍ୟା କରୁଥିଲେ। ସେମାନେ ମହାଦେବଙ୍କ ଏ ତପସ୍ୟା ଦେଖି ଭୟ ପାଇଗଲେ। ତୁରନ୍ତ ତାଙ୍କୁ ଶାନ୍ତ ନକରାଇଲେ ସ୍ବର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକ ଜଳିପୋଡ଼ି ପାଉଁଶ ହେଇଯିବ ଏକଥା ସେ ଜାଣି ପାରିଥିଲେ। ତେଣୁ ଇନ୍ଦ୍ର ବ୍ରହ୍ମା ଦେବଗଣ ବିଚାର କଲେ ଯେ ଚନ୍ଦ୍ରମାଙ୍କୁ ନେଇ ମହାଦେବଙ୍କ ମସ୍ତକରେ ସ୍ଥାପନା କରିବେ। ସୁଶୀତଳ ଚନ୍ଦ୍ରମାଙ୍କୁ ଦେଖି ପ୍ରଭୁ ସତୀଙ୍କ ବିଚ୍ଛେଦ କଷ୍ଟରୁ ଶାନ୍ତି ଲାଭ କରିବେ। ଇନ୍ଦ୍ର ଅମୃତ କଳସ ଆଣି ଶିବଙ୍କୁ ଗ୍ରହଣ କହିବାକୁ କହିଲେ। ସେ ଅମୃତ କଳସରୁ କି ସୁନ୍ଦର ବାସ୍ନା ଆସୁଥିଲା! ଚୁଆ, ଚନ୍ଦନ, କର୍ପୂର ପରି କେତେ କେତେ ବସ୍ନାମୟ ଜିନିଷ ସବୁ ସେ କଳସରେ ଥିଲା ଯାହାର ବାସ୍ନା ବଣ ପାହାଡ ପର୍ବତ ସବୁଦିଗରେ ଖେଳିଗଲା ଆଉ ଶିବଙ୍କ ମନ ପୁଲକିତ ହେଇ ଉଠିଲା।
ଶିବ ସେ କଳସକୁ ହାତରେ ଧରିଲେ।ଦେଖିଲେ ତାଙ୍କ ମସ୍ତକରେ ଚନ୍ଦ୍ରରେଖା ଆଙ୍କି ହୋଇଛି ଯାହା ସେ କଳସରେ ପ୍ରତିବିମ୍ବ ହୋଇଥିଲା। ନିଜ ମସ୍ତକରେ ଚନ୍ଦ୍ରଙ୍କୁ ଦେଖି ଶିବଙ୍କ ମନ ଏଥର ପୂର୍ବପରି ସ୍ଥିର ହେବାକୁ ଲାଗିଲା। ଧୀରେ ଧୀରେ ତାଙ୍କ ମନରୁ ସତୀଙ୍କ ବିରହ କଷ୍ଟ ଦୂର ହେଲା। ସେହିଦିନଠାରୁ ବ୍ରହ୍ମା ତାଙ୍କ ନାଁ ଦେଲେ ଚନ୍ଦ୍ରଚୂଡ, ଇନ୍ଦ୍ର ଦେଲେ ଶଶାଙ୍କ ଶେଖର ଓ ଅନ୍ୟ ଦେବଗଣ ମାନେ ନାଁ ରଖିଲେ ଚନ୍ଦ୍ରମୌଳି, ସୋମନାଥ, ସୋମେଶ୍ୱର। ତା ପରଠୁ ମହାଦେବ ଚନ୍ଦ୍ରମାକୁ ଆଦର କଲେ ତାଙ୍କ ପ୍ରତି ଶିବଙ୍କ ଶ୍ରଦ୍ଧା ବଢିଲା ତେଣୁ ତାଙ୍କୁ ସେ ମସ୍ତକରେ ଧାରଣ କଲେ।
ମହାଦେବ ନିଜ ଦେହରେ ପାଉଁଶ ବୋଳି ହୋଇଥାନ୍ତି କାହିଁକି?
ଭୃଗୁ ବଂଶରେ ଜଣେ ବ୍ରାହ୍ମଣ ଜନ୍ମ ହୋଇଥିଲେ, ନିଜର କଠୋର ତପସ୍ୟା ଯୋଗୁଁ ତିନିପୁରରେ ସେ ଖ୍ୟାତି ଅର୍ଜନ କରିଥିଲେ। ସେ ଏପରି କଠିନ ତପସ୍ୟା କରିଥିଲେ ଯେ ଗ୍ରୀଷ୍ମ ଋତୁରେ ପ୍ରଖର ସୂର୍ଯ୍ୟକିରଣରେ ନିଜ ଚାରିପଟେ ନିଆଁ ଜାଳି ତପସ୍ୟା କରୁଥିଲେ। ସେହିପରି ଶୀତ ଦିନରେ ପାଣି ଭିତରେ ବୁଡ଼ି ରହି ତପ କରୁଥାଏ। ବର୍ଷା ଦିନେ ମଧ୍ୟ ବର୍ଷା ପାଣିରେ ଓଦା ହୋଇ ତପସ୍ୟା କରୁଥିଲେ। ତାର ତପସ୍ୟାରେ ବଶ ହୋଇ ବଣର ହିଂସ୍ର ଜନ୍ତୁ ବାଘ ଭାଲୁ ହାତୀ ମାନେ ତାଙ୍କୁ ଫଳ ଆଣି ଦେଉଥିଲେ ଯାହାକୁ ଖାଇ ସେ ଜୀବନ ବଞ୍ଚୁଥିଲେ। ଦିନକୁ ଦିନ ତାଙ୍କର ତପସ୍ୟା ପ୍ରବଳ ହେଲା।
ଫଳ ଖାଇବା ଛାଡ଼ି ସେ ଏଥର କେବଳ ଘାସ ଖାଇ ବଞ୍ଚିଲେ। ବହୁବର୍ଷ ଯାଏଁ ସେ ଏପରି ତପସ୍ୟା କରୁଥାନ୍ତି। ଗୋଟେ ଦିନ ସେ ବ୍ରାହ୍ମଣ ବିଚାର କଲେ ଯେ ଯେଉଁଦିନ ତାଙ୍କର ରକ୍ତର ରଙ୍ଗ ସବୁଜ ହେବ ସେଦିନ ସେ ଜାଣିବେ ଯେ ତାଙ୍କର ତପସ୍ୟା ପୂରଣ ହେବ। ତାଙ୍କର ତପ ପୂରଣ ହୋଇ ଆସିଲା। ଘାସ ଉପାଡୁ ଥିବା ବେଳେ ଦିନେ ଧାରୁଆ ଘାସରେ ତାଙ୍କର ହାତ କଟି ରକ୍ତ ଝରିବାକୁ ଲାଗିଲା। ଏଥର ରକ୍ତ ତାଙ୍କର ସବୁଜ ଦିଶୁଥିଲା। ଏହା ଦେଖି ବ୍ରାହ୍ମଣ ନିଜ ତପସ୍ୟା ପୂରଣ ହୋଇଛି ଜାଣି ଖୁସିରେ ବିହ୍ୱଳ ହୋଇ ନାଚିବାକୁ ଲାଗିଲେ।
ସେ ଏମିତି ବିକଟାଳ ନାଚ ନାଚିଲେ ଯେ ବଣର ପଶୁ ମଧ୍ୟ ତାଙ୍କ ପାଖକୁ ଯିବାକୁ ଡରିଲେ। ଏହି ସମୟରେ ତାଙ୍କ ମନର ଅବସ୍ଥା ଜାଣି ଶିବ ଜଣେ ବିପ୍ର ରୂପ ଧରି ତାଙ୍କ ପାଖରେ ପହଞ୍ଚି ତାଙ୍କ ହାତ ଧରି ତାଙ୍କୁ କହିଲେ ତପ ବଳରେ ମନୁଷ୍ୟ ପୁଣ୍ୟ ଲାଭ କରେ କିନ୍ତୁ ତୁ ଗର୍ବ କରି ସେ ପୁଣ୍ୟ ନଷ୍ଟ କାହିଁକି କରୁଛୁ। ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ସମସ୍ତେ କେତେ ତେଜବାନ୍ କିନ୍ତୁ ସେମାନେ କଣ କେବେ ଅହଙ୍କାର କରିଛନ୍ତି କି? ଏ ଦେହ ପୃଥିବୀ ହେଲେ ଆତ୍ମା ଭିନ୍ନ ଅଟେ। ଏ ଦେହରେ ଅନେକ ରସ ରହିଛି। ସବୁଜ ରଙ୍ଗର ରକ୍ତ ଦେଖି ତୁ କି ଗର୍ବ କରୁଛୁ ତୋ ଠୁ ଅନେକ ବଡ଼ ବଡ଼ ତପସ୍ୱୀ ମୁଁ ଦେଖିଚି।
ଦେଖ ଏବେ ମୋ ଆଙ୍ଗୁଳି କାଟି ଦେଖାଉଛି। ମୋ ଆଙ୍ଗୁଳି କାଟିବାରୁ ପାଉଁଶ ରଙ୍ଗର ରକ୍ତ ବୋହିଗଲା ଯାହାକୁ ଦେଖି ବ୍ରାହ୍ମଣ ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ନିଜର ଭୁଲ ବୁଝି ପାରି ଶିବଙ୍କୁ ଧନ୍ୟବାଦ ଦେଇ ଶିବଙ୍କ ପ୍ରକୃତ ପରିଚୟ ଜାଣିବାକୁ ବ୍ୟାକୁଳ ହେଲେ। ତାଙ୍କର ବିକଳ ଅନୁରୋଧ ରକ୍ଷା କରି ଶିବ ନିଜ ରୂପରେ ତାଙ୍କୁ ଦର୍ଶନ ଦେଲେ । ତାଙ୍କୁ ବର ପ୍ରଦାନ କରି ସୁମେରୁ ପର୍ବତରେ ଘର କରି ଖୁସି ରହିବାକୁ କହିଲେ। ସେହଦିନଠାରୁ ଶିବ ନିଜ ଦେହରେ ପାଉଁଶ ଧାରଣ କଲେ ଓ ଭସ୍ମ ବିଲେପନ ନାମରେ ସଂସାରରେ ପୂଜା ପାଇଲେ।
The Essence of Maha Shivratri: ମହାଶିବରାତ୍ରି: ଆଧ୍ୟାତ୍ମିକତା, ପୌରାଣିକତା ଓ ଜୀବନ୍ତ ପରମ୍ପରାର ଏକ ଅଦ୍ଭୁତ ସଂଗମ

Steering Lock Failure Triggers Bus Mishap: ଓଲଟିଲା ବସ୍, ବସ୍ ଷ୍ଟିଅରିଙ୍ଗ ଲକ୍ ହୋଇ ଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା

Shock in School Hostel: ହଷ୍ଟେଲ ପରିସରରେ ଟଳିପଡିଲେ ଦଶମ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

High-Voltage India-Pak Clash Aligns with Maha Shivratri: ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଦିନଟି ହେଉଛି ମହାଶିବରାତ୍ରି, ୨୩ ବର୍ଷ ପରେ ପୁଣି ଟିମ୍ ଇଣ୍ଡିଆ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)